Editorial: ‘ଟଙ୍କା’ର ମୃତ୍ୟୁ!
ହୁଏତ ୨୦୩୬ ମସିହା ବେଳକୁ କାଗଜ ନୋଟ୍ ବା ଧାତବ ମୁଦ୍ରା ଅପସରି ଯାଇ ‘ଟଙ୍କା’ ସଂପୂର୍ଣ୍ଣ ‘ଡିଜିଟାଲ’ ହୋଇଯାଇପାରେ! କିନ୍ତୁ, ହିନ୍ଦୁ ବିଶ୍ବାସ ଅନୁସାରେ ନଶ୍ବର ପିଣ୍ଡ ନିଶ୍ଚିହ୍ନ ହୋଇଯିବା ସତ୍ତ୍ବେ ‘ବ୍ରହ୍ମ’ ବା ‘ଆତ୍ମା’ ଅମର ରହିବା ଭଳି ‘ଟଙ୍କା’ର ଅଦୃଶ୍ୟ ସତ୍ତା ଆମ ମନ ଭିତରେ ସଞ୍ଚୟ, ଖର୍ଚ୍ଚ ଓ ଋଣ ଆଦିର ହିସାବକିତାବରେ ରହୁଥିବ! ଅର୍ଥାତ୍ ‘ଟଙ୍କା’ର ମୃତ୍ୟୁ ଘଟି ନ ଥିବ!
Editorial: ମନ ଯେବେ ଦେହ ଦେଇ କଥା କହେ: ସଂଗୀତା ରଥଙ୍କ ସମ୍ପାଦକୀୟ ଗହନ ମନର କଥାରେ ପଢ଼ନ୍ତୁ ଏଥର...
ଗଲା ୨୦ ତାରିଖରେ, ସର୍ବାଧିକ ବିତ୍ତଶାଳୀ ମର୍ତ୍ତ୍ୟବାସୀ ଏଲନ ମସ୍କ ସୁପ୍ରସିଦ୍ଧ ପତ୍ରିକା ‘ ଦ ଇକୋନୋମିଷ୍ଟ’କୁ ପ୍ରଦାନ କରିଥିବା ଏକ ସୁବିସ୍ତୃତ ସାକ୍ଷାତ୍କାରରେ ପ୍ରଦାନ କରିଥିବା ଏକ ଭବିଷ୍ୟତ୍ବାଣୀ ଅସଂଖ୍ୟଙ୍କୁ ତଟସ୍ଥ କରି ଦେଇଛି, ଯାହା ହେଲା ୨୦୩୬ ମସିହା ବେଳକୁ ‘ଟଙ୍କା’ ଆଉ ନ ଥିବ, ଅର୍ଥାତ୍ ‘ଟଙ୍କା’ର ମୃତ୍ୟୁ ଘଟି ସାରିଥିବ! ଏଠାରେ ‘ଟଙ୍କା’ ବୋଇଲେ ଭାରତୀୟ ମୁଦ୍ରା ନୁହେଁ; ମସ୍କ ମହାଶୟ ଇଂରେଜୀରେ ତାହାକୁ ‘ମନି’ ବୋଲି କହିଛନ୍ତି, ଯାହାକୁ ଏଠାରେ ‘ଟଙ୍କା’ ବୋଲି କୁହାଯାଉଛି। ତାଙ୍କ କହିବାର ମର୍ମ ହେଲା, ୨୦୩୬ ମସିହା ବେଳକୁ ସର୍ବତ୍ର ଓ ସବୁ କାର୍ଯ୍ୟରେ ଏ.ଆଇ. ଓ ରୋବଟ ଆଦିର ବ୍ୟବହାର ଫଳରେ ଦ୍ରବ୍ୟ ଓ ସେବାର ଏଭଳି ବିପୁଳ ଉତ୍ପାଦନ ହେବ ଯେ ପ୍ରତ୍ୟେକ ମନୁଷ୍ୟର ଚାହିଦା ପୂରଣ ହୋଇ ସାରିବା ପରେ ମଧ୍ୟ ତାହା ବଳକା ରହିବ; ଏଭଳି ପ୍ରାଚୁର୍ଯ୍ୟ ପରିପୃକ୍ତ ପରିବେଶରେ ମନୁଷ୍ୟ ନିକଟରେ ସବୁ କିଛି ଉପଲବ୍ଧ ଥିବା ଦୃଷ୍ଟିରୁ କୌଣସି ଦ୍ରବ୍ୟ ବା ସେବା କ୍ରୟ କରିବାର ଆବଶ୍ୟକତା ପଡ଼ିବ ନାହିଁ। ଯଦ୍ଦ୍ବାରା ଅବଲୀଳା କ୍ରମେ ‘ଟଙ୍କା’ ତା’ର ପ୍ରାସଙ୍ଗିକତା ହରାଇ ମୃତ୍ୟୁ ଲଭିବ। ମସ୍କଙ୍କ ପ୍ରଦତ୍ତ ସମୟ କଣ୍ଟ ଅତି ନିକଟ ଅର୍ଥାତ୍ ମାତ୍ର ଗୋଟିଏ ଦଶକ ହୋଇଥିବାରୁ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ମଧ୍ୟରେ କୌତୂହଳପୂର୍ଣ୍ଣ ଉତ୍କଣ୍ଠା, ଆଲୋଡ଼ନ ଓ ପ୍ରତିକ୍ରିୟା ସୃଷ୍ଟି ହେଲାଣି। ଅବଶ୍ୟ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏ.ଆଇ. ବା ରୋବଟ ପ୍ରଯୁକ୍ତି କ୍ଷେତ୍ରରେ ଘଟୁଥିବା ବିକାଶର ରୂପରେଖ ନେଇ ଏଲନ ମସ୍କଙ୍କ ଠାରେ ଏକ ସ୍ପଷ୍ଟ ଧାରଣା ଥିବ, କିନ୍ତୁ ମନୁଷ୍ୟର ରହସ୍ୟମୟ ଚରିତ୍ର ଏବଂ ‘ଟଙ୍କା’ର ସାଂକେତିକ ମୂଲ୍ୟ ପରିପ୍ରେକ୍ଷୀରେ ମସ୍କଙ୍କ ମନ୍ତବ୍ୟ ଉପରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
୨୦୩୬ ମସିହା ବେଳକୁ, ଏଲନ ମସ୍କ ଯେଉଁ ଦିବ୍ୟ ଦୃଶ୍ୟପଟର ପରିକଳ୍ପନା କରିଛନ୍ତି; ତାହା ଅନୁସାରେ ଲୋକଙ୍କ ପାଖରେ ଦ୍ରବ୍ୟ ଓ ସେବାର ଅଭାବ ନ ଥିବ, କାର୍ଯ୍ୟ ଓ ଶ୍ରମର ବାଧ୍ୟବାଧକତା ମଧ୍ୟ ନଥିବ, ମନୁଷ୍ୟମାନେ ପ୍ରଚୁର ବିଶ୍ରାମର ସମୟ ଉପଭୋଗ କରୁଥିବେ। ସାକ୍ଷାତ୍କାର ସମୟରେ ମସ୍କଙ୍କ ଏଭଳି ନିଷ୍କର୍ଷ ପରିପ୍ରେକ୍ଷୀରେ ଉଠୁଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ମସ୍କ ବୁଝାଇ ଥିଲେ ଯେ ଲୋକେ କାମ ନ କଲେ ସୁଦ୍ଧା ‘ଟଙ୍କା’ ପାଇବେ, କାରଣ ସରକାର ଟଙ୍କା ଛାପି ଲୋକଙ୍କୁ ବାଣ୍ଟିବେ; ଏଭଳି ସ୍ଥିତିରେ ସରକାରୀ ରାଜକୋଷ ଶୂନ୍ୟ ହେବା ବା ନ ହେବା ଭଳି ବିଷୟ ବିଶେଷ ଗୁରୁତ୍ବ ବହନ କରୁ ନ ଥିବ; ଲୋକଙ୍କ ପାଖରେ ପ୍ରଚୁର ଟଙ୍କା ଉପଲବ୍ଧ ଥିଲେ ମଧ୍ୟ ତାହା ମୁଦ୍ରାସ୍ଫୀତିକୁ ଜନ୍ମ ଦେବ ନାହିଁ (ଅର୍ଥନୀତିର ନିୟମ ଅନୁଯାୟୀ); କାରଣ ଯୋଗାଣର ବିପୁଳତା ହେତୁ ଚାହିଦା ପୂରଣରେ କୌଣସି ଅସୁବିଧା ସୃଷ୍ଟି ହେବନାହିଁ; ମୁଦ୍ରାସ୍ଫୀତି ପରିବର୍ତ୍ତେ ବରଂ ‘ଅବସ୍ଫୀତି’ ବା ‘ଡିଫ୍ଲେସନ’ ଦେଖାଯାଇପାରେ।
ମସ୍କଙ୍କ ଏଭଳି ବିଚାର ପରିପ୍ରେକ୍ଷୀରେ ଅର୍ଥଶାସ୍ତ୍ରର ଜନକ ଜନ ମେନାର୍ଡ କେନ୍ସଙ୍କ ଦ୍ବାରା ରଚିତ, ୧୯୩୦ ମସିହାରେ ପ୍ରକାଶିତ, ଏକ କ୍ଷୁଦ୍ର ପ୍ରବନ୍ଧ ସ୍ମରଣକୁ ଆସିଥାଏ, ଯାହାର ଶୀର୍ଷକ ଥିଲା ‘ଇକୋନୋମିକ ପସିବିଲିଟିଜ ଫର ଆୱାର ଗ୍ରାଣ୍ଡ ଚିଲଡ୍ରେନ’ ଅର୍ଥାତ୍ ‘ଆମ ନାତିମାନଙ୍କ ସମୟର ଅର୍ଥନୈତିକ ସମ୍ଭାବନା’। ତହିଁରେ, ମନୁଷ୍ୟ ଜୀବନ ଉପରେ ଯନ୍ତ୍ରର ନିରନ୍ତର ପ୍ରଭାବ ବିସ୍ତାର ଓ ଶିଳ୍ପ ଦ୍ବାରା ହେଉଥିବା ଆର୍ଥିକ ଅଭିବୃଦ୍ଧି ଇତ୍ୟାଦି ଦ୍ବାରା ଚମତ୍କୃତ କେନ୍ସ ପୂର୍ବାନୁମାନ କରିଥିଲେ ଯେ ଶହେ ବର୍ଷ ପରେ ଅର୍ଥାତ୍ ୨୦୩୦ ମସିହା ବେଳକୁ ଧନିକ ରାଷ୍ଟ୍ରଗୁଡ଼ିକ ଚାରିରୁ ଆଠ ଗୁଣ ଅଧିକ ସମୃଦ୍ଧ ହୋଇଯାଇଥିବେ; ସେଠାରେ ସପ୍ତାହକୁ ମାତ୍ର ୧୫ ଘଣ୍ଟା ସକାଶେ କାର୍ଯ୍ୟ କରିବାକୁ ପଡୁଥିବ; ଲୋକେ ଆରାମ ଓ ବିଶ୍ରାମର ଅସରନ୍ତି ସମୟ ଉପଭୋଗ କରୁଥିବେ। ଆମେ, ସଂପ୍ରତି, କେନ୍ସ ଦେଇଥିବା ସମୟ ସୀମା, ୨୦୩୦ ମସିହାର ଦ୍ବାରଦେଶରେ ଉପନୀତ; ମନୁଷ୍ୟ ଉପରେ ଯନ୍ତ୍ରର ପ୍ରଭାବ, ବିଶ୍ରାମ ସକାଶେ ଅଧିକ ସୁଯୋଗ ଓ କଳ୍ପନାତୀତ ଆର୍ଥିକ ସମୃଦ୍ଧି ଇତ୍ୟାଦି ବିଷୟ ନେଇ କେନ୍ସଙ୍କ ଭବିଷ୍ୟବାଣୀ ସତ୍ୟରେ ପରିଣତ ହୋଇଛି ସତ, କିନ୍ତୁ ‘ପନ୍ଦର ଘଣ୍ଟିଆ କାର୍ଯ୍ୟ ସପ୍ତାହ’ର ଆଶ୍ବାସନା କାହିଁ? ବରଂ, କାର୍ଯ୍ୟ ସମୟ ନିଷ୍କରୁଣ ଭାବେ ଅଧିକ ଦୀର୍ଘ ଓ ନିଘଞ୍ଚ ହୋଇଛି। ଯେ କୌଣସି ଯନ୍ତ୍ର ହେଉ ବା ଏ.ଆଇ. ବା ରୋବଟ; ଏସବୁ ପରିକଳ୍ପିତ ହେବା ପଛରେ ପ୍ରାରମ୍ଭିକ ଉଦ୍ଦେଶ୍ୟ ଥିବ ମନୁଷ୍ୟକୁ ଅଧିକ ଅରାମପ୍ରଦ ବିଶ୍ରାମର ସୁେଯାଗ େଦବା। କିନ୍ତୁ ଯାହା ମନୁଷ୍ୟ ଚରିତ୍ରର ସହଜାତ, ତାହା ହେଉଛି ଦୀର୍ଘ ସ୍ଥିତାବସ୍ଥା ପ୍ରତି ବିରକ୍ତି; ତାହା ‘କାର୍ଯ୍ୟ’ ହେଉ ବା ‘ବିଶ୍ରାମ’ ବା ଆଉ କିଛି! ଏଭଳି ବିରକ୍ତି କାରଣରୁ ଅସ୍ଥିର ମନୁଷ୍ୟ ଗତିଶୀଳ ଅଛି ଓ ବିଭିନ୍ନ ଆବିଷ୍କାର ବା ଉଦ୍ଭାବନ କରି ଚାଲିଛି। ମସ୍କଙ୍କ ଭ୍ରାନ୍ତିଟି ହେଲା ଏ.ଆଇ. ଯେ ମନୁଷ୍ୟମାନଙ୍କ ସକାଶେ ସର୍ବ-ସ୍ବୀକୃତ ଏବଂ ସର୍ବଶେଷ ଉପଲବ୍ଧି, ତାହା ସେ ଧରି ନେଇଛନ୍ତି। କିନ୍ତୁ, ‘କୃତ୍ରିମ ବୁଦ୍ଧିମତ୍ତା’ର ଅବାନ୍ତର ମାତ୍ରାତିରିକ୍ତତାରେ ବିରକ୍ତ ମନୁଷ୍ୟ ଭବିଷ୍ୟତରେ ତାହାକୁ ତ୍ୟାଜ୍ୟ ମଧ୍ୟ କରି ଦେଇପାରେ! କିଏ କହି ପାରିଲା, ୨୦୩୬ ବେଳକୁ ସେଭଳି ଘଟି ନଥିବ!
Editorial Column: ସମାଧାନ ପୂର୍ବରୁ ସମର୍ପଣ: ସୁଦର୍ଶନ ଦାସଙ୍କ ସମ୍ପାଦକୀୟ ଗଣ ଚେତନାରେ ପଢ଼ନ୍ତୁ ଏଥର...
କୌଣସି ଦ୍ରବ୍ୟର ପ୍ରାଚୁର୍ଯ୍ୟ ଯୋଗେ ତା’ର ଅଭାବ ଦୂର ହୋଇଯାଏ ବୋଲି ମସ୍କଙ୍କ ଧାରଣା ଯଦି ସତ ହୁଅନ୍ତା, ପ୍ରତି ୧୧ ଜଣ ପୃଥିବୀ ବାସିନ୍ଦାଙ୍କ ମଧ୍ୟରୁ ଜଣେ ପ୍ରତ୍ୟେକ ଦିନ ବୁଭୁକ୍ଷୁ ରହନ୍ତା ନାହିଁ; ଯେତେବେଳେ କି ସମୁଦାୟ ଜନସଂଖ୍ୟା ସକାଶେ ଯଥେଷ୍ଟ ଖାଦ୍ୟ ପୃଥିବୀରେ ମହଜୁଦ ରହିଛି। ସୁତରାଂ, ଅଭାବ ଦୂର କରିବାରେ ଯୋଗାଣ, ବଣ୍ଟନ, ବିତରଣ ଓ ପହଞ୍ଚ ସଂକ୍ରାନ୍ତ ବିପୁଳ ଆୟୋଜନର ପ୍ରସଙ୍ଗ ମଧ୍ୟ ସଂଶ୍ଳିଷ୍ଟ। କେବଳ ସେତିକି ନୁହେଁ, ମସ୍କ କହିଥିବା ଭଳି ପ୍ରାଚୁର୍ଯ୍ୟ କେବଳ ସେତିକି ବେଳେ ସୃଷ୍ଟି ହେବ, ଯେତେବେଳେ ଚାହିଦା ତୁଳନାରେ ଅନେକ ଗୁଣ ଅଧିକ ଦ୍ରବ୍ୟ ଉତ୍ପାଦନ କରାଯିବ! କିନ୍ତୁ, ଯୋଗାଣ-ଚାହିଦାର ଭାରସାମ୍ୟ ନଷ୍ଟ କରିବା ଭଳି ବୋଧଶୂନ୍ୟ ନିଷ୍ପତ୍ତି କୌଣସି ଉତ୍ପାଦକ ନେବେ କାହିଁକି? ତାହା ତ କୌଣସି ଦୃଷ୍ଟିରୁ ବ୍ୟାବସାୟିକ ବୁଦ୍ଧିମତ୍ତାର ପରିଚାୟକ ହେବ ନାହିଁ। କହିବା ଅନାବଶ୍ୟକ ଯେ ବଜାରରେ ରାଜୁତି କରୁଥିବା ବ୍ରାଣ୍ଡ୍ର ଉତ୍ପାଦକ କଂପାନିଗୁଡ଼ିକ, ଅଧିକ ଉତ୍ପାଦନ କରିବାର ଦକ୍ଷତା ସତ୍ତ୍ବେ, ନିଜ ଦ୍ରବ୍ୟର ଉଛୁଳା ବନ୍ୟା ସୃଷ୍ଟି କରନ୍ତି ନାହିଁ; ଚାହିଦା ଅନୁସାରେ ନିର୍ଦ୍ଦିଷ୍ଟ ମାପଚୁପରେ ଯୋଗାଣର ସ୍ରୋତ ବହିଥାଏ। କାରଣ ପ୍ରତ୍ୟେକ ଉତ୍ପାଦକ (ବ୍ୟବସାୟୀ)ର ସଫଳତା ନିହିତ ଥାଏ, ସେ ଦ୍ରବ୍ୟ ଲୋଡ଼ା ଯିବାରେ। ଅବଶ୍ୟ, ଏଲନ ମସ୍କଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୩୬ ମସିହା ବେଳକୁ ରୋବଟ ପ୍ରଯୁକ୍ତି ଓ ଏ.ଆଇ. କ୍ଷେତ୍ରରେ ବିପୁଳ ଅଗ୍ରଗତି ହୋଇଥିବା ସୁନିଶ୍ଚିତ; କିନ୍ତୁ, ଦ୍ରବ୍ୟ ଓ ସେବା ଉତ୍ପାଦନରେ ସୀମାତୀତ ବୃଦ୍ଧି ଘଟାଇ ଉତ୍ପାଦକମାନେ ସେମାନଙ୍କ ଉତ୍ପାଦର ପରିପୃକ୍ତତା ସୃଷ୍ଟି କରିବାକୁ ଚାହିଁବେ ବୋଲି ଆଶା କରିବା ଧୃଷ୍ଟତା। କ୍ରୟ-ବିକ୍ରୟର ଧାରା, ଲୋଡ଼ିବା, ଖୋଜିବା ଓ ପାଇବାର କ୍ରମ ଏବଂ ଅଭାବ ଓ ପ୍ରାଚୁର୍ଯ୍ୟର ସନ୍ତୁଳନ ମଧ୍ୟରେ ବଜାର ପୂର୍ବ ଭଳି ରହିବ, ଅଭାବରୁ ବା ଅଭାବବୋଧରୁ ଦ୍ରବ୍ୟ ଓ ସେବାର ଖର୍ଦ୍ଦି-ବିକ୍ରୟ ଚାଲିଥିବ।
ଏଲନ ମସ୍କଙ୍କ ବିବୃତ୍ତିରୁ ବାହାରି ଆଉ ଏକ ଦିଗକୁ ଯିବା। ଅବଶ୍ୟ, ଅନୁମାନ କରି ହେଉଛି ଯେ ‘ଟଙ୍କା’ର ରୂପ ଭବିଷ୍ୟତରେ ସଂପୂର୍ଣ୍ଣ ବଦଳିଯାଇପାରେ! ହୁଏତ ୨୦୩୬ ମସିହା ବେଳକୁ କାଗଜ ନୋଟ୍ ବା ଧାତବ ମୁଦ୍ରା ଅପସରି ଯାଇ ‘ଟଙ୍କା’ ସଂପୂର୍ଣ୍ଣ ‘ଡିଜିଟାଲ’ ହୋଇଯାଇପାରେ! କିନ୍ତୁ, ହିନ୍ଦୁ ବିଶ୍ବାସ ଅନୁସାରେ ନଶ୍ବର ପିଣ୍ଡ ନିଶ୍ଚିହ୍ନ ହୋଇଯିବା ସତ୍ତ୍ବେ ‘ବ୍ରହ୍ମ’ ବା ‘ଆତ୍ମା’ ଅମର ରହିବା ଭଳି ‘ଟଙ୍କା’ର ଅଦୃଶ୍ୟ ସତ୍ତା ଆମ ମନ ଭିତରେ ସଞ୍ଚୟ, ଖର୍ଚ୍ଚ ଓ ଋଣ ଆଦିର ହିସାବକିତାବରେ ରହୁଥିବ! ଅର୍ଥାତ୍ ‘ଟଙ୍କା’ର ମୃତ୍ୟୁ ଘଟି ନ ଥିବ!
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।