18 JUNE 2026

Welcome!

Unlock your personalized experience.
Sign Up

CookingOil: ସେପ୍ଟେମ୍ବର ସୁଦ୍ଧା ଷ୍ଟାଣ୍ଡାର୍ଡ ପ୍ୟାକ୍‌ର ଖାଇବା ତେଲ

Jun 18, 2026 - 02:11
CookingOil: ସେପ୍ଟେମ୍ବର ସୁଦ୍ଧା ଷ୍ଟାଣ୍ଡାର୍ଡ ପ୍ୟାକ୍‌ର ଖାଇବା ତେଲ

ଭୁବନେଶ୍ବର: ଖାଇବା ତେଲର ଅସମାନ ଓଜନ ବିଶି‌ଷ୍ଟ ପାକେଜ୍‌ ବଜାରରୁ ଖୁବ୍‌ଶୀଘ୍ର ଦୂରେଇ ଯିବ। ବର୍ତ୍ତମାନ କେବଳ ପୁରୁଣା ଷ୍ଟକ ରହିଛି। ସେଗୁଡ଼ିକ ବିକ୍ରି ହେବା ପରେ ଆଉ ସେଭଳି ପ୍ୟାକେଟ୍‌ ଆସିବ ନାହିଁ। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଷ୍ଟାଣ୍ଡାର୍ଡ ପ୍ୟାକ୍‌ରେ ଖାଇବା ତେଲ ଆସିବ ବୋଲି ଶିଳ୍ପର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।କେନ୍ଦ୍ର ସରକାର ଖାଇବା ତେଲର ମାନକ ନିର୍ଦ୍ଧାରଣ କରିଛନ୍ତି। ଫଳରେ ଆଗାମୀ ଦିନରେ ୫୦୦ ମିଲିଲିଟର, ୧, ୨, ୫, ୧୫ ଲିଟର ଭଳି ପ୍ୟାକ୍‌ରେ ଖାଇବା ତେଲ ମିଳିବ। ସବୁ କମ୍ପାନିର ପ୍ୟାକେଟ୍‌ ସେହି ମାନକ ଅନୁସାରେ ରହିବ। ଫଳରେ ଗ୍ରାହକମାନେ ବିଭିନ୍ନ କମ୍ପାନିର ତେଲ ପ୍ୟାକେଟ୍‌ ମୂଲ୍ୟ ମଧ୍ୟରେ ତୁଳନା କରି ନିଜ ପସନ୍ଦର ତେଲ ନେଇପାରିବେ ବୋଲି ଫ୍ରିଡମ୍‌ ଅଏଲ୍‌ର ବରିଷ୍ଠ ଉପସଭାପତି (ସେଲ୍‌ସ ଓ ମା‌ର୍କେଟିଂ) ପି ଚନ୍ଦ୍ରଶେଖର ରେଡ୍ଡି କହିଛନ୍ତି। ଖାଇବା ତେଲ ପାଇଁ ମାନକ ଧାର୍ଯ୍ୟ କରିଥିବାରୁ ସେ ଭାରତ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ କହିଥିଲେ ଯେ ୨-୩ ବର୍ଷ ଧରି ସରକାରଙ୍କୁ ଖାଇବା ତେଲର ଅସମାନ ପ୍ୟାକ୍‌ ସମସ୍ୟା ସମ୍ପର୍କରେ ଅବଗତ କରାଯାଉଥିଲା। ସମସ୍ୟାର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ନେଇଛନ୍ତି।

ଫ୍ରିଡମ୍‌ ଅଏଲ୍‌ର କଟକ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଦୈନିକ ୧୦୦ ଲିଟର କ୍ଷମତା ବିଶିଷ୍ଟ ଏକ ସୋରିଷ ତେଲ କାରଖାନା ସ୍ଥାପନ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି। ଅଳ୍ପଦିନ ଭିତରେ ଏହି ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିବେ। ଖୁବଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ଏଥିରେ କମ୍ପାନି ୫୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବ ବୋଲି ସେ କହିଥିଲେ। ଖାଇବା ତେଲ ବଜାର ଉପରେ ମଧ୍ୟପ୍ରାଚ୍ୟ ସଙ୍କଟର ପ୍ରଭାବ ସମ୍ପର୍କରେ ସେ କହିଥିଲେ ଯେ ମହଙ୍ଗା ଡଲାର, ପଲିମର ମୂଲ୍ୟ ବୃଦ୍ଧି ଓ ପରିବହନ ଭଡ଼ାରେ ବୃଦ୍ଧି ଯୋଗୁଁ ଶିଳ୍ପ ପ୍ରଭାବିତ ହୋଇଛି। ଯୁଦ୍ଧ ବନ୍ଦ ହେବାକୁ ଯାଉଥିବାରୁ ଅନ୍ତତଃ ଖାଇବା ତେଲ ଦର ଆଉ ବଢ଼ିବ ନାହିଁ। ଧୀରେ ଧୀରେ ମୂଲ୍ୟରେ ସ୍ଥିରତା ଫେରିବ ବୋଲି ସେ କହିଥିଲେ।