Communication Gap Exposes Vulnerable Team India: ଫିଟ୍ ନଥାଇ ବି ଖେଳୁଛନ୍ତି ଖେଳାଳି! ଅସନ୍ତୋଷ ଝାଡିଲେ ଶୁବମନ ଗିଲ୍

Jul 22, 2026 - 17:00
Communication Gap Exposes Vulnerable Team India: ଫିଟ୍ ନଥାଇ ବି ଖେଳୁଛନ୍ତି ଖେଳାଳି! ଅସନ୍ତୋଷ ଝାଡିଲେ ଶୁବମନ ଗିଲ୍

ଇଂଲଣ୍ଡ ଗସ୍ତ ନିରାଶାଜନକ ଭାବେ ଶେଷ ହୋଇଛି। ଭାରତୀୟ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲ୍ ଖେଳାଳିମାନଙ୍କ ବାରମ୍ବାର ଆଘାତ ସମସ୍ୟାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ କରି ଖେଳାଳିଙ୍କ ହାମ୍‌ଷ୍ଟ୍ରିଙ୍ଗ୍ ସମସ୍ୟା ଦଳ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁସ୍ଥିତ 'ସେଣ୍ଟର ଅଫ୍ ଏକ୍ସଲେନ୍ସ' (CoE), ଟିମ୍ ମ୍ୟାନେଜମେଣ୍ଟ ଏବଂ ଖେଳାଳିଙ୍କ ମଧ୍ୟରେ ସଠିକ୍ ଯୋଗାଯୋଗ ହୋଇପାରୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଖେଳାଳିମାନେ ସମ୍ପୂର୍ଣ୍ଣ ଫିଟ୍ ନଥାଇ ମଧ୍ୟ ପଡ଼ିଆକୁ ଓହ୍ଲାଉଛନ୍ତି। CoE ରେ 'ନିତିନ ପଟେଲ' ପଦ ଛାଡ଼ିବା ପରଠାରୁ ମୁଖ୍ୟ ମେଡିକାଲ ଅଫିସର ପଦବୀ ଖାଲି ପଡ଼ିଛି ଏବଂ ୨୦୨୩ର ଏସଓପି (SOP) ରେ କୌଣସି ଅପଡେଟ୍ ହୋଇନାହିଁ।

ଚଳିତ ବର୍ଷ ଫେବ୍ରୁଆରୀ ଟି-୨୦ ବିଶ୍ୱକପ୍ ସମୟରେ ୱାଶିଂଟନ୍ ସୁନ୍ଦର ସମ୍ପୂର୍ଣ୍ଣ ଫିଟ୍ ନଥାଇ ମଧ୍ୟ ଦଳରେ ସାମିଲ ହୋଇଥିଲେ। ମ୍ୟାଚ୍ ଖେଳିବା ପାଇଁ ତାଙ୍କୁ ଅତି କମ୍‌ରେ ୧୦ ଦିନ ସମୟ ଦରକାର ଥିବା ବେଳେ ମ୍ୟାନେଜମେଣ୍ଟ ଜୋରଜବରଦସ୍ତ ତାଙ୍କୁ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି।

ଆଣ୍ଠୁ ଆଘାତ ପରେ ହର୍ଷିତ ରାଣା ନିଜର ପୂର୍ବ ଓଜନ ହାସଲ କରିନଥିଲେ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟର ଜିଦ୍ ଯୋଗୁଁ CoE ତାଙ୍କୁ ଖେଳିବାକୁ କ୍ଲିୟରାନ୍ସ ଦେଇଥିଲା। ସେହିପରି ବୋଲିଂ ସ୍ପିଡ୍ ବୃଦ୍ଧି କରିବା ପାଇଁ ଇଂଲିଶ କୋଚ୍ ଷ୍ଟେଫାନ୍ ଜୋନ୍ସଙ୍କ ସହ କାମ କରୁଛନ୍ତି ନୀତିଶ। ମାତ୍ର ବଡ଼ ଟୁର୍ନାମେଣ୍ଟ ପୂର୍ବରୁ ହଠାତ୍ ଅଧିକ ସ୍ପିଡ୍ ପାଇଁ ବୋଲିଂ କରିବା ତାଙ୍କ ଉପରେ ଚାପ ପକାଉଛି। ତେବେ ଗତବର୍ଷ କର୍ମଚାରୀଙ୍କ ପରିବର୍ତ୍ତନ ପରେ ସିନିୟର ଖେଳାଳିମାନେ ନୂଆ ନିୟମ ସହ ଅଭ୍ୟସ୍ତ ହୋଇପାରୁ ନାହାଁନ୍ତି।

ଆଜିକାଲି ସବୁ ଫର୍ମାଟ୍ ଖେଳୁଥିବା ଖେଳାଳିଙ୍କ ସଂଖ୍ୟା କମ୍। ଯେଉଁ ଖେଳାଳିମାନେ CoE ରେ ରିହାବିଲିଟେସନ୍ କରୁନାହାଁନ୍ତି, ବୋର୍ଡର ମେଡିକାଲ ଟିମ୍ ସେମାନଙ୍କ ସହ କୌଣସି ଯୋଗାଯୋଗ ରଖୁନାହିଁ। 

ଫଳରେ ଜାତୀୟ ଦଳରୁ ବାହାରେ ଥିବା ସମୟରେ ଖେଳାଳିମାନେ ନିଜର ଫିଟନେସ୍‌କୁ ନେଇ ଚିନ୍ତାରେ ରହୁଛନ୍ତି। ବୋର୍ଡର ମେଡିକାଲ ଟିମ୍ ଏବଂ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ଏହି ଯୋଗାଯୋଗର ଅଭାବ ଏବେ ଭାରତୀୟ କ୍ରିକେଟ୍ ଦଳ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।