Commonwealth Games: ଭାଗନେବେ ୭୪ ଦେଶ; ଭାରତରୁ ୧୨୫ ପ୍ରତିଯୋଗୀ
"ଗ୍ଲାସ୍ଗୋ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୩ତମ ସଂସ୍କରଣ ଗୁରୁବାରଠୁ ସ୍କଟ୍ଲାଣ୍ଡର ଗ୍ଲାସ୍ଗୋରେ ଖେଳାଯିବ।
ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୯ ଦିନଆ ପ୍ରତିଯୋଗିତାରେ ୭୪ ରାଜ୍ୟଗୋଷ୍ଠୀ ଦେଶ ଭାଗନେବେ।
ରାଣୀ ଏଲିଜାବେଥ-୨ଙ୍କ ଦେହାନ୍ତ ପରେ ପ୍ରଥମ ଥର ଖେଳାଯିବାକୁ ଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମୁଖ୍ୟ ଅଛନ୍ତି ରାଜା ଚାର୍ଲସ।
୧୦ କ୍ରୀଡ଼ା (ଦୌଡ଼କୁଦ, ସନ୍ତରଣ, ୩ଗୁଣା୩ ବାସ୍କେଟ୍ବଲ୍, ଟ୍ରାକ୍ ସାଇକ୍ଲିଂ, ଭାରୋତ୍ତୋଳନ, ଲନ୍ବଲ୍, ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ମୁଷ୍ଟିଯୁଦ୍ଧ, ଜୁଡ଼ୋ)ର ୨୧୫ ଇଭେଣ୍ଟ୍ରେ ୩୦୦୦ରୁ ଊର୍ଧ୍ବ ପ୍ରତିଯୋଗୀ ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ।Advertisment ସ୍କଟଲାଣ୍ଡର ୭ଟି ଭେନ୍ୟୁରେ ପ୍ରତିଯୋଗିତାଗୁଡ଼ିକ ହେବାକୁ ଥିଲା ବେଳେ ଗ୍ଲାସ୍ଗୋର ଓଭିଓ ହାଇଡ୍ରୋରେ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ।
ଏହି ଉତ୍ସବରେ ସ୍କଟ୍ଲାଣ୍ଡର ଖ୍ୟାତନାମା ଗାୟକ କେଟି କୁନ୍ଷ୍ଟଲଙ୍କ ସହ କାଲୁମ ବିଟି, ନୀନା ନେସ୍ବିଟ୍, ନାଥନ ଇଭାନ୍ସ ଓ ସେଣ୍ଟ ଫନ୍ସ ପ୍ରମୁଖ ପ୍ରଦର୍ଶନ କରି ଦର୍ଶକଙ୍କୁ ଝୁମାଇବେ।
ଭାରତ ଏହି ପ୍ରତିଯୋଗିତା ଲାଗି ୧୨୫ ଜଣିଆ ଏକ ବଡ଼ ଦଳ ପଠାଇଛି।
ହେଲେ ଗ୍ଲାସ୍ଗୋ ସଂସ୍କରଣରେ ଥିବା ବ୍ୟାଡ୍ମିଣ୍ଟନ, କୁସ୍ତି ଓ ହକି ବାଦ୍ ପଡ଼ିଛି।
୨୦୨୨ରେ ଏହି ୩ ଖେଳରୁ ଭାରତ ୩୦ ପଦକ ଅମଳ କରିଥିଲା।
ତେଣୁ ଏହି ରାଜ୍ୟଗୋଷ୍ଠୀରେ ଭାରତର ପଦକ ସଂଖ୍ୟା କମିବାର ସମ୍ଭାବନା ରହିଛି।
ଏହି ଦୁଃଖ ୨ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରୋଙ୍କ ନେତୃତ୍ବରେ ଯାଉଥିବା ୩୨ ଜଣିଆ ଦୌଡ଼କୁଦ ଦଳ ଦୂର କରିପାରେ।
ଏହି ୩୨ ଖେଳାଳି ୨୨ଟି ପଦକ ଇଭେଣ୍ଟ୍ରେ ପ୍ରତିଦ୍ବନ୍ଦ୍ବିତା କରିବେ।
ଚୋପ୍ରାଙ୍କ ବାଦ୍ ହାଇଜମ୍ପର୍ ସର୍ବେଶ କୁଶାରେ, ଲଙ୍ଗ୍ଜମ୍ପର ମୁରଲୀ ଶ୍ରୀଶଙ୍କର, ଟ୍ରିପଲ୍ଜମ୍ପର ପ୍ରବୀଣ ଚିତ୍ରାଭେଲ ଏବଂ ଭାରତର ପୁରୁଷ ଓ ମହିଳା ୪ଗୁଣା ୪୦୦ ମିଟର ଦଳଠୁ ପଦକ ଆଶା ରହିଛି।
ବର୍ମିଂହାମ୍ରେ ଭାରତକୁ ଦୌଡ଼କୁଦରୁ ୮ ପଦକ ମିଳିଥିଲା।
ଏମାନଙ୍କ ଟୋକିଓ ରୌପ୍ୟ ବିଜୟିନୀ ମୀରାବାଇ ଚାନୁଙ୍କ ଭାରୋତ୍ତୋଳନରେ ୧୧ ଜଣ ରହିଥିଲା ବେଳେ ଏଥିରୁ ମଧ୍ୟ ଅଧିକ ପଦକ ମିଳିପାରେ।
ଲଭ୍ଲୀନା ବଡ଼ଗୋହାଇଁଙ୍କ ନେତୃତ୍ବାଧୀନ ମୁଷ୍ଟିଯୁଦ୍ଧରୁ ଏକାଧିକ ପଦକ ଆସିବାର ସମ୍ଭାବନା ରହିଛି।
୨୦୨୨ରେ ଲନ୍ବଲ୍ରେ ଭାରତୀୟ ମହିଳା ସ୍ବର୍ଣ୍ଣ ଓ ପୁରୁଷ ରୌପ୍ୟ ଜିିତିଥିବାରୁ ଏମାନଙ୍କଠୁ ମଧ୍ୟ ପଦକ ଆଶା ରହିଛି।
ଫଳରେ ଗତ ସଂସ୍କରଣ ୬୧ ପଦକ ସହ ଶୀର୍ଷ ୫ରେ ଥିବା ଭାରତ ଏହାଠୁ ଭଲ କରିବାକୁ ଚେଷ୍ଟା କରିବ।
ଉଦ୍ଘାଟନୀ ସମାରୋହରେ ଭାରୋତ୍ତୋଳକ ମୀରାବାଇ ପତାକା ଧରିବାକୁ ଥିଲା ବେଳେ ଲଭ୍ଲୀନା ବାଟନ ଧରିବେ।
ପ୍ରଥମ ଦିନରେ ଭାରତ ଲନ୍ବଲ୍ରୁ ଅଭିଯାନ ଆରମ୍ଭ କରିବ।
ଓଡ଼ିଶାର ୩ ଜଣ ଖେଳାଳି ତପନ ମହାନ୍ତି ଓ ତପେଶ୍ବରନାଥ ଦାଶ (ଜିମ୍ନାଷ୍ଟିକ୍ସ) ଏବଂ ଅନିମେଷ କୁଜୁର (ଦୌଡ଼କୁଦ) ଏହି ପ୍ରତିଯୋଗିତାରେ କମାଲ ଦେଖାଇବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।