କୁରାଢ଼ି ଛାଡ଼ି କୋଦାଳ ଧରିଲେ: କାଠ କାଟିବା ଛାଡ଼ି ଚାଷକୁ ଆପଣାଇଲେ ମହିଳା
"ସୁବ୍ରତ ସ୍ବାଇଁ କେନ୍ଦୁଝର: କେବେ ଜୀବିକାର ଏକମାତ୍ର ଭରସା ଥିଲା ଜଙ୍ଗଲ।
ପରିବାରର ପେଟ ପୋଷିବାକୁ ଗଛ କାଟିବା, କାଠ ସଂଗ୍ରହ କରିବା, ପୋଡ଼ୁଚାଷ ପାଇଁ ଜଙ୍ଗଲ ସଫା କରିବା ଥିଲା ଦୈନନ୍ଦିନ ଜୀବନର ଅଂଶ।
ଆଜି ସେହି ମହିଳାମାନେ ହାତରେ କୁରାଢ଼ି ନୁହେଁ, ବରଂ କୃଷି ଉପକରଣ ଧରି ନୂଆ ଭବିଷ୍ୟତ ଗଢ଼ୁଛନ୍ତି।
ଜଙ୍ଗଲକୁ କ୍ଷତି ପହଞ୍ଚାଇବା ପରିବର୍ତ୍ତେ ତାହାର ସୁରକ୍ଷାର ଦାୟିତ୍ୱ ନେଇ ସେମାନେ ଚାଷ, ପଶୁପାଳନ ଓ କ୍ଷୁଦ୍ର ଉଦ୍ୟୋଗ ମାଧ୍ୟମରେ ସ୍ୱାବଲମ୍ବନର ନୂଆ କାହାଣୀ ଲେଖୁଛନ୍ତି।
ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ବନାଞ୍ଚଳ ଉନ୍ନୟନ ସମିତି ଏବଂ "ଓମ୍ବାଡ୍ସି"ର ଜୀବିକା ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ କେନ୍ଦୁଝର ସମେତ ତିନିଟି ଜିଲ୍ଲାର ପାଞ୍ଚଟି ବନଖଣ୍ଡରେ ବିକଳ୍ପ ଜୀବିକା କାର୍ଯ୍ୟକ୍ରମ ଚାଲିଛି।
ଏହା ଅଧୀନରେ ୯୦୦ଟି ବନ ସୁରକ୍ଷା ସମିତିକୁ ସାମିଲ କରାଯାଇଛି।
Advertisment Horoscope 2026 July 23: ଜାଣନ୍ତୁ ଆଜିର ରାଶିଫଳ...
କେନ୍ଦୁଝର ବନଖଣ୍ଡ ଅଧୀନ ୬ଟି ବନାଞ୍ଚଳର ୨୦୦ଟି ବନ ସୁରକ୍ଷା ସମିତି ଅନ୍ତର୍ଗତ ୧୧୭୮ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରାୟ ୪ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ପ୍ରତ୍ୟେକ ଗୋଷ୍ଠୀକୁ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଇ ଛେଳି ପାଳନ, ବତକ ପାଳନ, ଛତୁଚାଷ, ତରଭୁଜ, ତୈଳବୀଜ, ପରିବା ଚାଷ, ଜୈବିକ ଖତ ପ୍ରସ୍ତୁତି, ବଡ଼ି ପ୍ରସ୍ତୁତି କାର୍ଯ୍ୟ କରାଯାଉଛି।
ଏଥିପାଇଁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ଦିଆଯାଇଛି।
ପୂର୍ବରୁ ଯେଉଁ ମହିଳାମାନେ ଜଙ୍ଗଲରୁ କାଠ ସଂଗ୍ରହ କରି ବଜାରରେ ବିକ୍ରି କରୁଥିଲେ, ଏବେ ସେମାନେ ନିଜ ଜମିରୁ ପରିବା, ଛତୁ ଓ ଅନ୍ୟାନ୍ୟ ଉତ୍ପାଦ ବିକ୍ରି କରି ନିୟମିତ ଆୟ କରୁଛନ୍ତି।
ଅବୈଧ ଗଛକଟାକୁ ରୋକିବାରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି।
Protest: ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି ବନ ବିଭାଗର ତଥ୍ୟ ଅନୁଯାୟୀ, ୪ କୋଟି ଟଙ୍କାର ସହାୟତାରେ ସ୍ୱୟଂସହାୟକ ଗୋଷ୍ଠୀମାନେ ଏ ପର୍ଯ୍ୟନ୍ତ ୪ କୋଟି ୭୬ ଲକ୍ଷ ୫୬ ହଜାର ଟଙ୍କାର କାରବାର କରିଛନ୍ତି।
ଠିକ୍ ପରାମର୍ଶ, ପ୍ରଶିକ୍ଷଣ ଓ ଆର୍ଥିକ ସହଯୋଗ ମିଳିଲେ ଜଙ୍ଗଲ ଉପରେ ନିର୍ଭରଶୀଳ ପରିବାରମାନେ ମଧ୍ୟ ସ୍ଥାୟୀ ଜୀବିକା ପଥରେ ଆଗକୁ ବଢ଼ିପାରିବେ ବୋଲି ପ୍ରମାଣ ଦେଇଛନ୍ତି।
ଭୂୟାଁ ଜୁଆଙ୍ଗ ପିଢ଼ ବନାଞ୍ଚଳର ୨୦୪ଟି ମହିଳା ଗୋଷ୍ଠୀକୁ ୫୭.୩୦ ଲକ୍ଷ ଟଙ୍କା, ଚମ୍ପୁଆ ବନାଞ୍ଚଳର ୨୧୩ଟି ଗୋଷ୍ଠୀକୁ ୫୦.୩୩ ଲକ୍ଷ, ଘଟଗାଁ ବନାଞ୍ଚଳର ୨୧୨ଟି ଗୋଷ୍ଠୀକୁ ୭୨.୮୦ ଲକ୍ଷ, କେନ୍ଦୁଝର ବନାଞ୍ଚଳର ୧୩୩ଟି ଗୋଷ୍ଠୀକୁ ୬୭.୯୦ ଲକ୍ଷ, ପାଟଣା ବନାଞ୍ଚଳର ୧୦୭ଟି ଗୋଷ୍ଠୀକୁ ୫୦.୩୦ ଲକ୍ଷ ଓ ତେଲକୋଇ ବନାଞ୍ଚଳର ୧୪୯ଟି ଗୋଷ୍ଠୀକୁ ୬୯.୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି।
ପ୍ରତ୍ୟେକ ଗୋଷ୍ଠୀରେ ୧୦ରୁ ଅଧିକ ସଦସ୍ୟ ଥିବାରୁ ପ୍ରାୟ ୧୦ ହଜାର ମହିଳା ଏହି କାର୍ଯ୍ୟକ୍ରମରୁ ସୁଫଳ ପାଉଛନ୍ତି।
ସେମାନଙ୍କ ଆୟ ବଢ଼ିବା ସହ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆସିଛି।
ପିଲାଙ୍କ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟସେବାରେ ମଧ୍ୟ ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି।
ଏ ସମ୍ପର୍କରେ ଡିଏଫ୍ଓ ଏଚ୍ଡି ଧନରାଜଙ୍କ କହିଛନ୍ତି, "ଜଙ୍ଗଲ ବଞ୍ଚିଲେ ଜୀବନ ବଞ୍ଚିବ।
ତେଣୁ ବନ ସୁରକ୍ଷାକୁ ଜୀବିକା ସହ ଯୋଡ଼ାଯାଇଛି।
ମହିଳାମାନେ ଯେତେବେଳେ ବିକଳ୍ପ ରୋଜଗାର ପାଇବେ, ସେତେବେଳେ ଜଙ୍ଗଲ ଉପରେ ଚାପ କମିବ ଓ ପରିବେଶ ସୁରକ୍ଷା ସୁନିଶ୍ଚିତ ହେବ।" କେନ୍ଦୁଝର ବନଖଣ୍ଡରେ ଏହି ମଡେଲ୍ର ସଫଳତା ଏବେ ରାଜ୍ୟର ଅନ୍ୟ ବନାଞ୍ଚଳ ପାଇଁ ପ୍ରେରଣା ପାଲଟିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।