CM Vijay Corruption Action: ଦୁର୍ନୀତି ବିରୋଧରେ କଡ଼ା ଆକ୍ସନ ନେଲେ ସିଏମ୍! ୭ ଅଧିକାରୀ ନିଲମ୍ବିତ

Jul 19, 2026 - 11:43
CM Vijay Corruption Action: ଦୁର୍ନୀତି ବିରୋଧରେ କଡ଼ା ଆକ୍ସନ ନେଲେ ସିଏମ୍! ୭ ଅଧିକାରୀ ନିଲମ୍ବିତ

ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଆହୁରି ଜୋରଦାର ହୋଇଛି। ଦୁର୍ନୀତି ବିରୋଧରେ 'ଜିରୋ ଟଲେରାନ୍ସ' ନୀତିକୁ ଆଧାର କରି ଚେନ୍ନାଇ କର୍ପୋରେସନ (GCC) ୭ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ଏହି କାର୍ଯ୍ୟାନୁଷ୍ଠାନ ପଛରେ ରହିଛି ଆକସ୍ମିକ ଚଢ଼ାଉ ବେଳେ ମିଳିଥିବା ବେହିସାବ ଟଙ୍କା ଓ ସନ୍ଦେହଜନକ ଡିଜିଟାଲ କାରବାରର ପ୍ରମାଣ।

ଗତ ସପ୍ତାହରେ ଗ୍ରେଟର ଚେନ୍ନାଇ କର୍ପୋରେସନ (GCC) ପକ୍ଷରୁ ଜୋନ୍–୬ ଓ ଜୋନ୍–୯ରେ ଆକସ୍ମିକ ଚଢ଼ାଉ କରାଯାଇଥିଲା। ଯାଞ୍ଚ ବେଳେ କେତେକ ଅଧିକାରୀଙ୍କ ପାଖରୁ ବେହିସାବ ନଗଦ ଟଙ୍କା ସହ ସନ୍ଦେହଜନକ ଡିଜିଟାଲ କାରବାର ତଥ୍ୟ ମିଳିଥିଲା। ଜିସିସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତାଙ୍କ GPay ଆକାଉଣ୍ଟରେ ହୋଇଥିବା ୨.୩୯ ଲକ୍ଷ ଟଙ୍କାର କାରବାର ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।

DVAC ରିପୋର୍ଟ ପରେ କଡ଼ା କାର୍ଯ୍ୟାନୁଷ୍ଠାନ

ଶୁକ୍ରବାର ତାମିଲନାଡୁ ଭିଜିଲାନ୍ସ ଓ ଆଣ୍ଟି-କରପ୍ସନ୍ ନିର୍ଦ୍ଦେଶାଳୟ (DVAC) ପକ୍ଷରୁ ମିଳିଥିବା ରିପୋର୍ଟ ଆଧାରରେ ୭ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ମଧ୍ୟ ରୁଜୁ ହୋଇଛି। ଏହାର କିଛି ଦିନ ପୂର୍ବରୁ ମଧ୍ୟ ଲାଞ୍ଚ କାରବାର, ଜାଲି ବିଲିଂ ଓ ଚାକିରି ଦେବା ନାଁରେ ଟଙ୍କା ଆଦାୟ ଅଭିଯୋଗରେ GCCର ଅନ୍ୟ ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା।

ଦୁଇ ଦଶନ୍ଧି ଧରି ଚାକିରି କରୁଥିବା ଅଧିକାରୀ ବି ରାଡାରରେ

ନିଲମ୍ବିତ ଅଧିକାରୀଙ୍କ ମଧ୍ୟରୁ ଅନେକ ବର୍ଷ ଧରି ପୌର ନିଗମରେ କାର୍ଯ୍ୟରତ ଥିଲେ। କେତେକ ପ୍ରାୟ ୨୦ ବର୍ଷ ଧରି ସେବା ଦେଇଆସୁଥିଲେ। ତଦନ୍ତରେ ଯଦି ସେମାନେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ କେବଳ ନିଲମ୍ବନ ନୁହେଁ, ଚାକିରିରୁ ସ୍ଥାୟୀ ବହିଷ୍କାର କରିବାକୁ ମଧ୍ୟ GCC ବିଚାର କରୁଛି।

'ଜିରୋ ଟଲରାନ୍ସ' ନୀତିରେ ଅଟଳ ସରକାର

ଜିସିସି କମିଶନର ସମୀରନ କହିଛନ୍ତି, ଏହି ସମସ୍ତ ପଦକ୍ଷେପ ମୁଖ୍ୟମନ୍ତ୍ରୀ ବିଜୟଙ୍କ 'ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା' ନୀତିର ଅଂଶ। ସରକାରଙ୍କ ବାର୍ତ୍ତା ସ୍ପଷ୍ଟ ଦୁର୍ନୀତି ପ୍ରତି କୌଣସି ପ୍ରକାର କୋହଳ ଦେଖାଯିବ ନାହିଁ।

ନିଜ ଦଳର ନେତାଙ୍କ ବିରୋଧରେ ବି ଆକ୍ସନ୍

ଦୁର୍ନୀତି ବିରୋଧୀ ଅଭିଯାନ କେବଳ ସରକାରୀ ଅଧିକାରୀଙ୍କ ମଧ୍ୟରେ ସୀମିତ ନାହିଁ। ସମ୍ପ୍ରତି ଟିଭିକେ (TVK)ର ଜଣେ ପଞ୍ଚାୟତ ନେତା ଲାଞ୍ଚ ନେଉଥିବାର ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଚମତ୍କାର କଥା ହେଉଛି, ଏଫ୍‌ଆଇଆର୍‌ ରୁଜୁ ହେବା ପୂର୍ବରୁ ହିଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

ଲାଞ୍ଚ ଅଭିଯୋଗ ପାଇଁ WhatsApp ହେଲ୍ପଲାଇନ୍

ଦୁର୍ନୀତି ବିରୋଧରେ ସାଧାରଣ ଲୋକଙ୍କ ସହଭାଗିତା ବଢ଼ାଇବା ପାଇଁ TVK ସରକାର ଏକ ସ୍ୱତନ୍ତ୍ର WhatsApp ହେଲ୍ପଲାଇନ୍ ମଧ୍ୟ ଆରମ୍ଭ କରିଛନ୍ତି। ଡିଭିଏସି DVAC ପରିଚାଳିତ ଏହି ବ୍ୟବସ୍ଥା ମାଧ୍ୟମରେ ଲୋକମାନେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଓ ପ୍ରମାଣ ସିଧାସଳଖ ଦାଖଲ କରିପାରିବେ।

ନିର୍ବାଚନୀ ପ୍ରତିଶ୍ରୁତିକୁ କାର୍ଯ୍ୟରେ ପରିଣତ କରୁଛି TVK?

ଦୁର୍ନୀତି ବିରୋଧୀ ଲଢ଼େଇ TVKର ନିର୍ବାଚନୀ ପ୍ରଚାରର ମୁଖ୍ୟ ପ୍ରସଙ୍ଗ ଥିଲା। ପ୍ରଚାର ସମୟରେ ବିଜୟ DMK ଓ AIADMK ଉପରେ ବାରମ୍ବାର ଦୁର୍ନୀତିର ଅଭିଯୋଗ ଆଣି ସ୍ୱଚ୍ଛ ଶାସନର ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନର ଏହି ଲଗାତାର କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ବିଶ୍ଳେଷକମାନେ TVKର ଦୁର୍ନୀତି ବିରୋଧୀ ଛବିକୁ ଅଧିକ ସୁଦୃଢ଼ କରିବାର ଉଦ୍ୟମ ବୋଲି ମନେ କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।