Climate Panchayat: ଶିଶୁଙ୍କ ନାମରେ ଗଛ ଲଗାଇବାକୁ ବିଧାୟକଙ୍କ ଆହ୍ୱାନ

Aug 25, 2026 - 20:04
Climate Panchayat: ଶିଶୁଙ୍କ ନାମରେ ଗଛ ଲଗାଇବାକୁ ବିଧାୟକଙ୍କ ଆହ୍ୱାନ

"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ "ସମ୍ବାଦ" ପରିବାର ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ "ପରିବେଶ ପଞ୍ଚାୟତ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। "ସମ୍ବାଦ"ର ଜିଲ୍ଲା ପ୍ରତିନିଧି ସୁଜିତ ବିଷୋୟୀଙ୍କ ନେତୃତ୍ଵରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ବୃଷଭ ପଞ୍ଚାୟତର ଦୁର୍ଗମ ତଥା ସୁଉଚ୍ଚ ପାହାଡ଼ ଉପରେ ଅବସ୍ଥିତ ତାଲାସିଂ ଗ୍ରାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ଭୂସ୍ଖଳନ ରୋକିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା।

Advertisment କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ.

ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ଥାନୀୟ ସମିତି ସଭ୍ୟ ବୁଲୁ ରଇତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଗ୍ରାମବାସୀ, ଯୁବକ, ମହିଳା, ଜନପ୍ରତିନିଧି ଓ ବୁଦ୍ଧିଜୀବୀମାନଙ୍କ ଉପସ୍ଥିତିରେ ପରିବେଶ ସୁରକ୍ଷାକୁ ନେଇ ସମୂହ ଆଲୋଚନା କରାଯାଇଥିଲା।

ନିଜ ଅଭିଭାଷଣରେ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ପାହାଡ଼, ଜଙ୍ଗଲ ଓ ସବୁଜିମା ହେଉଛି ପ୍ରକୃତିର ଅମୂଲ୍ୟ ସମ୍ପଦ।

ଏହା କେବଳ ପରିବେଶକୁ ସୁସ୍ଥ ରଖି ନଥାଏ, ବରଂ ମଣିଷର ସ୍ୱାସ୍ଥ୍ୟ, ଜୀବନଯାପନ ଓ ଆଗାମୀ ପିଢ଼ିର ଭବିଷ୍ୟତ ସହ ସିଧାସଳଖ ଭାବେ ଜଡ଼ିତ।

ଅମ୍ଳଜାନ ଯୋଗାଣଠାରୁ ଆରମ୍ଭ କରି ବର୍ଷାର ସନ୍ତୁଳନ ରକ୍ଷା, ଜଳସ୍ତର ବୃଦ୍ଧି ଓ ଜୀବବିବିଧତାର ସଂରକ୍ଷଣ ପର୍ଯ୍ୟନ୍ତ ଗଛର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଆପଣଙ୍କ ଅଞ୍ଚଳ ପ୍ରାକୁତିକ ସମ୍ପଦ ଭରପୁର ହୋଇ ରହିଛି ତେଣୁ କୌଣସି ପରିସ୍ଥିତିରେ ଅନାବଶ୍ୟକ ଭାବେ ଗଛ କାଟି ପରିବେଶକୁ ନଷ୍ଟ କରିବା ଉଚିତ ନୁହେଁ ବୋଲି ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ସେ ଏକ ନିଆରା ବାର୍ତ୍ତା ଦେଇ ଗ୍ରାମର ପ୍ରତ୍ୟେକ ଶିଶୁଙ୍କ ନାମରେ ସେମାନଙ୍କ ବାପାମାଆ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଆହ୍ୱାନ ଜଣାଇଥିଲେ।

ଏଥିପାଇଁ ଆବଶ୍ୟକ ଚାରା ଯୋଗାଣର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ଶିଶୁ ଓ ଗଛ ମଧ୍ୟରେ ଭାବନାତ୍ମକ ସମ୍ପର୍କ ଗଢ଼ିଉଠିଲେ ପରିବେଶ ସୁରକ୍ଷା ଆନ୍ଦୋଳନ ଅଧିକ ସଫଳ ହେବ ବୋଲି ସେ କହିଥିଲେ। “ଯେଭଳି ଆପଣମାନେ ନିଜ ଶିଶୁଙ୍କୁ ସ୍ନେହ, ଯତ୍ନ ଓ ମମତାରେ ବଡ଼ କରନ୍ତି, ସେହିଭଳି ଗଛର ମଧ୍ୟ ଯତ୍ନ ନିଅନ୍ତୁ।

ଆପଣଙ୍କ ଶିଶୁ ବଡ଼ ହୋଇ ଭବିଷ୍ୟତରେ ଆପଣଙ୍କ ସେବା କରିବ, ସେହିପରି ଏହି ଗଛ ବଡ଼ ହୋଇ ଆପଣଙ୍କ ସନ୍ତାନ ଓ ଆଗାମୀ ପିଢ଼ିକୁ ଫଳ, ଫୁଲ, ଅମ୍ଳଜାନ ଓ ସୁସ୍ଥ ପରିବେଶ ପ୍ରଦାନ କରିବ, ବୋଲି ବିଧାୟକ କହିଥିଲେ।

ଆଗରପଡ଼ା ମହାବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଉପସ୍ଥିତ ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ପାହାଡ଼ିଆ ଅଞ୍ଚଳରେ ବଢ଼ୁଥିବା ଭୂସ୍ଖଳନ ସମସ୍ୟା ନେଇ ମତ ରଖିଥିଲେ।

ସେମାନଙ୍କ ମତରେ ପାହାଡ଼ ଉପରେ ଥିବା ବଡ଼ ବଡ଼ ଗଛକୁ କାଟି ଜମି ପଦା କରିବା ଏବଂ ଅନିୟନ୍ତ୍ରିତ ଭାବେ ଅନ୍ୟ ଚାଷ କରିବା ଭୂସ୍ଖଳନର ଏକ ପ୍ରମୁଖ କାରଣ।

ଜଙ୍ଗଲ ଧ୍ୱଂସ ହେବା ଫଳରେ ପାହାଡ଼ର ମାଟି ବନ୍ଧି ରହିପାରୁନାହିଁ ଏବଂ ଲଗାଣ ବର୍ଷା ସମୟରେ ଭୂସ୍ଖଳନ ଘଟୁଛି।

ତେଣୁ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଓ ବୃକ୍ଷରୋପଣ ହିଁ ଏହାର ସ୍ଥାୟୀ ସମାଧାନ ବୋଲି ସେମାନେ ମତ ଦେଇଥିଲେ।

ଶେଷରେ ଉପସ୍ଥିତ ସମସ୍ତେ ପରିବେଶ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ବ୍ୟାପକ ବୃକ୍ଷରୋପଣ ପାଇଁ ସଙ୍କଳ୍ପ ନେଇଥିଲେ।

କନକ ନିଉସର ଗଜପତି ଜିଲ୍ଲା ପ୍ରତିନିଧି ସୀତାନାଥ ପଣ୍ଡା, ସରୋଜ ବିର, ପ୍ରଭାତ ପାତ୍ର, ବିଶ୍ଵସ୍ଥ ଲିମା, କୃଷ୍ଣ ବେହେରା, ମାନୁଏଲ ମାଛ, ମସିହ ରଇତ, ରିଙ୍କୁ ଲିମ୍ମା, ଲୁଲୁ ଲିମା, ସ୍ଥାନୀୟ ଜନପ୍ରତିନିଧି, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ବହୁ ଅଞ୍ଚଳବାସୀ ଏଥିରେ ଯୋଗଦେଇ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)