Child Abuse: ବେଙ୍ଗାଲୁରୁ ଡେ-କେୟାରରେ ଶିଶୁଙ୍କ ଉପରେ ଅକଥନୀୟ ନିର୍ଯାତନା

Jul 02, 2026 - 00:26
Child Abuse: ବେଙ୍ଗାଲୁରୁ ଡେ-କେୟାରରେ ଶିଶୁଙ୍କ ଉପରେ ଅକଥନୀୟ ନିର୍ଯାତନା

"ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଡେ-କେୟାର କେନ୍ଦ୍ରରେ ଦୁଇରୁ ତିନି ବର୍ଷ ବୟସର ଶିଶୁମାନଙ୍କ ଉପରେ ଅମାନବୀୟ ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସିଛି।

ଏହି ଘଟଣା ସହ ଜଡ଼ିତ କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଏହି ଡେ-କେୟାର କେନ୍ଦ୍ରଟି ବେଙ୍ଗାଲୁରୁର ଏଚ୍‌ଏଏଲ୍‌ ପରିସରରେ ଥିବା କ୍ୟାପ୍‌ଜେମିନି କମ୍ପାନି କ୍ୟାମ୍ପସ ଭିତରେ ପରିଚାଳିତ ହେଉଥିଲା।

ଘଟଣାରେ ଶିଶୁମାନଙ୍କ ଯତ୍ନ ନେଉଥିବା ୫ ଜଣ ମହିଳାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।Advertisment ଅଭିଯୋଗ ଅନୁସାରେ, କାନ୍ଦୁଥିବା ଶିଶୁମାନଙ୍କୁ ଚୁପ୍ କରାଇବା ପାଇଁ ସେମାନଙ୍କୁ ସାମ୍ନାପଟୁ ଖୋଲୁଥିବା ୱାସିଂ ମେସିନ୍‌ର ଡ୍ରମ୍‌ ଭିତରେ ବସାଇ ଦିଆଯାଉଥିଲା।

ଏଥିସହ ଟଏଲେଟ୍‌ର ଜେଟ୍‌ ସ୍ପ୍ରେରେ ସେମାନଙ୍କ ମୁହଁରେ ପାଣି ଛିଞ୍ଚାଯାଉଥିଲା।

ବେଳେବେଳେ ପିଲାଙ୍କୁ ବାଥ୍‌ରୁମ୍‌ ଭିତରେ ବନ୍ଦ କରି ରଖାଯାଉଥିଲା।

ଏହି ଭିଡିଓ ପ୍ରକାଶ ପାଇବା ପରେ ଅଭିଭାବକମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଓ ଚିନ୍ତା ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଡେ-କେୟାର କେନ୍ଦ୍ରରେ ନିଜ ସନ୍ତାନଙ୍କୁ ରଖି କ୍ୟାପ୍‌ଜେମିନିରେ କାମ କରୁଥିବା କର୍ମଚାରୀମାନେ ଏହି ଘଟଣାରେ ସବୁଠାରୁ ଅଧିକ ମର୍ମାହତ ହୋଇଛନ୍ତି।

ସେମାନେ ଶିଶୁମାନଙ୍କ ସୁରକ୍ଷା ପାଇଁ ଡେ-କେୟାର ଉପରେ ଭରସା କରିଥିଲେ।

କିନ୍ତୁ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ କର୍ପୋରେଟ୍‌ କ୍ୟାମ୍ପସ ଭିତରେ ଚାଲୁଥିବା ଶିଶୁ ଯତ୍ନ କେନ୍ଦ୍ରଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଓ ନିରୀକ୍ଷଣ ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି।

ଘଟଣା ଜଣାପଡ଼ିବା ପରେ ପୁଲିସରେ ଅଭିଯୋଗ ଦାଖଲ ହେବା ସହ କର୍ଣ୍ଣାଟକ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ମଧ୍ୟ ପୃଥକ୍ ଅଭିଯୋଗ କରାଯାଇଛି।

ପୁଲିସ ଭାଇରାଲ ଭିଡିଓର ସତ୍ୟତା ଯାଞ୍ଚ କରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି।

ଅଭିଯୁକ୍ତ ୫ ଜଣ ମହିଳାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାବେଳେ ଘଟଣାଟି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।

ଡେ-କେୟାର କେନ୍ଦ୍ରଗୁଡ଼ିକରେ କଡ଼ା ନିରୀକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଅଭିଭାବକ ଓ ଶିଶୁ ଅଧିକାର କର୍ମୀମାନେ ଦାବି କରିଛନ୍ତି।

"