Chief Minister: ମୁଖ୍ୟମନ୍ତ୍ରୀଙ୍କୁ ଶିଳ୍ପପତି, ଶିଳ୍ପ ସଂଘର ସମ୍ବର୍ଦ୍ଧନା: ‘ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିବା ଲକ୍ଷ୍ୟ’
ଭୁବନେଶ୍ୱର: ନିତି ଆୟୋଗ ଦ୍ୱାରା ପ୍ରକାଶିତ ନିବେଶ ଅନୁକୂଳ ସୂଚୀ-୨୦୨୬ରେ ଓଡିଶା ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଲୋକସେବା ଭବନରେ ରାଜ୍ୟର ବିଭିନ୍ନ ଶିଳ୍ପପତି, ଶିଳ୍ପ ପ୍ରତିନିଧି ଓ ଶିଳ୍ପ ସଂଘର କର୍ମକର୍ତ୍ତାମାନେ ଭେଟି ସମ୍ବର୍ଦ୍ଧିତ କରିଛନ୍ତି। ପୂର୍ବ ଓ ଉତ୍ତର ଭାରତରୁ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଏହି ମାନ୍ୟତା ପାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିତି ଆୟୋଗର ଏହି ମାନ୍ୟତା ଆମ ପାଇଁ ଖୁବ୍ ଉତ୍ସାହଜନକ। ଏହାଦ୍ୱାରା ଟିମ୍ ଓଡିଶା ଓ ଉଦ୍ୟୋଗୀମାନଙ୍କର ମନୋବଳ ବୃଦ୍ଧି ପାଇଛି। କେବଳ ଶିଳ୍ପ କ୍ଷେତ୍ରରେ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡିଶାକୁ ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନିତ କରିବା ଆମର ଲକ୍ଷ୍ୟ। ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆମେ କଥା ଦେଇଥିଲୁ। ମାତ୍ର ୨ ବର୍ଷରେ ତାହା ୩ ଲକ୍ଷ କୋଟି ଟଙ୍କା ଟପି ଗଲାଣି। ଓଡିଶାରେ ଶିଳ୍ପାୟନ ପ୍ରକ୍ରିୟା ଡେରିରେ ଆରମ୍ଭ ହେଲେ ମଧ୍ୟ ଆମେ ବହୁତ ଦ୍ରୁତ ଗତିରେ ଆଗକୁ ବଢୁଛୁ। ଆମକୁ ଏହି ଗତି ବଜାୟ ରଖିବାକୁ ହେବ। ୫ ବର୍ଷରେ ପୁଞ୍ଜିନିବେଶକୁ ୫ ଗୁଣ କରିବା ଲକ୍ଷ୍ୟରେ ଆମେ କାମ କରିବୁ ବୋଲି ସେ କହିଥିଲେ।
ସେ କହିଲେ, ୨ ବର୍ଷ ମଧ୍ୟରେ ଆମେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିପାରିଛୁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ୪୫୩ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହାଦ୍ୱାରା ୯.୫୦ ଲକ୍ଷ କୋଟି ଟଙ୍କା ନିବେଶ ଆସିବ। ଗତ ଦୁଇ ବର୍ଷରେ ଆମେ ୩.୧୧ ଲକ୍ଷ କୋଟି ଟଙ୍କାର ୧୫୨ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛୁ। ଏହା ଦ୍ୱାରା ୨.୫୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସବୁ ଜିଲ୍ଲାରେ ଶିଳ୍ପାୟନ ସହ ରୋଜଗାର ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ କାମ କରୁଛୁ।
ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଥିଲେ ଯେ ଏବେ ଓଡିଶା ଆଉ ସମ୍ଭାବନାର ରାଜ୍ୟ ଭାବେ ନୁହେଁ, ବରଂ ସଫଳତା ପ୍ରଦର୍ଶନର ରାଜ୍ୟ ଭାବେ ପରିଣତ ହୋଇଛି। ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମୁଖ୍ୟ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଇପିକଲ୍ର ପରିଚାଳନା ନିର୍ଦ୍ଦେଶିକା ଆବୋଲି ସୁନୀଲ ନରଭାଣେ, ସିଆଇଆଇ ଓଡିଶାର ଅଧ୍ୟକ୍ଷ ଅନିଲ ସିଂହ, ଆଇସିସି ଓଡିଶାର ଅଧ୍ୟକ୍ଷ ରାଜୀବ ସାହୁ ଓ ସିଆଇଆଇର ପ୍ରତିନିଧି ସୁବ୍ରତ ତ୍ରିପାଠୀ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।