Chhattisgarh: ଚାରିପଟୁ ଘେରିଦେଲାଣି ଛତିଶଗଡ଼

ଜ୍ଞାନବ୍ରତ ଭୋଇ
ଝାରସୁଗୁଡ଼ା: କାଳ ହେଲାଣି ଛତିଶଗଡ଼ର ଖେଳ। ମହାନଦୀର ମୁଖ୍ୟସ୍ରୋତରୁ ଆରମ୍ଭ କରି ଇବ୍ ନଦୀ ସମେତ ବଡ଼କେଲୋ, ସାନକେଲୋ ଯାଏଁ ଅବରୋଧ କରିଦେଇଛି ଛତିଶଗଡ଼। ଏପରିକି ଛୋଟଛୋଟ ନଈ, ନାଳର ପାଣି ବି ଅଟକାଇ ଦେଲାଣି। ରାଜ୍ୟସଭାରେ ୩ ବର୍ଷ ତଳେ କେନ୍ଦ୍ର ସରକାର ଦେଇଥିବା ତଥ୍ୟରେ ଛତିଶଗଡ଼ ସରକାର ମହାନଦୀ ବେସିନ୍ରେ ୧୬୧୫ ପ୍ରକଳ୍ପ କରି ସାରିଛି। ଏହାବାଦ୍ ଏହି ୩ ବର୍ଷ ମଧ୍ୟରେ ଛୋଟଛୋଟ ନାଳ ଉପରେ ବି ବନ୍ଧବାନ୍ଧି ପାଣି ଅଟକାଇ ସାରିଛି। ଏଭଳି ସ୍ଥିତିରେ ଛତିଶଗଡ଼ ସୀମାନ୍ତରେ ଥିବା ଝାରସୁଗୁଡ଼ାରୁ ଆରମ୍ଭ କରି ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ଯାଏଁ ସମସ୍ତେ ପାଣି ଅଭାବରୁ ଛଟପଟ ହେଉଛନ୍ତି। ବିଶେଷ କରି ପାନୀୟ ଜଳରୁ ଆରମ୍ଭ କରି ଜଳସେଚନ, ଗୋପାଳନ ସାଂଘାତିକ ଭାବେ ପ୍ରଭାବିତ ହୋିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏହି ସବୁ ପ୍ରାକୃତିକ ଉତ୍ସ ବାଲିଚର ହେବା ଯୋଗୁଁ ଭୂତଳ ଜଳସ୍ତର ବି ହ୍ରାସ ପାଇବାରେ ଲାଗିଛି।
ମହାନଦୀ ଅବବାହିକାର ୮୦ ପ୍ରତିଶତ ଛତିଶଗଡ଼ରେ ରହିଛି।
Land acquisition: ସହଜ ହେଉନି ଜମି ଅଧିଗ୍ରହଣ ପ୍ରକ୍ରିୟା
୮୩,୪୦୦ ବର୍ଗ କିମି ପରିବ୍ୟାପ୍ତ ଅବବାହିକାରେ ଶତାଧିକ ନଈ ନାଳ ରହିଛି। ଆଉ ଏହାର ଭରପୂର ଫାଇଦା ଉଠାଉଛି ସେଠାକାର ସରକାର। ୪ ଦଶନ୍ଧି ତଳୁ ଛତିଶଗଡ଼ ସରକାର ମହାନଦୀ ସମେତ ଏହାର ସମସ୍ତ ଶାଖା, ପ୍ରଶାଖା ନଦୀରେ ମନଇଚ୍ଛା ବନ୍ଧ, ବ୍ୟାରେଜ୍ ଓ ଆନିକଟ ନିର୍ମାଣ କରିବା ଆରମ୍ଭ କରିଥିଲା। ମହାନଦୀର ପ୍ରମୁଖ ଶାଖା ଭାବେ ପରିଚିତ ବିଲାସପୁର ସହର ଦେଇ ପ୍ରବାହିତ ଅର୍ପା ନଦୀରେ ବନ୍ଧ ନିର୍ମାଣ କାମ ପ୍ରାୟ ୬୦ ପ୍ରତିଶତ ସାରିବା ପରେ ଓଡ଼ିଶାର ଅନୁମତି ଲୋଡ଼ିଥିଲା। ସେହି ଅନୁମତି ଆବେଦନ ହିଁ ଦୁଇ ରାଜ୍ୟ ମଧ୍ୟରେ ମହାନଦୀ ଜଳ ବିବାଦକୁ ଜନ୍ମ ଦେଇଥିଲା। ସେତେବେଳକୁ ମହାନଦୀର ମୁଖ୍ୟସ୍ରୋତରେ କଲମା, ସରାଡିହି, ବସନ୍ତପୁର, ମିରୋନି, ସମୋଡ଼ା, ଶିବରିନାରାୟଣ ଆଦି ୬ଟି ବ୍ୟାରେଜ୍ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା। ୨୦୧୮ ସୁଦ୍ଧା ବିବାଦ ଉଗ୍ର ରୂପ ଧରିବା ବେଳକୁ ଏହି ୬ଟି ଯାକ ପ୍ରକଳ୍ପ କାମ ସାରି ପାଣି ଅଟକାଇବା ଆରମ୍ଭ କରି ଦେଇଥିଲା ଛତିଶଗଡ଼।
Access to water: ପାହାଡ଼ ଉପର ଗାଁକୁ ପାଣି, ବିଜୁଳି, ସ୍ବାସ୍ଥ୍ୟ, ଶିକ୍ଷା ଅପହଞ୍ଚ
ସେହିପରି ୧୫ ବର୍ଷ ତଳୁ ଓଡ଼ିଶା ଦେଇ ପ୍ରବାହିତ ହୋଇଥିବାଅନ୍ୟତମ ପ୍ରମୁଖ ଶାଖା ନଦୀ ବଡ଼କେଲୋରେ ରାୟଗଡ଼ଠାରେ ବନ୍ଧ ନିର୍ମାଣ କରି ଶିଳ୍ପ ସଂସ୍ଥାକୁ ପାଣି ବିକ୍ରି କରୁଛି ଛତିଶଗଡ଼। ଆଉ ମହାନଦୀର ଉପରମୁଣ୍ଡରେ ସବୁଠୁ ବଡ଼ ଶାଖା ନଦୀ ଭାବେ ପରିଚିତ ଇବ୍ ନଦୀରେ ଛତିଶଗଡ଼ ସରକାର ଯଶପୁର ଜିଲ୍ଲାର ସମଡମାଠାରେ ଏକ ବନ୍ଧ ନିର୍ମାଣ କରି ପାଣି ଅଟକାଇ ଦେଇଛି। ଫଳରେ ହୀରାକୁଦ ଜଳଭଣ୍ଡାର ଉପରେ ଗଭୀର ପ୍ରଭାବ ପଡୁଛି। ସାନକେଲୋ ନଦୀ ଭଳି ଛୋଟଛୋଟ ପ୍ରାକୃତିକ ନାଳକୁ ବି ଛତିଶଗଡ଼ ଛାଡ଼ିନି। ସାନକେଲୋରେ ଓଡ଼ିଶା ସୀମା ଉପରେ ବେଲେରିଆରୁ ଆରମ୍ଭ କରି ମନୁଆପାଲି ଯାଏଁ ଦୁଇଟି ସ୍ଥାନରେ ବନ୍ଧବାନ୍ଧି ପାଣି ଅଟକାଇ ସାରିଛି।
ଏହି ସମସ୍ତ ନଦୀ ନାଳ ଅବରୋଧ ହେବା ଯୋଗୁଁ ଏହାର ଭୟଙ୍କର ପ୍ରଭାବ ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର ଅଧିବାସୀଙ୍କୁ ଭୋଗିବାକୁ ପଡୁଛି। ସୁନ୍ଦରଗଡ଼ ଜିଲ୍ଲାର ସଦର ବ୍ଲକ ସମେତ ବାଲିଶଙ୍କରା ବ୍ଲକରେ ସ୍ଥିତି ଉଦ୍ବେଗଜନକ ହେଉଛି। ମହାନଦୀର ମୁଖ୍ୟ ସ୍ରୋତ ଶୁଖିଲା ପଡ଼ିବା କାରଣରୁ ଝାରସୁଗୁଡ଼ାର ଲଖନପୁର, ବରଗଡ଼ର ଅମ୍ବାଭୋନାରେ ସବୁ ଜଳସେଚନ ପ୍ରକଳ୍ପ ଠପ୍ ପଡ଼ିଲାଣି। ସେହିପରି ଇବ୍ ନଦୀର ଧାର ଶୁଖିବା ଯୋଗୁଁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ସହରାଞ୍ଚଳ ଜଳଯୋଗାଣ ଗଭୀର ପ୍ରଭାବିତ ହୋଇଛି। ଜଳସେଚନରୁ ଗୋପାଳନ ସବୁ ଠପ୍ ପଡ଼ିଛି। ଅନ୍ୟପଟେ, ବଡ଼କେଲୋ ଓ ସାନକେଲୋ ଅବରୋଧର ପ୍ରଭାବ ଯୋଗୁଁ ଲଖନପୁର ବ୍ଲକର ୯ଟି ପଞ୍ଚାୟତ ଘୋର ଦୁର୍ଦ୍ଦଶା ଦେଇ ଗତି କରୁଛି। ବିଶେଷ କରି ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ ଅକାମୀ ହୋଇଗଲାଣି। ଏହି ପରିପ୍ରେକ୍ଷୀରେ ମହାନଦୀ ଟ୍ରିବ୍ୟୁନାଲ୍ରେ ଆପୋସ ସମାଧାନ ନେଇ କଥାବାର୍ତ୍ତା ଚାଲିଥିବା ବେଳେ ଛତିଶଗଡ଼ ଅବରୋଧ କରିଥିବା ପାଣି ଛାଡ଼ିବା ନେଇ ସନ୍ଦେହ ସୃଷ୍ଟି ହେଲାଣି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।