Chaturmas 2026 Guide: ଚତୁର୍ମାସ ଆରମ୍ଭ; ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ; ନଚେତ ହୋଇପାରେ ବିଭିନ୍ନ ରୋଗ

Jul 26, 2026 - 15:57
Chaturmas 2026 Guide: ଚତୁର୍ମାସ ଆରମ୍ଭ; ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ; ନଚେତ ହୋଇପାରେ ବିଭିନ୍ନ ରୋଗ

ହିନ୍ଦୁ ଧର୍ମରେ ଚତୁର୍ମାସର ବିଶେଷ ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ଆଷାଢ଼ ଶୁକ୍ଳ ପକ୍ଷର ଦେବଶୟନୀ ଏକାଦଶୀଠାରୁ ଚତୁର୍ମାସ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ପକ୍ଷର ଦେବଉଠଣୀ ଏକାଦଶୀରେ ଶେଷ ହୁଏ। ଏହି ଚାରି ମାସ ମଧ୍ୟରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହୁଥିବା ବିଶ୍ୱାସ ରହିଛି। ତେଣୁ ଏହି ସମୟରେ ଜପ, ତପ, ବ୍ରତ, ଦାନ ଓ ସାତ୍ତ୍ୱିକ ଜୀବନଶୈଳୀକୁ ବିଶେଷ ଗୁରୁତ୍ୱ ଦିଆଯାଏ।

୨୦୨୬ରେ ୧୧୯ ଦିନ ଚାଲିବ ଚତୁର୍ମାସ:

୨୦୨୬ ମସିହାରେ ଜୁଲାଇ ୨୫ରୁ ଚତୁର୍ମାସ ଆରମ୍ଭ ହୋଇଥିବାବେଳେ ଏହା ନଭେମ୍ବର ୨୦ରେ ଶେଷ ହେବ। ପ୍ରାୟ ୧୧୯ ଦିନ ଧରି ଚାଲିବାକୁ ଥିବା ଏହି ସମୟରେ ଭଗବାନ ବିଷ୍ଣୁ କ୍ଷୀର ସାଗରରେ ଯୋଗନିଦ୍ରାରେ ରୁହନ୍ତି ବୋଲି ପୌରାଣିକ ବିଶ୍ୱାସ ରହିଛି। ଏହି ଅବଧିରେ ଶିବ ସୃଷ୍ଟିର କାର୍ଯ୍ୟଭାର ସମ୍ଭାଳନ୍ତି ବୋଲି କୁହାଯାଏ। ସେଥିପାଇଁ ବିବାହ, ଗୃହ ପ୍ରବେଶ ଭଳି ମାଙ୍ଗଳିକ କାର୍ଯ୍ୟ ସାଧାରଣତଃ କରାଯାଏ ନାହିଁ।

ଚତୁର୍ମାସରେ କ'ଣ ଖାଇବେ ନାହିଁ?

ଧାର୍ମିକ ପରମ୍ପରା ଓ ଆୟୁର୍ବେଦ ଅନୁସାରେ ଚତୁର୍ମାସର ପ୍ରତ୍ୟେକ ମାସରେ କିଛି ଖାଦ୍ୟ ପରିହାର କରିବାକୁ ପରାମର୍ଶ ଦିଆଯାଇଛି।

•    ଶ୍ରାବଣ ମାସ: ପାଳଙ୍ଗ, ମେଥି, ଶାଗ ଭଳି ସବୁଜ ପତ୍ରଯୁକ୍ତ ପନିପରିବା ଖାଇବାରୁ ଦୂରେଇ ରୁହନ୍ତୁ। 
•    ଭାଦ୍ରବ ମାସ: ଦହି, ଛେନା, ଲସୀ ଓ କଢ଼ି ପରି ଦହିଜାତୀୟ ଖାଦ୍ୟ ଖାଇବାକୁ ବାରଣ କରାଯାଇଛି। 
•    ଆଶ୍ୱିନ ମାସ: କ୍ଷୀର ଓ କ୍ଷୀରରୁ ପ୍ରସ୍ତୁତ ପ୍ରମୁଖ ଖାଦ୍ୟର ସେବନ ନ କରିବା ଉତ୍ତମ ବୋଲି ମନାଯାଏ। 
•    କାର୍ତ୍ତିକ ମାସ: ବିରି ଡାଲି, ବାଇଗଣ ଓ ଅଧିକ ତେଲଯୁକ୍ତ ଖାଦ୍ୟ ପରିହାର କରିବାକୁ ପରାମର୍ଶ ଦିଆଯାଏ। 

ଏପରି ନିୟମ କାହିଁକି?

ବର୍ଷା ଋତୁରେ ପରିବେଶରେ ଆର୍ଦ୍ରତା ବଢ଼ିବା ସହିତ ବିଭିନ୍ନ ଜୀବାଣୁ ଓ ସୂକ୍ଷ୍ମଜୀବର ବୃଦ୍ଧି ହୋଇଥାଏ। ଏହାର ପ୍ରଭାବ ଖାଦ୍ୟ ଓ ପାଚନ ପ୍ରକ୍ରିୟା ଉପରେ ପଡ଼ିପାରେ। ସେଥିପାଇଁ ଚତୁର୍ମାସ ସମୟରେ ସାତ୍ତ୍ୱିକ, ହାଲୁକା ଓ ସହଜପାଚ୍ୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ।

ଚତୁର୍ମାସର ଧାର୍ମିକ ମହତ୍ତ୍ୱ:

ଧାର୍ମିକ ବିଶ୍ୱାସ ଅନୁଯାୟୀ, ଚତୁର୍ମାସ ସମୟରେ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ଥିବାରୁ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ସ୍ଥଗିତ ରହିଥାଏ। ଅନ୍ୟପଟେ, ଜପ, ତପ, ପୂଜା, କଥା ଶ୍ରବଣ, ଦାନ, ତୀର୍ଥସେବା ଓ ଭଗବାନ ବିଷ୍ଣୁ ଏବଂ ଶିବଙ୍କ ଆରାଧନାର ବିଶେଷ ଫଳ ମିଳିଥାଏ ବୋଲି କୁହାଯାଏ। ଏହି ସମୟରେ ସାଧୁ-ସନ୍ଥମାନେ ମଧ୍ୟ ଏକ ସ୍ଥାନରେ ରହି ଧର୍ମ ପ୍ରଚାର ଓ ସାଧନା କରିଥାନ୍ତି।

ଧାର୍ମିକ ବିଦ୍ୱାନମାନଙ୍କ ମତରେ, ଚତୁର୍ମାସ କେବଳ ଧାର୍ମିକ ନିୟମ ପାଳନର ସମୟ ନୁହେଁ, ବରଂ ସଂଯମ, ଶୃଙ୍ଖଳା, ସାତ୍ତ୍ୱିକ ଆହାର ଓ ଆତ୍ମଚିନ୍ତନ ମାଧ୍ୟମରେ ଜୀବନକୁ ସନ୍ତୁଳିତ କରିବାର ଏକ ସୁଯୋଗ। ଶ୍ରଦ୍ଧା ଓ ନିୟମ ସହିତ ଏହି ଚାରି ମାସ ପାଳନ କଲେ ଆଧ୍ୟାତ୍ମିକ ଶାନ୍ତି, ସକାରାତ୍ମକ ଶକ୍ତି ଓ ପୁଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।