Para Powerlifter Jhandu Kumar Wins Historic Bronze: ଉପହାସରୁ ଇତିହାସ, ପୋଲିଓକୁ ହରାଇ ଭାରତ ପାଇଁ ଜିତିଲେ କାଂସ୍ୟ ପଦକ
ଦିନେ ଯେଉଁ ନାଁ ପାଇଁ ପରିହାସ ଓ ଉପହାସ ସହିବାକୁ ପଡ଼ୁଥିଲା, ଆଜି ସେହି ନାଁ ସାରା ବିଶ୍ୱରେ ଭାରତର ଗୌରବ ବଢ଼ାଇଛି। ଗ୍ଲାସଗୋ କମନୱେଲଥ୍ ଗେମ୍ସରେ ପାରା ପାୱାରଲିଫ୍ଟିଂରେ କାଂସ୍ୟ ପଦକ ଜିତି ଭାରତ ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି ୨୮ ବର୍ଷୀୟ ଝାଣ୍ଡୁ କୁମାର।
ଗ୍ଲାସଗୋରେ ଆୟୋଜିତ କମନୱେଲଥ୍ ଗେମ୍ସର ପୁରୁଷ ହେଭିୱେଟ୍ ପାରା ପାୱାରଲିଫ୍ଟିଂ ଇଭେଣ୍ଟରେ ଝାଣ୍ଡୁ କୁମାର ୧୩୦.୯ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ପ୍ରଥମ ପ୍ରୟାସରେ ୧୮୧ କିଲୋଗ୍ରାମ ଏବଂ ଦ୍ୱିତୀୟ ପ୍ରୟାସରେ ୧୯୦ କିଲୋଗ୍ରାମ ଓଜନ ସଫଳତାର ସହ ଉଠାଇ ସେ ଏହି ସଫଳତା ପାଇଛନ୍ତି। ସ୍ୱର୍ଣ୍ଣ ପଦକ ପାଇଁ ସେ ୧୯୬ କିଲୋଗ୍ରାମର ଏକ ସାହସିକ ପ୍ରୟାସ କରିଥିଲେ ମଧ୍ୟ ଟେକ୍ନିକାଲ ତ୍ରୁଟି ଯୋଗୁଁ ତାହା ବିଫଳ ହୋଇଥିଲା।
ଐତିହାସିକ ସଫଳତା ପରେ ଝାଣ୍ଡୁ କୁମାର କହିଛନ୍ତି, "ଏହି ଖୁସି ଅତ୍ୟନ୍ତ ଭାବପ୍ରବଣ ଅଟେ। ଗତକାଲି ରାତିରୁ ମୋତେ ଆଦୌ ନିଦ ହୋଇନାହିଁ। ଶୋଇବାକୁ ଚେଷ୍ଟା କଲେ ବି ଆଖିକୁ ନିଦ ଆସୁନାହିଁ। ମୁଁ ନିଜ ଡାଏଟ୍ ଓ ସପ୍ଲିମେଣ୍ଟ ଖର୍ଚ୍ଚ ପାଇଁ ଦିନରେ ଇ-ରିକ୍ସା ଚଲାଉଥିଲି ଏବଂ ସନ୍ଧ୍ୟାରେ ଜିମ୍ରେ ପ୍ରାକ୍ଟିସ୍ କରୁଥିଲି। ଏବେ ମୋର ଯାତ୍ରା କେବଳ ଆରମ୍ଭ ହୋଇଛି, ଆଗକୁ ପାରା ଏସିଆନ୍ ଗେମ୍ସ ଏବଂ ପାରାଲିମ୍ପିକ୍ସ ଅଛି। ସେଠାରେ ୨୩୨ କିଲୋର ବିଶ୍ୱ ରେକର୍ଡ ଭାଙ୍ଗିବା ମୋର ମୁଖ୍ୟ ଲକ୍ଷ୍ୟ।"
୫ ବର୍ଷ ବୟସରେ ପୋଲିଓ ଆକ୍ରାନ୍ତ ହୋଇ ବିକଳାଙ୍ଗ ହୋଇପଡ଼ିଥିଲେ ଝାଣ୍ଡୁ। ଚିକିତ୍ସାରେ ପରିବାରର ସମସ୍ତ ସଞ୍ଚିତ ଅର୍ଥ ଶେଷ ହୋଇଯିବାରୁ ଲୋକମାନେ 'ସବୁ ଝାଣ୍ଡୁ କରିଦେଲା' ବୋଲି କହି ପରିହାସ କରୁଥିଲେ। କିନ୍ତୁ ସେହି ଅପମାନକୁ ସେ ନିଜର ପରିଚୟ ବନାଇଥିଲେ।
ବିହାରର ଗରିବ ପରିବାରରୁ ଆସିଥିବା ଝାଣ୍ଡୁଙ୍କ ବାପା-ମାଆ ଆଜି ବି ପନିପରିବା ବିକ୍ରି କରନ୍ତି। ନିଜର ନିୟମିତ ଖାଦ୍ୟପେୟର ଖର୍ଚ୍ଚ ଉଠାଇବା ପାଇଁ ଝଣ୍ଡୁ ଦିନରେ ଇ-ରିକ୍ସା ଚଲାଉଥିଲେ ଏବଂ ସନ୍ଧ୍ୟାରେ କଠିନ ଅଭ୍ୟାସ କରୁଥିଲେ। ପ୍ରାରମ୍ଭରେ ସଟପୁଟ୍ ଖେଳୁଥିବା ଝଣ୍ଡୁ ପରବର୍ତ୍ତୀ ସମୟରେ କୋଚ୍ଙ୍କ ପରାମର୍ଶରେ ପାୱାରଲିଫ୍ଟିଂକୁ ଆପଣେଇଥିଲେ।
୨୦୨୨ କମନୱେଲଥ୍ ଗେମ୍ସରେ ସୁଧୀରଙ୍କ ସ୍ୱର୍ଣ୍ଣ ପଦକ ବିଜୟରୁ ପ୍ରେରଣା ପାଇ ସେ ଦେଶ ପାଇଁ ପଦକ ଜିତିବାର ସ୍ୱପ୍ନ ଦେଖିଥିଲେ। ବର୍ତ୍ତମାନ ଗାନ୍ଧୀନଗର ସ୍ପୋର୍ଟସ ଅଥୋରିଟି ଅଫ୍ ଇଣ୍ଡିଆ (SAI) କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି।
A spectacular performance by Jhandu Kumar, who has opened India’s medal tally at the #CWG2026 by winning a Bronze in the Men’s Heavyweight Para Powerlifting event! Congratulations to him. His achievement is a powerful reflection of immense strength, unwavering determination and… pic.twitter.com/kMdkU6RRAF
— Narendra Modi (@narendramodi) July 25, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।