Charges On UPI Transactions: ୟୁପିଆଇ ପେମେଣ୍ଟରେ ଲାଗିବ କି ଚାର୍ଜ? ବଡ଼ ଖୁଲାସା କଲେ ରିଜର୍ଭ ବ୍ୟାଙ୍କ ଗଭର୍ନର

Aug 05, 2026 - 15:55
Charges On UPI Transactions: ୟୁପିଆଇ ପେମେଣ୍ଟରେ ଲାଗିବ କି ଚାର୍ଜ? ବଡ଼ ଖୁଲାସା କଲେ ରିଜର୍ଭ ବ୍ୟାଙ୍କ ଗଭର୍ନର

ୟୁପିଆଇ ପେମେଣ୍ଟରେ କଣ ଲାଗିବ ଚାର୍ଜ? ଦେଶର କୋଟି କୋଟି ଡିଜିଟାଲ୍ ପେମେଣ୍ଟ ବ୍ୟବହାରକାରୀଙ୍କ ମନରେ ଏବେ ଏହି ପ୍ରଶ୍ନ। ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଗଭର୍ନର ସଞ୍ଜୟ ମଲହୋତ୍ରା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୟୁପିଆଇ ବ୍ୟବସ୍ଥାକୁ ଚାଲୁ ରଖିବାର ଖର୍ଚ୍ଚ କାହା ନା କାହାକୁ ବହନ କରିବାକୁ ପଡ଼ିବ। ତେବେ ଏବେଠାରୁ କୌଣସି ନିଷ୍କର୍ଷରେ ପହଞ୍ଚିବା ସମୟ ଆସିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ରେପୋ ରେଟ୍ ଘୋଷଣା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୟୁପିଆଇ ଟ୍ରାଞ୍ଜାକ୍ସନ୍‌ରେ ଚାର୍ଜ ଲାଗିବ କି ନାହିଁ ବୋଲି ପଚରାଯିବାରୁ ଆରବିଆଇ ଗଭର୍ନର କହିଥିଲେ, ସରକାର ଏବେ ବି ଆଇନ ସଂଶୋଧନ ପ୍ରକ୍ରିୟାରେ ଅଛନ୍ତି। ତେଣୁ ଏହି ମୁହୂର୍ତ୍ତରେ କୌଣସି ନିଷ୍ପତ୍ତି ବିଷୟରେ କହିବା ଠିକ୍ ହେବ ନାହିଁ। ତେବେ ୟୁପିଆଇ ଭଳି ବିଶାଳ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଚଳାଇବା ପାଇଁ ଖର୍ଚ୍ଚ ହେଉଛି ଏବଂ ସେହି ଖର୍ଚ୍ଚ କାହା ନା କାହାକୁ ବହନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ୟୁପିଆଇ ପେମେଣ୍ଟ ଉପରେ କୌଣସି ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ ବା ଏମଡିଆର୍ ଲାଗୁ ହେଉନାହିଁ। ୨୦୨୦ ମସିହାରୁ ସରକାର ଏହି ଶୁଳ୍କକୁ ବନ୍ଦ କରିଥିଲେ ଏବଂ ବ୍ୟାଙ୍କ ଓ ପେମେଣ୍ଟ କମ୍ପାନୀଙ୍କୁ ସବସିଡି ମାଧ୍ୟମରେ ସହଯୋଗ କରୁଛନ୍ତି। କିନ୍ତୁ ଦିନକୁ ଦିନ ୟୁପିଆଇ କାରବାର ବଢ଼ୁଥିବାରୁ ଏହାର ପରିଚାଳନା ଖର୍ଚ୍ଚ ମଧ୍ୟ ବଢ଼ିଚାଲିଛି।

ଏହି ପରିପ୍ରେକ୍ଷୀରେ ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆଇନରେ ସଂଶୋଧନ ପ୍ରସ୍ତାବ ଆସିଛି। ଆଲୋଚନା ଅନୁଯାୟୀ, ୨ ହଜାର ଟଙ୍କାରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ୍ ଏବଂ ବଡ଼ ବ୍ୟବସାୟୀଙ୍କ କ୍ଷେତ୍ରରେ ୦.୩ରୁ ୦.୫ ପ୍ରତିଶତ ପର୍ଯ୍ୟନ୍ତ ଏମଡିଆର୍ ଲାଗୁ ହୋଇପାରେ। ତେବେ ଛୋଟ ଦୋକାନୀ କିମ୍ବା ସାଧାରଣ ଗ୍ରାହକଙ୍କ ଦୈନନ୍ଦିନ ୟୁପିଆଇ ପେମେଣ୍ଟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।