New Rules for Simple Wedding Ceremonies: ଡିଜେ ଠାରୁ ମେହେନ୍ଦି ଯାଏଁ ବନ୍ଦ! ବିବାହ ପାଇଁ ଚଷା ସମାଜର ବଡ଼ ନିଷ୍ପତ୍ତି
ବାଜିବନି ଡିଜେ। ହେବନି ପ୍ରି-ୱେଡିଂ। ରିଙ୍ଗ୍ ସେରିମୋନି ମନା। ହଲଦୀ, ମେହେନ୍ଦିରେ ରୋକ୍। ଆଡ଼ମ୍ବରର ପ୍ରଦର୍ଶନ ନୁହେଁ...ଏଥର ହେବ ସଂସ୍କାରପୂର୍ଣ୍ଣ ବିବାହ। ସମୟ ସହ ବଦଳିଛି ବିବାହର ରଙ୍ଗ। ପ୍ରି-ୱେଡିଂ, ରିଙ୍ଗ୍ ସେରିମୋନି, ଡିଜେ, ଲକ୍ଷ ଲକ୍ଷ ଟଙ୍କାର ଭୋଜି...ଏତକ ନହେଲେ ବାହାଘର ଭଲ ଲାଗୁନି, ଆଖିକୁ ଭଲ ଦିଶୁନି। ହେଲେ ଦେଖାଶିଖାର ଦୁନିଆ ଭିତରେ ଏସବୁ ଅନେକଙ୍କ ପାଇଁ ପାଲଟିଛି ଆର୍ଥିକ ବୋଝ। ତେଣୁ ବିବାହକୁ ପୁଣି ସରଳ, ସଂସ୍କାରଭିତ୍ତିକ କରିବାକୁ ଆଗେଇ ଆସିଛି ନିଖିଳ ଉତ୍କଳ ଚଷା ସମାଜ। ସମ୍ବଲପୁରରୁ ଆରମ୍ଭ ହୋଇଛି ସରଳ ବିବାହର ନୂଆ ଅଭିଯାନ। ଚଷା ସମାଜର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଆଯାଇଛି କିଛି ବଡ଼ ନିଷ୍ପତ୍ତି। ବିବାହରେ ଡିଜେ, ନିଶା ସେବନ, ଅତ୍ୟଧିକ ବରଯାତ୍ରୀ ଓ ମେହେନ୍ଦି, ହଳଦୀ ଉତ୍ସବ ଭଳି ଅନାବଶ୍ୟକ ଖର୍ଚ୍ଚକୁ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି।
ବିବାହ କେବଳ ଦୁଇଟି ମଣିଷର ମିଳନ ନୁହେଁ, ଦୁଇଟି ପରିବାରର ସଂପର୍କର ଆରମ୍ଭ। କିନ୍ତୁ ଆଜିକାଲି ବିବାହ ମାନେ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ। ଦିନକର ଆଡ଼ମ୍ବର ପାଇଁ ବର୍ଷ ବର୍ଷ ଧରି ଋଣ ଜାଲରେ ଛନ୍ଦି ହେଉଛନ୍ତି ଅନେକ। ଏଭଳି ସମୟରେ ଚଷା ସମାଜର ପଦକ୍ଷେପକୁ ସ୍ବାଗତ କରିଛନ୍ତି ସମାଜ ସଂସ୍କାରକ ଓ ଯୁବପିଢି। ସେମାନଙ୍କ କହିବା କଥା, ଅନାବଶ୍ୟକ ଖର୍ଚ୍ଚ କରିବା ପରିବର୍ତ୍ତେ ସେହି ଅର୍ଥକୁ ନବଦଂପତିଙ୍କ ଭବିଷ୍ୟତ ପାଇଁ ସଞ୍ଚୟ କରିବା ଅଧିକ ବୁଦ୍ଧିମାନର କାମ। ସରଳ ବିବାହ ହେଲେ ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଆର୍ଥିକ ଚାପ କମିବ।
ତେବେ କେବଳ ବିବାହ ନୁହେଁ, ମୃତ୍ୟୁ ପରବର୍ତ୍ତୀ ଶୁଦ୍ଧିକ୍ରିୟାକୁ ମଧ୍ୟ ସରଳ ଭାବେ କରିବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି କେବଳ କାଗଜରେ ସୀମିତ ନ ରହି ସମାଜ ସ୍ତରରେ କାର୍ଯ୍ୟକାରୀ କରିବାକୁ ମଧ୍ୟ ସ୍ଥିର ହୋଇଛି। ଯାହାକୁ ସବୁ ମହଲରେ ଗ୍ରହଣ କରାଯାଇଛି। ଏହି ସରଳ ବିବାହ ଅଭିଯାନ କେବଳ ଗୋଟିଏ ସମାଜରେ ସୀମିତ ରହିବ, ନା ସାରା ରାଜ୍ୟ ପାଇଁ ଉଦାହରଣ ସାଜିବ, ତାହା ଆଗାମୀ ଦିନରେ ଜଣାପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।