Character: ଯଦି କାହାଣୀ ହୁଏ ଚରିତ୍ର
ପରାଗ ଆଚାର୍ଯ୍ୟ
ଭାରତର ଅନ୍ୟତମ ସଫଳ ଅଭିନେତା ଜୟଦୀପ ଅହଲାଵତ ଏକ ସାକ୍ଷାତ୍କାରରେ କହିଥିଲେ- ‘‘ଜଣେ ଅଭିନେତା ନିଜର ଚରିତ୍ରକୁ ନିଷ୍ଠାର ସହ ନିଭେଇବା ଉଚିତ। ଦର୍ଶକଙ୍କୁ, ‘ମୁଁ କେତେ ଭଲ ଅଭିନୟ କରୁଛି’ ବୋଲି ଦେଖେଇବାକୁ ଚେଷ୍ଟା ନ କରି, କାହାଣୀ ଓ ଚରିତ୍ର ପ୍ରତି ସଚ୍ଚୋଟତା ବ୍ୟକ୍ତ କରିବା ହିଁ ଅଭିନୟର ମୂଳ କଥା।’’ କଥାଟିର ଗୁରୁତ୍ବ ଉପଲବ୍ଧି କଲି, ଯେତେବେଳେ ପ୍ରେକ୍ଷାଳୟରେ ସଗର୍ବେ ଚାଲୁଥିବା ଓଡ଼ିଆ ଚଳଚ୍ଚିତ୍ର ‘ଯଦି’ ଦେଖିବାର ସୁଯୋଗ ପାଇଲି। ‘ଯଦି’କୁ କେବଳ ଏକ ଓଡ଼ିଆ ଚଳଚ୍ଚିତ୍ର ଭାବେ ଦେଖିବା ଯଥେଷ୍ଟ ହେବ ନାହିଁ। ଏହାକୁ ଦେଖାଯାଇପାରେ ଓଡ଼ିଆ ସିନେମାର ବଦଳୁଥିବା ଚେହେରାର ଏକ ଛୋଟ ଅଧ୍ୟାୟ ଭାବରେ। ଏଠି କେହି ନାୟକ ନୁହେଁ, ଯାହାର ଏକାକୀ ଅଭିନୟର ପରାକାଷ୍ଠା ଉପରେ ଚଳଚ୍ଚିତ୍ରର ଶ୍ରେୟ ନିର୍ଭର କରିବ। ଏଠାରେ ସମସ୍ତେ ଜଣେ ଜଣେ ଚରିତ୍ର ଅଭିନେତା, ଯେଉଁମାନଙ୍କର ସାମୂହିକ କଳା ପ୍ରଦର୍ଶନର ନିପୁଣତାରେ ଚଳଚ୍ଚିତ୍ରର ଶ୍ରେଷ୍ଠତ୍ବ ପ୍ରତିପାଦିତ ହୋଇଛି। ଯୁବ ଅଭିନେତା ଶୈଳେନ୍ଦ୍ର ‘ଘମାଘୋଟ’, ‘ବରବଧୂ’, ‘ଯଦି’ ପରି ସିନେମା ମାଧ୍ୟମରେ ନିଜର ଅଭିନୟର ପାରଦର୍ଶିତା ଦେଖେଇ ଚାଲିଛନ୍ତି। ମଣିଷ ପାଖରେ ଥିବା ଦକ୍ଷତାକୁ ଲୋକଲୋଚନକୁ ଆଣିବା ପାଇଁ ସବୁବେଳେ ଗୋଟିଏ ମଞ୍ଚର ଆବଶ୍ୟକତା ଥାଏ। ସେ ‘ମଞ୍ଚ’ ଆଜିର ଦୁନିଆରେ ୟୁଟ୍ୟୁବ, ଫେସବୁକ କିମ୍ବା ଇନଷ୍ଟାଗ୍ରାମ। ଏହିସବୁ ସାମାଜିକ ଗଣମାଧ୍ୟମରେ ନିଜର ଅଭିନୟର ଦକ୍ଷତା ଦେଖାଇ ଲୋକଙ୍କର ପ୍ରଶଂସା ସାଉଁଟିଥିବା ଅନେକ କଳାକାର ଏହି ଚଳଚ୍ଚିତ୍ରରେ ନଜର ଆସିଛନ୍ତି। କଳାକାରମାନଙ୍କର ବ୍ୟକ୍ତିଗତ ଶ୍ରେଷ୍ଠତ୍ବ ସାମୂହିକ ସଫଳତାର ରୂପ ନେଇଛି।
Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି
ଓଡ଼ିଆ ସିନେମାର ଭିନ୍ନ ଭିନ୍ନ ପିଢ଼ିକୁ ମନେ ପକେଇଲେ, ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ଉତ୍ତମ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ବାବୁସାନ ମହାନ୍ତିଙ୍କ ଭଳି ଅଭିନେତାମାନେ ନିଜ ନିଜ ସମୟର ଦର୍ଶକଙ୍କ ପାଇଁ ‘ନାୟକ’ର ଭିନ୍ନ ଭିନ୍ନ ଅର୍ଥ ତିଆରି କରିଛନ୍ତି। କିନ୍ତୁ, ଆଜିର ଶୈଳେନ୍ଦ୍ରଙ୍କ ପିଢ଼ିର ଅଭିନେତାମାନଙ୍କ ପାଇଁ ସମସ୍ୟା ଅଲଗା। ଆଜିର ଓଡ଼ିଆ ଦର୍ଶକମାନେ କେବଳ ଓଡ଼ିଆ ସିନେମା ଦେଖୁନାହାନ୍ତି। ଇଂରେଜୀ, ହିନ୍ଦୀ, କୋରିଆନ, ଚାଇନିଜ, ତାମିଲ, ମାଲାୟାଲମ, ତେଲୁଗୁ ସିନେମା ସହିତ ଓ.ଟି.ଟି.ର ବିଶାଳ ଜଗତ ସେମାନଙ୍କ ହାତରେ। ସେମାନେ ପରଖିବେ। ଉତ୍କୃଷ୍ଟତା ଆଡ଼କୁ ମୁହଁାଇବେ।
ଏଠାରେ ଗୋଟେ କଥା ଲକ୍ଷ୍ୟ କରାଯାଇପାରେ। ଗତ କିଛି ଦିନ ତଳେ ସର୍ବଭାରତୀୟ ସ୍ତରରେ ‘ମିର୍ଜାପୁର’ ପରି ସିନେମା ମୁକ୍ତିଲାଭ କରି ପ୍ରଚଣ୍ଡ ଦର୍ଶକୀୟ ସ୍ବୀକୃତି ଲାଭ କରିଛି। ଉତ୍ତରପ୍ରଦେଶର ବାହୁବଳୀ ମାନବର ରୁବାବ୍ର ଚିତ୍ର ସେଠି ପ୍ରଦର୍ଶିତ ହୋଇଛି। ଯେଉଁ ଦର୍ଶକ ‘ମିର୍ଜାପୁର’ ସିନେମାର ଅପରାଧ, ହିଂସା, ଗାଳି, ରକ୍ତପାତ ଓ ନଗ୍ନତା ଦେଖି ତାଳି ମାରୁଛି, ସେହି ଦର୍ଶକ ପୁଣି ‘ପଞ୍ଚାୟତ’, ‘ବୋଉ ବୁଟୁ ଭୂତ’, ‘ବରବଧୂ’, ‘ଯଦି’ ପରି ସାଧାରଣ ଗ୍ରାମ ଜୀବନ ଉପରେ ଆଧାରିତ କାହାଣୀକୈନ୍ଦ୍ରିକ ସିନେମା ଦେଖି ଭାବପ୍ରବଣ ହେଉଛି, ଯେଉଁଠି ସାମାନ୍ୟତମ ନଗ୍ନତା, ହିଂସା, ଗାଳି କିମ୍ବା େଯୗନତା ନାହିଁ। ତଥାପି, ଏସବୁ ସିନେମା ଦର୍ଶକଙ୍କର ପ୍ରଚୁର ଭଲପାଇବା ଓ ସମର୍ଥନ ସାଉଁଟିଛନ୍ତି।
ଉଭୟ ଜିନିଷ କିପରି ସମାନ ମଣିଷକୁ ଆକର୍ଷିତ କରିପାରନ୍ତି? ଏହା କ’ଣ ମଣିଷର ବହୁମୁଖୀ ସ୍ବଭାବ? ଦାର୍ଶନିକ ଫ୍ରେଡରିକ ନିଚା ‘ଦି ବାର୍ଥ ଅଫ ଟ୍ରାଜେଡି’ ପୁସ୍ତକରେ ‘ଡାୟୋନିସିଆନ’ ଓ ‘ଆପୋଲୋନିୟାନ’ ପରି ଦୁଇଟି ଧାରଣା ସମ୍ବନ୍ଧରେ ଆଲୋଚନା କରିଛନ୍ତି। ‘ଡାୟୋନିସିଆନ’ ହେଉଛି ମଣିଷର ଅନିୟନ୍ତ୍ରିତ, ଆବେଗିକ ଓ ଆଦିମ ପ୍ରକୃତି। ସେଥିରେ ରହିଛି ଉତ୍ସାହ, ଉତ୍ତେଜନା, ଭୟ, ହିଂସା, ଅରାଜକତା ଓ ସାମାଜିକ ନିୟମକୁ ଅତିକ୍ରମ କରିବାର ଏକ ଆକାଂକ୍ଷା। ମଣିଷର ଦୈନନ୍ଦିନ ଜୀବନ ଯେତେ ନିୟମ, ଦାୟିତ୍ବ, ସଂଯମ ଓ ଶୃଙ୍ଖଳାରେ ବନ୍ଧା ହେଉ ପଛେ, ତା’ର ଭିତରେ ଏକ ଅନିୟନ୍ତ୍ରିତ ଅଂଶ ରହିଥାଏ। ସେହି ଅଂଶ କେବେକେବେ ପରଦାରେ ନିଜର ପ୍ରତିଛବି ଖୋଜେ। ଏହି କାରଣରୁ ବୋଧହୁଏ ଅପରାଧ, ହିଂସା, ନିଷିଦ୍ଧ ସଂପର୍କ କିମ୍ବା ସାମାଜିକ ଶୃଙ୍ଖଳା ଭାଙ୍ଗୁଥିବା ଚରିତ୍ର ଆମକୁ ଉଷ୍ଣତା ପ୍ରଦାନ କରେ। ଏହାକୁ ମନେ କରାଯାଇପାରେ ମଣିଷ ମନର ଏକ ଜଟିଳ ଆବେଗିକ ଦିଗ।
Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ
କିନ୍ତୁ ମଣିଷ କେବଳ ଡାୟୋନିସିଆନ ନୁହେଁ। ତା’ ଭିତରେ ଲୁଚି ରହିଛି ଆଉ ଏକ ଆକାଂକ୍ଷା- ଆପୋଲିନିୟାନ। ଏହା ଶୃଙ୍ଖଳା, ସୌନ୍ଦର୍ଯ୍ୟ, ଯୁକ୍ତି, ସଂଯମ ଓ ଆତ୍ମନିୟନ୍ତ୍ରଣକୁ ଜୀବନର ଏକ ପ୍ରମୁଖ ଅଙ୍ଗ ଭାବେ ଦେଖିବାକୁ ଚେଷ୍ଟା କରେ। ‘ଯଦି’ ଭଳି ଚରିତ୍ରକୈନ୍ଦ୍ରିକ କାହାଣୀ ସେ ଦିଗକୁ ସ୍ପର୍ଶ କରିପାରେ।
ମଣିଷ ଗୋଟିଏ ରଙ୍ଗର ନୁହେଁ। ମଣିଷ ଭିତରେ ଇଚ୍ଛା ଅଛି; ସଂଯମ ମଧ୍ୟ ଅଛି। ଅନ୍ଧକାର ଅଛି, ଆଲୋକର ଆକାଂକ୍ଷା ମଧ୍ୟ ଅଛି। ବିଦ୍ରୋହ ଅଛି, ନିୟମର ଆବଶ୍ୟକତା ମଧ୍ୟ ଅଛି। ସେଥିପାଇଁ ଭଲ ସିନେମା ଆମକୁ କେବଳ ମନୋରଞ୍ଜନ ଦିଏ ନାହିଁ। ଆମ ଭିତରର ଅନେକ ମଣିଷ ସହ ଆମକୁ ସାକ୍ଷାତ୍ କରାଏ।
ଜଣେ ଅଭିନେତା ଯେତେବେଳେ ନିଜର ଷ୍ଟାରଡମ୍କୁ ଭୁଲି, ଚରିତ୍ର ହୋଇଯାଏ, ଯେତେବେଳେ କାହାଣୀ ଅଭିନେତାଙ୍କ ଉପରେ ଭାରୀ ପଡ଼ିଯାଏ ଏବଂ ଅଭିନେତା ସେହି କାହାଣୀକୁ ନିଷ୍ଠା ଓ ସଚ୍ଚୋଟତାର ସହ ବହନ କରେ, ସେତେବେଳେ ଚଳଚ୍ଚିତ୍ରର ପ୍ରକୃତ ଶକ୍ତି ଜନ୍ମ ନିଏ। ‘ରିମେକ୍ ରିମେକ୍’ କହି ଓଡ଼ିଆ ସିନେମାରୁ ମନ ଛଡ଼େଇ ଦେଇଥିବା ଦର୍ଶକେ ପୁଣି ଓଡ଼ିଆ ସିନେମା ପ୍ରତି ଆକର୍ଷିତ ହେଉଛନ୍ତି। ଏ ଆକର୍ଷଣର ହେତୁ, ବଳିଷ୍ଠ କାହାଣୀ, କଳାକାରମାନଙ୍କର ଜୀବନ୍ତ ଅଭିନୟ, ସାଉଣ୍ଡ, ଲାଇଟ, ସିନେମାଟୋଗ୍ରାଫି, ସର୍ବୋପରି ନିର୍ଦ୍ଦେଶକମାନଙ୍କର ବଳିଷ୍ଠ ନିର୍ଦ୍ଦେଶନା। ‘ଦମନ’, ‘ବୋଉ ବୁଟୁ ଭୂତ’, ‘ବରବଧୂ’, ‘ଯଦି’ ପରି ସିନେମା ଏହାର ବଳିଷ୍ଠ ଉଦାହରଣ। ଏହାକୁ ଦେଖି ମନରେ ଏକ ଦୃପ୍ତ ଆଶା ସଂଚାର ହେଉଛି- ଓଡ଼ିଆ ସିନେମାର ସୁବର୍ଣ୍ଣଯୁଗ ଆସୁଛି କି!
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୮୨୯୫୬୧୮୦୯୭
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
