Cuttack Dussehra: ସାଂପ୍ରଦାୟିକ ଏକତାର ପ୍ରତୀକ କଟକ ଦଶହରା
କଟକ(ସୁଶାନ୍ତ କୁମାର ସ୍ବାଇଁ): ଭାଇଚାରା ଓ ସାଂପ୍ରଦାୟିକ ସଦ୍ଭାବନାର ପ୍ରତୀକ ହୋଇ ରହିଆସିଛି କଟକ ଦଶହରା। ବିଶେଷକରି ଦଶହରା ପୂଜା ଆୟୋଜନରେ ମୁସଲମାନ ସଂପ୍ରଦାୟର ବ୍ୟକ୍ତିବିଶେଷଙ୍କ ସକ୍ରିୟ ସହଯୋଗ ଏବଂ ବିଭିନ୍ନ ନିଆରା ପରମ୍ପରା ନିର୍ବାହରେ ଅବଦାନ ସର୍ବଦା ଉଦାହରଣ ସୃଷ୍ଟି କରି ଆସିଛି। ମଣିସାହୁ ଛକ ପୂଜା କମିଟି ଅଞ୍ଚଳରେ ପାଖାପାଖି ୫୦ ପ୍ରତିଶତ ହେଉଛନ୍ତି ମୁସଲିମ ସଂପ୍ରଦାୟର। ପ୍ରାରମ୍ଭିକ ପୂଜା ଆୟୋଜନରେ ସେଠାରେ ମସ୍ତାନ ଦର୍ଘା ଅଞ୍ଚଳର ମୁସଲମାନମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେଠାରେ ପୂଜା ପାଉଥିବା ମହାଦେବଙ୍କୁ ପଲଟନ ମହାଦେବ ବୋଲି ମଧ୍ୟ କୁହାଯାଏ। ସେଠାରେ ଭସାଣି ଶୋଭାଯାତ୍ରାରେ ମୁସଲମାନ ମହିଳାମାନେ ସାମିଲ ହେଉଥିବା ବେଳେ ନବମୀ ଦିନ ହେଉଥିବା ଖେଚୁଡ଼ି ଭୋଗକୁ ହିନ୍ଦୁ ଓ ମୁସଲିମ ଏକାଠି ପଙ୍ଗତରେ ଖାଇଥାନ୍ତି। ମୁସଲିମ ମହିଳା ମହାଦେବଙ୍କ ନିକଟରେ ଭୋଗ ବି ଲଗାନ୍ତି। ପୂଜା କମିଟିର ସଂପାଦକ ରାକେଶ ସାହୁ କହିଛନ୍ତି ଯେ ଏହି ପୂଜାରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ସମାନ ଭାଗୀଦାର ରହି ଆସିଛି।
Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି
‘ପଲଟନ ମହାଦେବ’ଙ୍କ ନବମୀ ଖେଚୁଡ଼ି ଭୋଗ ପଙ୍ଗତରେ ସାମିଲ ହୁଅନ୍ତି ହିନ୍ଦୁ ଓ ମୁସଲମାନ ମହିଳା
ଅନ୍ୟପଟେ ଅଲିଶା ବଜାର ମୁସଲିମ ବହୁଳ ଅଞ୍ଚଳ ହୋଇଥିଲେ ବି ସେଠାରେ ଉଭୟ ସଂପ୍ରଦାୟ ମିଳିମିଶି ପୂଜା ଆୟୋଜନ କରନ୍ତି। ପୂଜା କମିଟିର ଉପସଭାପତି ସେକ ଆସ୍ରଫ ଓ ଯୁବକ ସଂଘ ସଭାପତି ସେକ ଜାହିର ପୂଜା ଆୟୋଜନ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଅଞ୍ଚଳରେ ଥିବା ୫ଟି ମୁସଲମାନ ସାହିରୁ ସ୍ବଇଚ୍ଛାରେ ଦାନ ସଂଗ୍ରହ କରି ପୂଜା ଆୟୋଜନ କରାଯାଏ। ପୂଜା କମିଟିର ସଭାପତି ସୁକେଶ ବେହେରା କହିଛନ୍ତି ଯେ ମଣ୍ଡପର ମାଛ ଭୋଗର ସ୍ବତନ୍ତ୍ରତା ରହିଥିବା ବେଳେ ହିନ୍ଦୁ ମୁସଲମାନ ନିର୍ବିଶେଷରେ ସବୁ ଘରେ ଭୋଗ ବଣ୍ଟନ କରାଯାଏ। ଦରଘା ବଜାର ଜୟ ମହାବୀର ପୂଜା କମିଟିରେ ପୂଜା ଆୟୋଜନରେ ଉଭୟ ସଂପ୍ରଦାୟ ମିଳିମିଶି ବିଭିନ୍ନ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି। ପୂଜା କମିଟି ସଭାପତି ସରୋଜ ରଂଜନ କର କହିଛନ୍ତି ଯେ ପୂର୍ବ ବର୍ଷ ଦଶହରା ଭସାଣି ସମୟରେ ଗଣ୍ଡଗୋଳ ଓ ଉତ୍ତେଜନା ପ୍ରକାଶ ପାଇଥିବାରୁ କାଳୀପୂଜା ସମୟରେ ଉଭୟ ସଂପ୍ରଦାୟ ମିଶି ଏକ ମଞ୍ଚରେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ
ଯୋବ୍ରା ଦୁର୍ଗା ମନ୍ଦିର ପରିଚାଳନା କମିଟି ଅଞ୍ଚଳରେ ୨୦ ପ୍ରତିଶତରୁ ଅଧିକ ହେଉଛନ୍ତି ମୁସଲମାନ ସଂପ୍ରଦାୟର। ବିଜେପି ନେତା ସିକନ୍ଦର ଅଲ୍ଲୀ ପୂର୍ବରୁ ଏହି କମିଟିର ଉପସଭାପତି ଥିଲେ। ପୂଜା କମିଟି ସଂପାଦକ ଶ୍ରୀମନ୍ତ ଦାସ କହିଛନ୍ତି ଯେ ପୂଜା ଆୟୋଜନରେ ମୁସଲମାନ ଭାଇମାନେ ସକ୍ରିୟ ସହଯୋଗ କରୁଥିବା ବେଳେ କୌଣସି ସମୟରେ ମତଭେଦ ବା ବିବାଦ ସୃଷ୍ଟି ହୋଇନାହିଁ। ସେହିଭଳି ମାଲଗୋଦାମ ପୂଜା କମିଟିରେ ପୂର୍ବତନ ମନ୍ତ୍ରୀ ମୁସ୍ତାଫିଜ ମହମ୍ମଦ ଆଜୀବନ ସଭାପତି ଭାବେ କାର୍ଯ୍ୟ କରିଥିବା ବେଳେ ତାଙ୍କ ପରେ ତାଙ୍କ ଭାଇ ସେକ ନିଜାମୁଦ୍ଦିନ ବି ଆଜୀବନ ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ଅନେକ ମଣ୍ଡପରେ ଏ ପ୍ରକାର ଭାଇଚାରା ଓ ସାଂପ୍ରଦାୟିକ ସଦ୍ଭାବନାର ବାର୍ତ୍ତା କଟକ ଦଶହରାକୁ ରାଜ୍ୟରେ ସ୍ବତନ୍ତ୍ର କରି ଆସିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
