CEC ଜ୍ଞାନେଶ କୁମାରଙ୍କୁ ‘ମକ୍ ଆରେଷ୍ଟ’: ବେଙ୍ଗାଳୁରୁରେ ଇଣ୍ଡି ମେଣ୍ଟର ପ୍ରତୀକାତ୍ମକ ପ୍ରତିବାଦ
ନନ୍ଦିଘୋଷ ବ୍ୟୁରୋ : ପ୍ରତୀକାତ୍ମକ ମହାଭିଯୋଗ ପ୍ରସ୍ତାବ ପରେ ଏବେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ‘ମକ୍ ଆରେଷ୍ଟ’ ବା ପ୍ରତୀକାତ୍ମକ ଭାବେ ଗିରଫ କରାଯାଇଛି। କର୍ଣ୍ଣାଟକର ବେଙ୍ଗାଳୁରୁ ସ୍ଥିତ ଫ୍ରିଡମ ପାର୍ଟ ନିକଟରେ ଇଣ୍ଡି ମେଣ୍ଟ ପକ୍ଷରୁ ଏକ ବିରାଟ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଏହି ନାଟକୀୟ ପ୍ରତିବାଦ ଦେଖିବାକୁ ମିଳିଛି।
ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ସାଢ଼େ 13 କୋଟି ଲୋକଙ୍କ ନାଁ ବାଦ୍ ପଡ଼ିବା ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗକୁ କ୍ରମାଗତ ଭାବେ ଟାର୍ଗେଟ୍ କରିଆସୁଛନ୍ତି। ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆନ୍ଦୋଳନକାରୀମାନେ ସିଇସି ଜ୍ଞାନେଶ କୁମାରଙ୍କ ଏକ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିଥିଲେ। ପ୍ରତିମୂର୍ତ୍ତିକୁ ମୁଖା ପିନ୍ଧାଇବା ସହ ପୋଲିସ ବେଶରେ କିଛି କର୍ମୀ ହାତକଡ଼ି ପକାଇ ତାକୁ ଚଲାଇ ଚଲାଇ ନେଉଥିବା ଦୃଶ୍ୟ ବେଶ ଚର୍ଚ୍ଚାରେ ରହିଛି।
ବେଙ୍ଗାଳୁରୁର ଏହି ହାଲଚାଲ୍ ଭରା ସମାବେଶରେ କଂଗ୍ରେସ ସମେତ ବିଭିନ୍ନ ବାମପନ୍ଥୀ ଦଳ ଏବଂ ସହଯୋଗୀ ଦଳର ବହୁ ବରିଷ୍ଠ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ। SIR ବିବାଦକୁ ନେଇ ନିର୍ବାଚନ ଆୟୋଗର କାର୍ଯ୍ୟଶୈଳୀ ବିରୋଧରେ ଏଠାରେ କଡ଼ା ସ୍ୱରୋତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ସାରା ଦେଶରୁ ସାଢ଼େ ୧୩ କୋଟି ଲୋକଙ୍କ ନାଁ SIR ରେ ବାଦ୍ ପଡ଼ିଥିବା ଅଭିଯୋଗକୁ ନେଇ ଇଣ୍ଡି ମେଣ୍ଟ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଏହାପୂର୍ବରୁ ଦିଲ୍ଲୀରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଏକ ‘ଡମି ସଂସଦ’ କରାଯାଇ ସେଠାରେ ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ପ୍ରତୀକାତ୍ମକ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା। ଏପରିକି ରାମଲୀଳା ମଇଦାନରେ ମଧ୍ୟ ଏକ ବିଶାଳ ଜନସମାବେଶ ଆୟୋଜିତ ହୋଇସାରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
