Car Plunges into Gorge: ୧୫୦ ଫୁଟ୍ ଗଭୀର ଖାଇକୁ ଖସିଲା କାର, ୩ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

Jul 13, 2026 - 14:31
Car Plunges into Gorge: ୧୫୦ ଫୁଟ୍ ଗଭୀର ଖାଇକୁ ଖସିଲା କାର, ୩ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

୧୫୦ ପୁଟ ଖାଇ ତଳକୁ ଖସିଲା କାର। ଏହି ଭୟାବହ ସଡକ ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି। ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏହି ଦୁର୍ଘଟଣା ରବିବାର ବିଳମ୍ବିତ ରାତିରେ ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଘଟିଛି। କାରଟି ନାହନ-କୁମାରହଟ୍ଟି-ଶିମଲା ଜାତୀୟ ରାଜପଥ (NH-907A) ଦେଇ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ପ୍ରାୟ ୧୫୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିଥିଲା।

ଦୁର୍ଘଟଣାବେଳେ କାରରେ ୪ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୪୮ ବର୍ଷୀୟା ରୀନା ଶର୍ମା, ୬୫ ବର୍ଷୀୟ ଅଧିକାରୀ ଜୈତଲୀ ଏବଂ ୬୦ ବର୍ଷୀୟା ଉର୍ମିଲ ଜୈତଲୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସମସ୍ତ ମୃତକ ସିରମୌର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅଧିକାରୀ ଜୈତଲୀଙ୍କ ୩୩ ବର୍ଷୀୟ ପୁଅ ଯଶସ୍ୱୀ ଜୈତଲୀ ଗୁରୁତର ଆହତ ହୋଇଛନ୍ତି। 

ଘଟଣା ପରେ ସ୍ଥାନୀୟ ଲୋକ ଓ ପୁଲିସ ସହଯୋଗରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତ ଯଶସ୍ୱୀ ଜୈତଲୀଙ୍କୁ ତୁରନ୍ତ ନାହନସ୍ଥିତ ଡା. ୱାଇ. ଏସ୍. ପରମାର ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

ବର୍ତ୍ତମାନ ପୁଲିସ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ଖୋଜିବା ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ ଗାଡ଼ି ନିୟନ୍ତ୍ରଣ ହରାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ଏବଂ ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।