Can Law Stop Boys And Girls From Eloping: ପ୍ରେମ ପାଇଁ ପୋକ୍ସୋ ଆଇନର ଅପବ୍ୟବହାର! ବଡ଼ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

Jul 13, 2026 - 17:45
Can Law Stop Boys And Girls From Eloping: ପ୍ରେମ ପାଇଁ ପୋକ୍ସୋ ଆଇନର ଅପବ୍ୟବହାର! ବଡ଼ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ପୋକ୍ସୋ ଆକ୍ଟ ଅପବ୍ୟବହାରକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ଚେତାବନୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ କିଶୋର-କିଶୋରୀଙ୍କ ପ୍ରେମ ସମ୍ପର୍କ ଏବଂ ଘରୁ ପଳାଇବା ମାମଲାରେ ଏହି କଠୋର ଆଇନର ଅପବ୍ୟବହାର କରାଯାଉଛି। ନିଜର ତଥାକଥିତ ସମ୍ମାନ ରକ୍ଷା ପାଇଁ ପରିବାର ଲୋକେ ଏହାକୁ ଅସ୍ତ୍ର କରୁଛନ୍ତି। ଜଷ୍ଟିସ ବି.ଭି. ନାଗରତ୍ନ ଏବଂ ଜଷ୍ଟିସ ଆର. ମହାଦେବନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ପ୍ରଶ୍ନ କରିଛନ୍ତି, "ଆମର ବ୍ୟବସ୍ଥା ଜଣେ ପୁଅ-ଝିଅଙ୍କୁ ପଳାଇବା ପ୍ରକ୍ରିୟାରୁ କେମିତି ରୋକି ପାରିବ?"

ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ, ୧୫ ରୁ ୧୮ ବର୍ଷ ବୟସ ହେଉଛି ଅତ୍ୟନ୍ତ ସମ୍ବେଦନଶୀଳ। ଏହି ବୟସରେ ପିଲାମାନେ ନୂଆ ନୂଆ ଅନୁଭୂତି ପାଇଁ ଆଗ୍ରହୀ ଥାଆନ୍ତି। କିନ୍ତୁ ପିଲାମାନେ ଘରୁ ପଳାଇବା ପରେ ପରିବାର ଲୋକେ ପ୍ରତିଶୋଧ ନେବାକୁ ଯାଇ ପୋକ୍ସୋ ମାମଲା ରୁଜୁ କରୁଛନ୍ତି। ଫଳରେ ଅଦାଲତକୁ ପରବର୍ତ୍ତୀ ସମୟରେ ଅଭିଯୁକ୍ତଙ୍କୁ ଖଲାସ କରିବାକୁ ପଡ଼ୁଛି। କଲିକତା ହାଇକୋର୍ଟଙ୍କ ଏକ ପୁରୁଣା ବିବାଦୀୟ ରାୟକୁ ନେଇ କୋର୍ଟ ଏହି ସ୍ୱତଃପ୍ରବୃତ୍ତ ଶୁଣାଣି କରୁଥିଲେ। ମାମଲାରେ ସମ୍ପୃକ୍ତ ଝିଅଟି ବର୍ତ୍ତମାନ ସେହି ପୁରୁଷଙ୍କ ସହ ବିବାହ କରି ଏକ ସନ୍ତାନ ସହ ଖୁସିରେ ରହୁଥିବା କୋର୍ଟଙ୍କୁ ଜଣାଯାଇଛି।

ଏହି ସମସ୍ୟାର ସମାଧାନ ପାଇଁ କୋର୍ଟ କିଛି ବ୍ୟବହାରିକ ନିର୍ଦ୍ଦେଶ ଦେବାକୁ କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ସୂଚନା ଦିଆଯାଇଛି ଯେ, ଏଥିପାଇଁ ଷଷ୍ଠ ଶ୍ରେଣୀରୁ ହିଁ ପିଲାମାନଙ୍କୁ ପୋକ୍ସୋ ଆଇନ ଓ ସଚେତନତା ବାବଦରେ ଶିକ୍ଷା ଦିଆଯିବ। ପୋକ୍ସୋ ମାମଲାଗୁଡ଼ିକର ତଦାରଖ ପାଇଁ କେନ୍ଦ୍ର ସରକାର ଏକ ଡ୍ୟାସବୋର୍ଡ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ପ୍ରତ୍ୟେକ ହାଇକୋର୍ଟରେ ପୂର୍ବରୁ ଶିଶୁ ଅଧିକାର କମିଟି ରହିଛି ଏବଂ ରାଜ୍ୟ ସରକାରମାନେ ହିଁ ଏହାର ତଦାରଖ କରିବା ଉଚିତ। ଏହି ସମ୍ବେଦନଶୀଳ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୭ ତାରିଖରେ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।