Assam Rifles Jawan Killed In Action: ନାଗାଲାଣ୍ଡରେ IED ବିସ୍ଫୋରଣ, ଆସାମ ରାଇଫଲ୍ସ ଯବାନ ସହୀଦ
ନାଗାଲାଣ୍ଡରେ ଆସାମ ରାଇଫଲ୍ସ ଗାଡ଼ିକୁ ଟାର୍ଗେଟ୍ କରି ବଡ଼ ଧରଣର ବିସ୍ଫୋରଣ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ନାଗାଲାଣ୍ଡର ସୁଖୋଭି ନିକଟରେ ଏକ ସନ୍ଦିଗ୍ଧ IED ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ଆସାମ ରାଇଫଲ୍ସର ଜଣେ ଯବାନ ସହୀଦ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
ଉତ୍ତର-ପୂର୍ବ ସୀମାରେ ଏକ ସପ୍ତାହ ମଧ୍ୟରେ ଆସାମ ରାଇଫଲ୍ସ ଉପରେ ଏହା ଦ୍ୱିତୀୟ ବଡ଼ ଆକ୍ରମଣ। ଏହା ପୂର୍ବରୁ ଗତ ଜୁଲାଇ ୬ ତାରିଖରେ ମଣିପୁରର ଉଖରୁଲ ଜିଲ୍ଲାରେ ମଧ୍ୟ ଏକ ସେନା କନଭୟ ଉପରେ ଆମ୍ବୁସ କରାଯାଇଥିଲା। ସେହି ଆକ୍ରମଣରେ ୪୦ତମ ବାଟାଲିୟନର ୱାରେଣ୍ଟ ଅଫିସର ବଲୱନ୍ତ ସିଂ ଏବଂ ରାଇଫଲମ୍ୟାନ୍ ସିଏମ୍ ସିଂ ସହୀଦ ହୋଇଥିଲେ। ସେହିପରି ଗତ ନଭେମ୍ବର ମାସରେ ମଧ୍ୟ ଭାରତ-ମିଆଁମାର ସୀମାନ୍ତ ତେଙ୍ଗନୌପାଲ ଜିଲ୍ଲାରେ ପାଟ୍ରୋଲିଂ କରୁଥିବା ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ, ଯେଉଁଥିରେ ୪ ଜଣ ଯବାନ ଆହତ ହୋଇଥିଲେ।
ଗତ କିଛି ଦଶନ୍ଧି ଧରି ଏହି ଅଞ୍ଚଳରେ ସକ୍ରିୟ ଥିବା ବିଦ୍ରୋହୀ ସଂଗଠନଗୁଡ଼ିକର ଟାର୍ଗେଟ୍ରେ ଆସାମ ରାଇଫଲ୍ସର ଯବାନମାନେ ରହିଆସିଛନ୍ତି। ନାଗାଲାଣ୍ଡର ଆଜିର ଏହି ବିସ୍ଫୋରଣ ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।