19 AUGUST 2026

Welcome!

Unlock your personalized experience.
Sign Up
block-728

Campus elections: ଏଥର ବି କ୍ୟାମ୍ପସରେ ନିର୍ବାଚନକୁ ନା!

Aug 14, 2026 - 05:39
Campus elections: ଏଥର ବି କ୍ୟାମ୍ପସରେ ନିର୍ବାଚନକୁ ନା!

ଭୁବନେଶ୍ବର: ଲଗାତାର ନବମ ବର୍ଷ ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ୨୦୨୬-୨୭ ଶିକ୍ଷାବର୍ଷରେ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ବିଳମ୍ବ, କ୍ୟାମ୍ପସରେ ଛାତ୍ର ଅଶାନ୍ତି, ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା କାର୍ଯ୍ୟକାରୀ କରାଯାଉଥିବାରୁ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଏନେଇ ଉଚ୍ଚଶିକ୍ଷା ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ହେଲେ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ସ୍ତରରେ ଏନେଇ ବ୍ୟାପକ ଆଲୋଚନା ପରେ ନିର୍ବାଚନ ନ କରିବାକୁ ସ୍ଥିର ହୋଇଛି। ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟ ଏଥର ନିର୍ବାଚନ ସପକ୍ଷରେ ନ ଥିବା ବିଭାଗକୁ ଅବଗତ କରିଥିବା ଜଣାପଡ଼ିଛି।

Migrant workers: ଶ୍ରମିକଙ୍କ ପରିବାର ପାଇଁ ତୁରନ୍ତ ପଦକ୍ଷେପ; ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣାଇଲା ସ୍ବେଚ୍ଛାସେବୀ ସଂଗଠନ

‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନାରେ ୟୁଜି ଓ ପିଜି ସ୍ତରରେ ମାଗଣା ଶିକ୍ଷାଦାନ ନିର୍ଦ୍ଦେଶାବଳୀ ବିବାଦରୁ ଉଚ୍ଚଶିକ୍ଷା ବିଭାଗ ଏପର୍ଯ୍ୟନ୍ତ ମୁକୁଳିପାରି ନାହିଁ। ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକ ମଧ୍ୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛନ୍ତି। ଫଳରେ ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଏଭଳି ସମୟରେ ଛାତ୍ର ସଂସଦ ନିର୍ବାଚନ କରାଗଲେ ତାହାର ସିଧାସଳଖ ପ୍ରଭାବ ପିଲାଙ୍କ ପାଠପଢ଼ା ଉପରେ ପଡ଼ିବ। ଅଗଷ୍ଟ ୧୦ ଭିତରେ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବା ନେଇ ଉଚ୍ଚଶିକ୍ଷା ବିଭାଗ ଯୋଜନା କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରି ନାହିଁ। ଏବେ କୁହାଯାଇଛି ଯେ ଅଗଷ୍ଟ ୨୧ରୁ ପାଠପଢ଼ା ହେବ। ତେବେ ନାମଲେଖା ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ ସମସ୍ୟା ଅଧିକ ବଢ଼ୁଛି।

ଛାତ୍ର ଅଶାନ୍ତି, ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ବାହାନା
ଏପର୍ଯ୍ୟନ୍ତ ଜାରି ହୋଇନି ଶିକ୍ଷା କ୍ୟାଲେଣ୍ଡର, ସମସ୍ତେ ଦ୍ବନ୍ଦ୍ବରେ

ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗ ଏପର୍ଯ୍ୟନ୍ତ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରିନାହିଁ। ଯେତେବେଳେ କି ୟୁଜିର ଦ୍ବିତୀୟ ଓ ତୃତୀୟ ଏବଂ ପିଜିର ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେଲାଣି। ଆସନ୍ତା ସପ୍ତାହରେ ନୂତନ ଭାବେ ନାମ ଲେଖାଇଥିବା ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବାକୁ ଥିବା ବେଳେ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ ହୋଇ ନ ଥିବାରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଦୋ ଛକିରେ ପଡ଼ିଛନ୍ତି। ପୂର୍ବବର୍ଷ ଭଳି ସେମାନେ ନିଜସ୍ବ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିବେ ନା ଉଚ୍ଚଶିକ୍ଷା ବିଭାଗ ଯେଉଁ କ୍ୟାଲେଣ୍ଡର ପ୍ରସ୍ତୁତ କରି ଦେବ ତାହାକୁ ଲାଗୁ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। କାରଣ ଶିକ୍ଷା କ୍ୟାଲେଣ୍ଡରରେ କେତେଦିନ ପାଠପଢ଼ା ହେବ, କେଉଁ କେଉଁ ଦିନ ଛୁଟି ରହିବ, ଦଶହରା ଛୁଟି କେବେଠାରୁ ଆରମ୍ଭ ହେବ, ନିର୍ବାଚନ ହେବ କି ନାହିଁ ଆଦି ବିଷୟରେ ଉଲ୍ଲେଖ ରହିଥାଏ ଏବଂ ସେହି ଅନୁଯାୟୀ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ପଦକ୍ଷେପ ନେଇଥାନ୍ତି।

Horoscope 2026 August 14: ଜାଣନ୍ତୁ ଆଜିର ରାଶିଫଳ...

୨୦୨୪ରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ବାରମ୍ବାର ମତ ରଖୁଛନ୍ତି। ନିର୍ବାଚନ ଉପରେ ଆଲୋଚନା ଚାଲିଥିବା ଏବଂ ରାଜ୍ୟ ସରକାର ସକାରାତ୍ମକ ରହିଥିବା କହୁଛନ୍ତି। କିଛି ଦିନ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସୂରଜ ନିର୍ବାଚନ ସମ୍ପର୍କିତ ପ୍ରଶ୍ନକୁ ଏଡ଼ାଇ ଯିବା ସହ ସରକାର ସକାରାତ୍ମକ ରହିଥିବା କହିଥିଲେ। ୨୦୨୪ରେ ନାମଲେଖା ବିଳମ୍ବ ହେଉଥିବା କହି ନିର୍ବାଚନ ଟାଳି ଦେଇଥିଲେ। ୨୦୨୫ରେ ଜାତୀୟ ଶିକ୍ଷା ନୀତି ଲାଗୁ ହେଉଥିବାରୁ ନିର୍ବାଚନ କରି ନ ଥିଲେ। ଏଥର ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ଲାଗୁ ହେଉଥିବାରୁ ଏବର୍ଷ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ହୋଇଥିବା ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media