California's Giant Wave Warning: ଏଲ୍‌ ନିନୋର ପ୍ରଭାବରେ ବଢ଼ିବ କି ସମୁଦ୍ରର ଉଗ୍ର ରୂପ? ଓଡ଼ିଶା ସମେତ ଭାରତୀୟ ଉପକୂଳକୁ ବିପଦ ଆଶଙ୍କା!

Nov 21, 2026 - 11:48
California's Giant Wave Warning: ଏଲ୍‌ ନିନୋର ପ୍ରଭାବରେ ବଢ଼ିବ କି ସମୁଦ୍ରର ଉଗ୍ର ରୂପ? ଓଡ଼ିଶା ସମେତ ଭାରତୀୟ ଉପକୂଳକୁ ବିପଦ ଆଶଙ୍କା!

ସମୁଦ୍ରରେ ବଢ଼ୁଛି ଅଶାନ୍ତି।

ଆମେରିକାର କାଲିଫର୍ଣ୍ଣିଆ ଉପକୂଳରେ ୫୦ ଫୁଟ୍‌ରୁ ଅଧିକ ଉଚ୍ଚତାର ବିଶାଳ ଲହଡ଼ି ଆତଙ୍କ ସୃଷ୍ଟି କରିଛି।

ଏପଟେ ଭାରତର ପୂର୍ବ ଉପକୂଳରେ ମାସକ ମଧ୍ୟରେ ତିନିଟି ବାତ୍ୟା ଆସିବା ପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳକୁ ନେଇ ଚିନ୍ତା ବଢ଼ିଛି।

ଏହାରି ଭିତରେ ଶକ୍ତିଶାଳୀ ଏଲ୍‌ ନିନୋର ପ୍ରଭାବ ଭାରତୀୟ ସମୁଦ୍ର ଉପକୂଳକୁ ଅଧିକ ବିପଦପୂର୍ଣ୍ଣ କରିପାରେ କି ବୋଲି ପ୍ରଶ୍ନ ଉଠିଛି।

Advertisment ନଭେମ୍ବର ୧୪ ଓ ୧୫ ତାରିଖରେ କାଲିଫର୍ଣ୍ଣିଆର ସାନ୍‌ ମାଟେଓ କାଉଣ୍ଟିର କେତେକ ଅଞ୍ଚଳରେ ୫୦ ଫୁଟ୍‌ରୁ ଅଧିକ ଉଚ୍ଚତାର ସମୁଦ୍ର ଲହଡ଼ି ରେକର୍ଡ କରାଯାଇଥିଲା।

ଆମେରିକାର ନ୍ୟାସନାଲ ୱେଦର ସର୍ଭିସ୍‌ ପକ୍ଷରୁ ବେ ଏରିଆର କେତେକ ଅଞ୍ଚଳରେ ୩୫ ଫୁଟ୍‌ ପର୍ଯ୍ୟନ୍ତ ଲହଡ଼ି ଉଠିବା ନେଇ ସତର୍କ କରାଯାଇଥିଲା।

ଏହାକୁ ଦୃଷ୍ଟିରେ ରଖି ଅନେକ ବେଳାଭୂମି ଓ ପିୟର୍‌ ବନ୍ଦ କରାଯାଇଥିଲା।

ସମୁଦ୍ରର ଉଚ୍ଚ ଜୁଆର ଓ ପ୍ରବଳ ଲହଡ଼ି ଯୋଗୁଁ କେତେକ ଉପକୂଳ ଅଞ୍ଚଳରେ ପାଣି ପଶି ରାସ୍ତାଘାଟ ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିଲା।

ସାନ୍ତା କ୍ରୁଜ୍‌ କାଉଣ୍ଟିର କେତେକ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ସତର୍କ ସୂଚନା ମଧ୍ୟ ଜାରି ହୋଇଥିଲା।

ଏହି ଘଟଣା ପଛରେ ପ୍ରଶାନ୍ତ ମହାସାଗରରେ ବିକଶିତ ହେଉଥିବା ଶକ୍ତିଶାଳୀ ଏଲ୍‌ ନିନୋର ପ୍ରଭାବକୁ ନେଇ ବୈଜ୍ଞାନିକମାନେ ନଜର ରଖିଛନ୍ତି।

Advertisment କ'ଣ ଏହି ଏଲ୍‌ ନିନୋ?

ଏଲ୍‌ ନିନୋ ହେଉଛି ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗର ଭୂମଧ୍ୟରେଖା ନିକଟସ୍ଥ ସମୁଦ୍ର ଜଳର ତାପମାତ୍ରା ସାଧାରଣଠାରୁ ବଢ଼ିଯିବାର ଏକ ପ୍ରାକୃତିକ ଜଳବାୟୁ ପ୍ରକ୍ରିୟା।

ଏହା ବାୟୁମଣ୍ଡଳୀୟ ପ୍ରବାହ, ପବନର ଦିଗ ଏବଂ ଝଡ଼ବାତ୍ୟାର ଗତିପଥକୁ ପ୍ରଭାବିତ କରିଥାଏ।

ଶକ୍ତିଶାଳୀ ଏଲ୍‌ ନିନୋ ସମୟରେ ପ୍ରଶାନ୍ତ ମହାସାଗରର ଜେଟ୍‌ ଷ୍ଟ୍ରିମ୍‌ ଦକ୍ଷିଣ ଦିଗକୁ ସ୍ଥାନାନ୍ତରିତ ହୋଇପାରେ।

ଫଳରେ କାଲିଫର୍ଣ୍ଣିଆ ଉପକୂଳରେ ଶକ୍ତିଶାଳୀ ଶୀତକାଳୀନ ଝଡ଼ ସୃଷ୍ଟି ହେବାର ସମ୍ଭାବନା ବଢ଼ିଥାଏ।

ଏହି ଝଡ଼ଗୁଡ଼ିକ ଉତ୍ତର ପ୍ରଶାନ୍ତ ମହାସାଗରରେ ବିଶାଳ ଲହଡ଼ି ସୃଷ୍ଟି କରିଥାଏ, ଯାହା ହଜାର ହଜାର କିଲୋମିଟର ଅତିକ୍ରମ କରି ଉପକୂଳରେ ପହଞ୍ଚେ।

ଉଚ୍ଚ ଜୁଆର, ସମୁଦ୍ର ପତ୍ତନ ବୃଦ୍ଧି ଓ ଝଡ଼ ଯୋଗୁଁ ଜଳସ୍ତର ବୃଦ୍ଧି ସହିତ ବିଶାଳ ଲହଡ଼ି ମିଶିଲେ ଉପକୂଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ବିଶେଷଜ୍ଞଙ୍କ ମତରେ, ଏହି ସବୁ ପରିସ୍ଥିତି ଏକାଠି ହେଲେ କାଲିଫର୍ଣ୍ଣିଆ ପାଇଁ ୨୦୨୬-୨୭ ଶୀତଋତୁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ।

ଭାରତୀୟ ଉପକୂଳରେ ମାସକରେ ୩ ବାତ୍ୟା ଅନ୍ୟପଟେ ଭାରତର ପୂର୍ବ ଉପକୂଳରେ ମଧ୍ୟ ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଛି।

ଅକ୍ଟୋବର ଶେଷ ଭାଗରେ ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରଭାବିତ କରିଥିଲା।

ଏହାପରେ ନଭେମ୍ବର ୩ ତାରିଖରେ ବାତ୍ୟା ମୁରାସୁ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା।

ଏବେ ନଭେମ୍ବର ୨୦ ତାରିଖରେ ବାତ୍ୟା ଅକ୍ୱାନ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଛି।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ସ୍ଥଳଭାଗ ଅତିକ୍ରମ ପୂର୍ବରୁ ବାତ୍ୟା ଦୁର୍ବଳ ହୋଇଥିଲା।

ଏହାର ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଥିବାବେଳେ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା।

ବାତ୍ୟା ଆଶଙ୍କାରେ ଉପକୂଳବର୍ତ୍ତୀ ବିପଦସଙ୍କୁଳ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଗୋଟିଏ ମାସ ମଧ୍ୟରେ ବଙ୍ଗୋପସାଗରରେ ଏଭଳି ତିନୋଟି ବାତ୍ୟା ସୃଷ୍ଟି ହେବା ଘଟଣା ପାଣିପାଗ ବିଶେଷଜ୍ଞଙ୍କ ଧ୍ୟାନ ଆକର୍ଷଣ କରିଛି।

IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ, ଏଲ୍‌ ନିନୋ ଏବଂ ଇଣ୍ଡିଆନ୍‌ ଓସନ୍‌ ଡାଇପୋଲ୍‌ ଭଳି ଜଳବାୟୁ କାରକ ଏହି ବାତ୍ୟାଗୁଡ଼ିକର ଗତିପଥକୁ ପ୍ରଭାବିତ କରିପାରନ୍ତି।

୧୯୮୭ ମସିହାରେ ମଧ୍ୟ ଏଲ୍‌ ନିନୋ ବର୍ଷରେ ଏଭଳି ଘଟଣା ଘଟିଥିବା ସେ ଉଲ୍ଲେଖ କରିଛନ୍ତି।

ତେବେ ଅଳ୍ପ ସମୟ ମଧ୍ୟରେ ତିନୋଟି ବାତ୍ୟା ସୃଷ୍ଟି ହେବାର ଅର୍ଥ ଏଲ୍‌ ନିନୋ ହିଁ ଏହାର କାରଣ ବୋଲି ନିଶ୍ଚିତ ଭାବେ କୁହାଯାଇପାରିବ ନାହିଁ।

କାରଣ ମୌସୁମୀ ପରବର୍ତ୍ତୀ ସମୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପାଇଁ ସ୍ୱାଭାବିକ ଭାବେ ଅନୁକୂଳ ରହିଥାଏ।

ଭାରତର ଉପକୂଳ ପାଇଁ ଆଉ କ'ଣ ରହିଛି ବିପଦ?

ଭାରତର ଉପକୂଳ ଅଞ୍ଚଳ ପାଇଁ କେବଳ ବାତ୍ୟା ନୁହେଁ, ବିଶାଳ ସମୁଦ୍ର ଲହଡ଼ି, ଝଡ଼ଜନିତ ଜଳସ୍ତର ବୃଦ୍ଧି ଏବଂ ଉପକୂଳ ଜଳମଗ୍ନ ହେବା ମଧ୍ୟ ଏକ ବଡ଼ ବିପଦ।

ଏହାର ଏକ ଉଦାହରଣ ହେଉଛି 'କଲ୍ଲାକ୍କାଡାଲ୍‌'।

ଏହି ଘଟଣାରେ ଦକ୍ଷିଣ ଭାରତ ମହାସାଗରରେ ଦୂରରେ ସୃଷ୍ଟି ହେଉଥିବା ଝଡ଼ରୁ ଦୀର୍ଘ ସମୟ ବ୍ୟବଧାନର ବିଶାଳ ଲହଡ଼ି ସୃଷ୍ଟି ହୋଇଥାଏ।

ଏହି ଲହଡ଼ି ଦୂର ଦୂରାନ୍ତ ଅତିକ୍ରମ କରି ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳରେ ପହଞ୍ଚିଥାଏ।

ସ୍ଥାନୀୟ ପାଣିପାଗ ସ୍ୱାଭାବିକ ଥିଲେ ମଧ୍ୟ ଏହା ଉପକୂଳରେ ବର୍ଷା ହେବା ସହ ବିଭିନ୍ନ ଅଞ୍ଚଳକୁ ଜଳମଗ୍ନ କରିପାରେ।

କେରଳ, ଦକ୍ଷିଣ ତାମିଲନାଡ଼ୁ ଏବଂ କର୍ଣ୍ଣାଟକର କେତେକ ଅଞ୍ଚଳ ଏଭଳି ଘଟଣା ପାଇଁ ଅଧିକ ସମ୍ବେଦନଶୀଳ।

ଅନ୍ୟପଟେ ପୂର୍ବ ଉପକୂଳରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଶକ୍ତିଶାଳୀ ବାତ୍ୟା ଝଡ଼ଜନିତ ଜୁଆର ସୃଷ୍ଟି କରି ଉପକୂଳର ନିମ୍ନାଞ୍ଚଳଗୁଡ଼ିକୁ ଜଳମଗ୍ନ କରିପାରେ।

ଆଗାମୀ ଶୀତଋତୁରେ ଏଲ୍‌ ନିନୋର ପ୍ରଭାବ ଜାରି ରହିବା ଆଶଙ୍କା ଥିବାରୁ ବୈଜ୍ଞାନିକମାନେ ସମୁଦ୍ରର ତାପମାତ୍ରା, ବାତ୍ୟାର ଗତିବିଧି ଏବଂ ଉପକୂଳର ଜଳସ୍ତର ଉପରେ ନଜର ରଖିଛନ୍ତି।

INCOIS ଏବଂ IMD ଭଳି ସଂସ୍ଥା ସମୁଦ୍ର ଲହଡ଼ି, ଝଡ଼ଜନିତ ଜୁଆର, ବାତ୍ୟା ଓ ଉପକୂଳ ଜଳମଗ୍ନ ହେବା ସମ୍ପର୍କରେ ସତର୍କ ସୂଚନା ଜାରି କରିଥାନ୍ତି।

ତେଣୁ କାଲିଫର୍ଣ୍ଣିଆରେ ବିଶାଳ ଲହଡ଼ି ଏବଂ ଭାରତରେ ଲଗାତାର ବାତ୍ୟା ସୃଷ୍ଟି ହେବା ଘଟଣା ଏବେ ବଡ଼ ଚିନ୍ତାର ବିଷୟ ହୋଇଛି।

ଜଳବାୟୁ ପରିବର୍ତ୍ତନ, ସମୁଦ୍ର ପତ୍ତନ ବୃଦ୍ଧି, ଶକ୍ତିଶାଳୀ ଲହଡ଼ି ଓ ଝଡ଼ଜନିତ ଜୁଆର ଭଳି ବିପଦକୁ ମୁକାବିଲା କରିବା ପାଇଁ ଉପକୂଳବାସୀଙ୍କୁ ଆଗୁଆ ପ୍ରସ୍ତୁତ ରଖିବା ଏବେ ସବୁଠାରୁ ବଡ଼ ଆହ୍ୱାନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)