Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ
ପୂର୍ଣ୍ଣେନ୍ଦୁ କର
ସକାଳୁ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ଯେଉଁ ସବୁ ମୌଳିକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଳୋଡ଼ିଥାଉଁ, ତାହା ପ୍ରମୁଖତଃ ବାହାର ରାଜ୍ୟଗୁଡ଼ିକରୁ ଆସେ; ଆମ ଖାଦ୍ୟ ଦ୍ରବ୍ୟ, ଯେମିତି କି ଡାଲି ଜାତୀୟ ଦ୍ରବ୍ୟ, ପନିପରିବା, ଫଳ, ଅଣ୍ଡା ଓ ମାଛ ଇତ୍ୟାଦି ଲାଗି ଆମେ ପ୍ରାୟତଃ ପର ନିର୍ଭରଶୀଳ ହୋଇଥିବା ବେଳେ ଗୋଖାଦ୍ୟ ଚାହିଦା ପୂରଣରେ ମଧ୍ୟ ଆମେ ଆତ୍ମନିର୍ଭର ହୋଇ ନ ପାରିବାରେ ବିସ୍ମୟର କାରଣ ନାହିଁ।
Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
ଗୋଖାଦ୍ୟ ମୁଖ୍ୟତଃ ଦୁଇ ପ୍ରକାର; ‘ଗ୍ରିନ ଫଡର’ ବା ସବୁଜ ଗୋଖାଦ୍ୟ ଓ ‘ଡ୍ରାଏ ଫଡର’ ବା ଶୁଖିଲା ଗୋଖାଦ୍ୟ। ସଂସଦର ପ୍ରଶ୍ନୋତ୍ତରରେ ଥିବା ବିବରଣୀ ଅନୁସାରେ ରାଜ୍ୟରେ ସମୁଦାୟ ୩୩,୦୬୪ ହଜାର ମେଟ୍ରିକ ଟନ ‘ଗ୍ରିନ ଫଡର’ର ଆବଶ୍ୟକତା ଥିଲାବେଳେ ଆମ ରାଜ୍ୟରେ ଉତ୍ପାଦିତ ହୋଇଥାଏ ମାତ୍ର ୧୩,୫୫୩ ମେଟ୍ରିକ ଟନ; ଅର୍ଥାତ୍ ନିଅଣ୍ଟର ପରିମାଣ ହେଉଛି ହାରାହାରି ୬୦ ଶତକଡ଼ା। ସେହିପରି ରାଜ୍ୟରେ ସମୁଦାୟ ୧୩,୬୪୭ ହଜାର ମେଟ୍ରିକ ଟନ ‘ଡ୍ରାଏ ଫଡର’ ଆବଶ୍ୟକ ହେଉଥିଲାବେଳେ ଆମ ରାଜ୍ୟରେ ଏହାର ଉତ୍ପାଦନର ପରିମାଣ ହେଉଛି ମାତ୍ର ୯,୧୨୩ ମେଟ୍ରିକ ଟନ; ଅର୍ଥାତ୍ ନିଅଣ୍ଟର ପରିମାଣ ହେଉଛି ପାଖାପାଖି ୩୪ ଶତକଡ଼ା। ରାଜ୍ୟରେ ପ୍ରାକୃତିକ ଗୋଖାଦ୍ୟ ବା ‘ଗ୍ରିନ ଫଡର’ ଚାହିଦା ପୂରଣ ହୋଇ ନ ପାରିବାରୁ ଦୁଗ୍ଧ ଚାଷୀମାନେ ପ୍ୟାକେଟ ଖାଦ୍ୟ ବା ‘ଡ୍ରାଏ ଫଡର’ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଏଥିପାଇଁ ମଧ୍ୟ ଆମକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶା ମୁଖ୍ୟତଃ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଯୋଗାଣ ଉପରେ ନିର୍ଭର କରୁଥିଲା ବେଳେ ପଶ୍ଚିମ ଓଡ଼ିଶା ଛତିଶଗଡ଼ ଉପରେ ନିର୍ଭରଶୀଳ। ବାଲେଶ୍ୱର, କଳାହାଣ୍ଡି, ନବରଙ୍ଗପୁର ଓ ସୁବର୍ଣ୍ଣପୁରକୁ ଛାଡ଼ିଦେଲେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଆବଶ୍ୟକତାର ଅର୍ଦ୍ଧାଧିକ ‘ଡ୍ରାଏ ଫଡର’ ଉପଲବ୍ଧ ହୁଏ ନାହିଁ। ଗୋଟେ ପଟେ ରାଜ୍ୟରେ ପ୍ରତ୍ୟେକ ଜିଲ୍ଲାରେ ‘ଗ୍ରିନ ଫଡର’ ଆବଶ୍ୟକତାର ୬୦ରୁ ୮୦ ଶତକଡ଼ା ଉପଲବ୍ଧ ହେଉ ନ ଥିଲା ବେଳେ ଅନ୍ୟ ପଟେ ‘ଡ୍ରାଏ ଫଡର’ର ଅଭାବ ବିଡ଼ମ୍ବନାର ବିଷୟ ନିଶ୍ଚୟ।
ଗୋଟେ ଗାଈ କିମ୍ବା ମଇଁଷି କ୍ଷୀରର ଉତ୍ତମ ଗୁଣବତ୍ତା ଓ ଅଧିକ ପରିମାଣ ପାଇଁ ‘ଡ୍ରାଏ ଫଡର’ ତୁଳନାରେ ‘ଗ୍ରିନ ଫଡର’ ଅଧିକ ପସନ୍ଦଯୋଗ୍ୟ। ଯେହେତୁ ଆମ ରାଜ୍ୟରେ ‘ଗ୍ରିନ ଫଡର’ର ସ୍ଥିତି ଅତ୍ୟନ୍ତ ଶୋଚନୀୟ, ତାହା ଆମ ରାଜ୍ୟର କ୍ଷୀର ଉତ୍ପାଦନ ଓ ଗୁଣବତ୍ତାରେ ପ୍ରତିଫଳିତ ହେଉଛି। ନିକଟରେ ପ୍ରକାଶିତ ନାବାର୍ଡ ରିପୋର୍ଟ ଅନୁସାରେ ଗୋଟେ ଜର୍ସି ଗାଈ ଜାତୀୟ ସ୍ତରରେ ଦୈନିକ ୯ ଲିଟର କ୍ଷୀର ଦେଉଥିଲା ବେଳେ ଆମ ରାଜ୍ୟରେ ତାହା ହେଉଛି ୬ ଲିଟର। ଗୋଟେ ଦେଶୀ ଗାଈ ଜାତୀୟ ସ୍ତରରେ ଦୈନିକ ୫ ଲିଟର କ୍ଷୀର ଦେଉଥିଲା ବେଳେ ଆମ ରାଜ୍ୟରେ ତା’ର ପରିମାଣ ହେଉଛି ମାତ୍ର ୩ ଲିଟର। ସେହିପରି ଗୋଟେ ମଇଁଷି ଜାତୀୟ ସ୍ତରରେ ଦୈନିକ ୭ ଲିଟର କ୍ଷୀର ଦେଉଥିଲା ବେଳେ ଆମ ରାଜ୍ୟରେ ତାହା ହେଉଛି ୫ ଲିଟର। ‘ନନ୍ଡେସ୍କ୍ରିପ୍ଟ’ ବର୍ଗର ମଇଁଷି ଜାତୀୟ ସ୍ତରରେ ଦୈନିକ ୫ ଲିଟର କ୍ଷୀର ଦେଉଥିଲା ବେଳେ ଆମ ରାଜ୍ୟରେ ତାହା ହେଉଛି ୧ ଲିଟର। ଅର୍ଥାତ୍ ଜାତୀୟ ସ୍ତର ଠାରୁ ଆମ ରାଜ୍ୟର ଦୈନିକ କ୍ଷୀର ଉତ୍ପାଦନ ବେଶ୍ କମ୍।
ଏବେ ମୁଣ୍ଡ ପିଛା କ୍ଷୀର ବ୍ୟବହାର ଉପରେ ଦୃଷ୍ଟି ଦେବା। ଆମ ଦେଶରେ ଜାତୀୟ ସ୍ତରରେ ଲୋକଙ୍କୁ ଦୈନିକ ମୁଣ୍ଡପିଛା ୪୪୪ ଗ୍ରାମ୍ କ୍ଷୀର ଉପଲବ୍ଧ ହୋଇଥାଏ। ହରିୟାଣାରେ ଏହି ପରିମାଣ ତିନି ଗୁଣ ଅଧିକା ଅର୍ଥାତ୍ ୧,୧୦୫ ଗ୍ରାମ, ପଞ୍ଜାବରେ ୧,୨୪୫ ଗ୍ରାମ, ରାଜସ୍ଥାନରେ ୧,୧୭୧ ଗ୍ରାମ, କର୍ଣ୍ଣାଟକରେ ୫୪୩ ଗ୍ରାମ ଓ ତାମିଲନାଡୁରେ ୪୧୪ ଗ୍ରାମ।। ଅଥଚ ଆମ ରାଜ୍ୟରେ ଦୈନିକ ମୁଣ୍ଡପିଛା କ୍ଷୀରର ଉପଲବ୍ଧତା ହେଉଛି ମାତ୍ର ୧୫୬ ଗ୍ରାମ, ଯାହା ନିକଟ ଅତୀତରେ ପ୍ରକାଶିତ ନାବାର୍ଡ ରିପୋର୍ଟରେ ପ୍ରକାଶିତ। ଏହା ହେଉଛି ରାଜ୍ୟରେ ଉପଯୁକ୍ତ ଗୋଖାଦ୍ୟ ନ ମିଳିବାର ପରିଣାମ।
ରାଜ୍ୟରେ ‘ଗ୍ରିନ ଫଡର’ ନ ମିଳିବାର ଅନେକ କାରଣ ରହିଛି। ପ୍ରଥମତଃ, ରାଜ୍ୟରେ ଜଳସେଚନର ସ୍ଥିତି; ହୁଏତ ଜଳସେଚନ ଅଭାବରୁ ଅନେକ ପଡ଼ିଆ ପଡୁଛି। ପାର୍ଲିଆମେଣ୍ଟର ପ୍ରଶ୍ନୋତ୍ତରରେ ଥିବା ବିବରଣୀ ଅନୁଯାୟୀ ଆମ ରାଜ୍ୟରେ ସମୁଦାୟ ୪୧,୦୨,୦୦୦ ହେକ୍ଟର ଚାଷ ଯୋଗ୍ୟ ଜମି (ନେଟ୍ ସୋନ୍ ଏରିଆ) ରହିଛି, ଯହିଁରୁ ମାତ୍ର ୧୧,୩୭,୦୦୦ ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା ରହିଛି। ବାକି ୨୯,୬୫,୦୦୦ ହେକ୍ଟର ଚାଷ ଜମି ଆଂଶିକ ବା ଅଣ ଜଳସେଚିତ, ଯାହାର ଅର୍ଥ ପ୍ରାୟ ଶତକଡ଼ା ୭୨ ଭାଗ ଜମିରେ ଜଳସେଚନର ଆଦୌ ବା ଯେଥଷ୍ଟ ସୁବିଧା ନାହିଁ। ଦ୍ବିତୀୟ କାରଣଟି ହେଲା, ଆମ ରାଜ୍ୟରେ କ୍ଷୀର ଚାଷୀମାନଙ୍କର ମୁଣ୍ଡପିଛା ଚାଷ ଜମିର ପରିମାଣ ପ୍ରାୟତଃ କମ୍ ହୋଇଥିବାରୁ ‘ଗ୍ରିନ ଫଡର’ ଚାଷ ସମ୍ଭବପର ହୋଇପାରୁ ନାହିଁ। ସେମାନଙ୍କ ପାଖରେ ଯେତିକି ଜମି ଅଛି ତାହା ଧାନ ଚାଷରେ ଲାଗେ। କୁହାଯାଇପାରେ ଯେ ଧାନ ଚାଷ ପ୍ରତି ଆମ ଚାଷୀଙ୍କ ଆସକ୍ତି ହେତୁ ‘ଗ୍ରିନ ଫଡର’ର ଉତ୍ପାଦନ ପ୍ରତି ଧ୍ୟାନ ଯାଉନାହିଁ। ପଞ୍ଜାବ, ହରିୟାଣା, ଗୁଜରାଟ ଓ କର୍ଣ୍ଣାଟକରେ ‘ଗ୍ରିନ ଫଡର’ ଚାଷ ପାଇଁ ଯେଉଁଭଳି ସରକାରୀ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି, ସେମିତି ଆମ ରାଜ୍ୟରେ ନାହିଁ। ସୁତରାଂ ଗୋଖାଦ୍ୟର ଚାହିଦା ପୂରଣ ପାଇଁ ‘ଡ୍ରାଏ ଫଡର’ ଉପରେ ଆମ ରାଜ୍ୟର ଦୁଗ୍ଧ ଚାଷୀମାନେ ନିର୍ଭର କରିବା ସ୍ୱାଭାବିକ। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା, ‘ଓମଫେଡ’ ଦ୍ବାରା ଯଦିଓ ‘ଡ୍ରାଏ ଫଡର’ ଯୋଗାଣ ହେଉଛି, ତାହା କିନ୍ତୁ ରାଜ୍ୟର ଚାହିଦା ପୂରଣ ପାଇଁ ଯଥେଷ୍ଟ ନୁହେଁ। ଅବଶ୍ୟ, ରାଜ୍ୟରେ ଆଉ ଦୁଇ ତିନିଟି ବଡ଼ ବଡ଼ ଘରୋଇ ସଂସ୍ଥା ମଧ୍ୟ ପ୍ୟାକେଟ ଗୋଖାଦ୍ୟ ଯୋଗାଣ କରୁଛନ୍ତି, କିନ୍ତୁ, ରାଜ୍ୟର ଚାହିଦା ମେଣ୍ଟାଇବାରେ ତାହା ସହାୟକ ହେଉ ନାହିଁ। ଏବେ ଆମ ରାଜ୍ୟରେ ବାହାର ରାଜ୍ୟର ଓ ଜାତୀୟ ସ୍ତରର କମ୍ପାନି ଦ୍ୱାରା ଉତ୍ପାଦିତ ପ୍ୟାକେଟ ଗୋଖାଦ୍ୟ ବିକ୍ରି ହେଉଛି। ଏଣେ ଆମ ରାଜ୍ୟରେ କଞ୍ଚାମାଲର ସୁବିଧା ଓ ଅନ୍ୟାନ୍ୟ ସୁଯୋଗ ଅଛି, ଯଦ୍ଦ୍ବାରା ଗୋଖାଦ୍ୟକୁ ନେଇ ଆତ୍ମନିର୍ଭର ହେବାରେ ବିଶେଷ ଅନ୍ତରାୟ ଉପୁଜିବ ନାହିଁ।
Vedanta: ୨୨,୦୦୦ ପରିବାରକୁ ସୌରଶକ୍ତି ଆଲୋକ ପ୍ରଦାନ କରୁଛି ବେଦାନ୍ତର ପ୍ରକଳ୍ପ ଜ୍ୟୋତି
ଏବେ ଏକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା। ଆମ ରାଜ୍ୟରେ ପାଖାପାଖି ୧୧୫ ଲକ୍ଷ ଟନ ଧାନ ଅମଳ ହେଉଛି। ହେଲେ, ରାଜ୍ୟରେ ଧାନର ଆବଶ୍ୟକତା ହେଉଛି ମାତ୍ର ୬୫ ଲକ୍ଷ ଟନ। ରାଜ୍ୟର ଭବିଷ୍ୟତ ପାଇଁ ଯଦି ୧୦ରୁ ୧୫ ଲକ୍ଷ ଟନ ଧାନ ବଫର ଷ୍ଟକ ଭାବେ ସଂଚୟ କରି ରଖାଯାଏ, ତେବେ ରାଜ୍ୟରେ ଆହୁରି ୩୫ରୁ ୪୦ ଲକ୍ଷ ଟନ ବଳକା ରହିଯିବ। ତେେବ, ଏଥିରୁ କିଛି ଧାନ ଭାରତ ସରକାରଙ୍କର ‘ଫୁଡ କର୍ପୋରେସନ ଅଫ ଇଣ୍ଡିଆ’ ବା ଏଫ.ସି.ଆଇ. କିଣି ନେଇ ଯାଇଥାଏ। ଆମ ରାଜ୍ୟର ଚାଉଳ ପ୍ରାୟତଃ ଉଷୁନା, ଯାହା ଦେଶର ଅନେକ ରାଜ୍ୟର ଲୋକ ଖାଆନ୍ତି ନାହିଁ। ତେଣୁ ଏଫ.ସି.ଆଇ. ଓଡ଼ିଶାର ଚାଉଳ କିଣିବା ପଥରେ ଏକ ପ୍ରକାର ପ୍ରତିବନ୍ଧକ ରହିଛି। ଏହି ଦିଗରୁ ଦେଖିଲେ ରାଜ୍ୟ ସରକାରଙ୍କ ଦ୍ୱାରା ସଂଗୃହୀତ ଚାଉଳର ବଳକା ଭାଗ ଏବେ ରାଜ୍ୟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେଣୁ ଧାନ ଚାଷକୁ ବଦଳରେ ‘ଗ୍ରିନ ଫଡର’ ଚାଷକୁ ପ୍ରୋତ୍ସାହନ ଦିଆଯିବା ଉଚିତ। ତୃତୀୟତଃ, ବଳକା ଧାନର କୁଣ୍ଡା ଏବଂ ବଳକା ଚାଉଳର ଖୁଦର ପ୍ରକ୍ରିୟାକରଣ ମାଧ୍ୟମରେ ପ୍ରାଣୀ ଖାଦ୍ୟ ତିଆରି କରାଯାଇପାରେ, ଯାହା ‘ଡ୍ରାଏ ଫଡର’ର ନିଅଣ୍ଟର କିଛିଟା ଭରଣା କରି ପାରନ୍ତା। ତେଣୁ, ରାଜ୍ୟର ଉଦ୍ୟୋଗୀମାନଙ୍କୁ ଏ ଦିଗରେ ଉତ୍ସାହିତ କରାଯିବା ଆବଶ୍ୟକ। ଉଲ୍ଲେଖ ଥାଉକି ପଞ୍ଜାବରେ ବଡ଼ ୧୦ଟି କମ୍ପାନି ଗୋଖାଦ୍ୟ ପ୍ଲାଣ୍ଟ ବସାଇ ଭଲ ବ୍ୟବସାୟ କରୁଛନ୍ତି। ଏବେ ପଞ୍ଜାବ ହେଉଛି ଗୋଖାଦ୍ୟରେ ନଗଦ ବଳକା ରାଜ୍ୟ। ମଧ୍ୟପ୍ରଦେଶ ମଧ୍ୟ ଗୋଖାଦ୍ୟ ଉପଲବ୍ଧତାରେ ବଳକା ରାଜ୍ୟ ହୋଇସାରିଲାଣି। ଗୁଜରାଟରେ ‘ଅମୁଲ’ର ସକ୍ରିୟତା ଯୋଗୁଁ ତାହା ଗୋଖାଦ୍ୟ ଯୋଗାଣରେ ବଳକା ରାଜ୍ୟ ରୂପେ ଅନ୍ୟ ରାଜ୍ୟକୁ ଗୋଖାଦ୍ୟ ଯୋଗାଉଛି। ପୂର୍ବରୁ ତାମିଲନାଡୁରେ ଗୋଖାଦ୍ୟ ଅଭାବ ଥିଲା; କିନ୍ତୁ ଗଲା ପାଞ୍ଚ ବର୍ଷ ହେଲାଣି ସ୍ଥାନୀୟ ଉଦ୍ୟୋଗୀମାନେ ଜାତୀୟ ସ୍ତରର ୧୦ରୁ ୧୫ଟି ବଡ଼ କମ୍ପାନି ପ୍ରତିଷ୍ଠା କରି ରାଜ୍ୟରେ ଭଲ ଗୋଖାଦ୍ୟ ବ୍ୟବସାୟ କରୁଛନ୍ତି। ଅଥଚ, ଆମ ରାଜ୍ୟ କେବଳ ‘ଓମଫେଡ’ ଓ ହାତଗଣତି ଦୁଇ ତିନିଟି ଘରୋଇ କମ୍ପାନି ଉପରେ ନିର୍ଭରଶୀଳ। ସୂଚନା ଥାଉକି, ପଶୁ ଖାଦ୍ୟ ବ୍ୟବସାୟର ବାର୍ଷିକ ବଜାର ମୂଲ୍ୟ ପାଖାପାଖି ୧.୨୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି, ଯାହାକି ୨୦୩୫ ସୁଦ୍ଧା ୧.୮୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ତେଣୁ ଆମ ରାଜ୍ୟରେ ଏହି କ୍ଷେତ୍ରରେ ନୂଆ ଉଦ୍ୟୋଗୀ ସୃଷ୍ଟି କରାଯିବା ଉଚିତ, ଯେଉଁମାନଙ୍କ ଲାଗି ବ୍ୟବସାୟ ସମ୍ଭାବନା ମଧ୍ୟ ଉଜ୍ଜ୍ବଳ।
ଆମ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଜରିଆରେ ରାଜ୍ୟରେ ଗୋ-ସମ୍ପଦର ଉନ୍ନତି ପାଇଁ ୧୪୨୪ କୋଟି ଟଙ୍କାର ବଜେଟ କରିଛନ୍ତି, ଯାହା ସ୍ବାଗତଯୋଗ୍ୟ। କ୍ଷୀର ଚାଷୀମାନଙ୍କୁ ‘ଓମଫେଡ’ ଯୋଗାଉଥିବା ଗୋଖାଦ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ। କିନ୍ତୁ ଏବର ପରିସ୍ଥିତି ଅନୁଯାୟୀ ଏ ଯୋଜନାର ପରିସର ବୃଦ୍ଧି ପାଇବା ଉଚିତ। ‘ଓମଫେଡ’ ଏ ଦିଗରେ ଅଧିକ ସକ୍ରିୟ ହେବା ଆବଶ୍ୟକ। ଚାରା ପ୍ରସ୍ତୁତି ପାଇଁ ପ୍ରତ୍ୟେକ ଜିଲ୍ଲାରେ ଛୋଟ ଛୋଟ ୟୁନିଟ ବସାଇଲେ ପ୍ରତ୍ୟେକ ଜିଲ୍ଲାର ଚାଷୀ ଉପକୃତ ହୁଅନ୍ତେ। ଏ ଦିଗରେ ଉଦ୍ୟୋଗୀମାନଙ୍କ ଧ୍ୟାନ ଆକର୍ଷଣ କରିବା ହେଉଛି ସରକାରଙ୍କ ଦାୟିତ୍ବ।
(ମତାମତ ଲେଖକଙ୍କ ନିଜସ୍ୱ)
ମୋ: ୯୭୯୧୧୨୧୦୬୮
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
