Bullet train: ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ରେ ୫୫୭ ଯାତ୍ରୀଙ୍କ ପାଇଁ ସୁବିଧା; ଘଣ୍ଟାପ୍ରତି ୨୮୦ କିମି ବେଗରେ ପରୀକ୍ଷା
ବେଙ୍ଗାଲୁରୁ: ଭାରତରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତୁତ ହେଉଛି।
'ବି-୨୮' ନାମରେ ନିର୍ମାଣ କରାଯାଉଥିବା ଏହି ଦ୍ରୁତଗାମୀ ଟ୍ରେନ୍ ମୁମ୍ବାଇ-ଅହମଦାବାଦ ଦ୍ରୁତଗତି ରେଳପଥରେ ଚାଲିବ।
ଏହାର ନିର୍ମାଣ କାର୍ଯ୍ୟ ବେଙ୍ଗାଲୁରୁସ୍ଥିତ ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ (ବିଇଏମ୍ଏଲ୍) କାରଖାନାରେ ଚାଲିଛି।
ରବିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାରଖାନା ପରିଦର୍ଶନ କରି ଟ୍ରେନ୍ ନିର୍ମାଣର ଅଗ୍ରଗତି ଅନୁଧ୍ୟାନ କରିଥିଲେ।
Advertisment ଏହି ଟ୍ରେନ୍ର ପରୀକ୍ଷାମୂଳକ ସର୍ବାଧିକ ବେଗ ଘଣ୍ଟାପ୍ରତି ୨୮୦ କିଲୋମିଟର ରଖାଯାଇଛି।
ତେବେ ନିୟମିତ ଚଳାଚଳ ସମୟରେ ଏହା ଘଣ୍ଟାପ୍ରତି ପ୍ରାୟ ୨୪୯ କିଲୋମିଟର ବେଗରେ ଗତି କରିବ।
ପ୍ରାୟ ୨୦୨ ମିଟର ଲମ୍ବ ଏହି ଟ୍ରେନ୍ରେ ମୋଟ ୮ଟି କୋଚ୍ ରହିବ।
ଏଥିରେ ଏକକାଳୀନ ପ୍ରାୟ ୫୫୭ ଜଣ ଯାତ୍ରୀ ଯାତ୍ରା କରିପାରିବେ।
ଟ୍ରେନ୍ରେ ୪ଟି ମୋଟର କୋଚ୍ ଓ ୪ଟି ଟ୍ରେଲର କୋଚ୍ ରହିବ।
ଏହାର ୭ଟି କୋଚ୍ ସାଧାରଣ ଶ୍ରେଣୀର ହୋଇଥିବାବେଳେ ଗୋଟିଏ କୋଚ୍ ଉଚ୍ଚ ଶ୍ରେଣୀର ରହିବ।
ସାଧାରଣ ଶ୍ରେଣୀରେ ଗୋଟିଏ ଧାଡ଼ିରେ ତିନିଟି ଓ ଅନ୍ୟ ଧାଡ଼ିରେ ଦୁଇଟି ଆସନ ରହିବ।
ଉଚ୍ଚ ଶ୍ରେଣୀରେ ଦୁଇଟି ଧାଡ଼ିରେ ଦୁଇଟି ଲେଖାଏଁ ଆସନ ରହିବ।
ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନ୍ରେ ଅନେକ ଆଧୁନିକ ବ୍ୟବସ୍ଥା କରାଯାଉଛି।
ଆରାମଦାୟକ ଆସନ, ପାଦ ରଖିବା ପାଇଁ ଯଥେଷ୍ଟ ସ୍ଥାନ, ପ୍ରତ୍ୟେକ ଧାଡ଼ି ପାଖରେ ବଡ଼ ଝରକା, ଏଲ୍ଇଡି ଆଲୋକ ଓ ସାମଗ୍ରୀ ରଖିବା ପାଇଁ ଉପର ରୢାକ୍ ରହିବ।
ବଡ଼ ସୁଟ୍କେସ୍ ରଖିବା ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିବ।
ମୋବାଇଲ୍ ଫୋନ୍ ଓ ଲାପ୍ଟପ୍ ଚାର୍ଜ କରିବା ପାଇଁ ଆସନ ନିକଟରେ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ରହିବ।
ଆଧୁନିକ ଜୈବ ପରିଚାଳିତ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଉଛି।
ଯାତ୍ରୀଙ୍କୁ ଯାତ୍ରା ସମ୍ପର୍କିତ ସୂଚନା ଦେବା ପାଇଁ କୋଚ୍ ଭିତରେ ଏଲ୍ସିଡି ପରଦା ଲାଗିବ।
ଏଥିରେ ଇଂରାଜୀ, ହିନ୍ଦୀ ଓ ଆଞ୍ଚଳିକ ଭାଷାରେ ସୂଚନା ମିଳିବ।
ସ୍ୱୟଂଚାଳିତ ଘୋଷଣା ବ୍ୟବସ୍ଥା ସହ ୱାଇ-ଫାଇ ଆଧାରିତ ମନୋରଞ୍ଜନ ସୁବିଧା ରହିବ।
ଜରୁରୀ ପରିସ୍ଥିତିରେ ଯାତ୍ରୀ ଟ୍ରେନ୍ କର୍ମଚାରୀଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିବେ।
Westbengal: ପଶ୍ଚିମବଙ୍ଗରେ ଚାଲିବ ବୁଲେଟ୍ ଟ୍ରେନ୍ : ୬ ଘଣ୍ଟାରେ ଦିଲ୍ଲୀରୁ ସିଲିଗୁଡ଼ି ଯାତ୍ରା ଦିବ୍ୟାଙ୍ଗ ଓ ଚଳପ୍ରଚଳରେ ଅସୁବିଧା ଭୋଗୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।
ଟ୍ରେନ୍ର ଚଟାଣ ଓ ପ୍ଲାଟ୍ଫର୍ମର ଉଚ୍ଚତା ସମାନ ରଖାଯିବ।
ଦ୍ୱାରରେ ସ୍ୱତନ୍ତ୍ର ପାହାଚ, ହ୍ୱିଲ୍ଚେୟାର ଯିବା ପାଇଁ ଉପଯୁକ୍ତ ଦ୍ୱାର, ସ୍ୱତନ୍ତ୍ର ଆସନ ଓ ଶୌଚାଳୟ ରହିବ।
ଦୃଷ୍ଟିବାଧିତ ଯାତ୍ରୀଙ୍କ ପାଇଁ ବ୍ରେଲ୍ ଲିପିରେ ସୂଚନା ଫଳକ ଲଗାଯିବ।
ଟ୍ରେନ୍ଟି ୨୫ କିଲୋଭୋଲ୍ଟ ବିଦ୍ୟୁତ୍ ବ୍ୟବସ୍ଥାରେ ଚାଲିବ।
ଏଥିରେ ଶକ୍ତି ସଞ୍ଚୟକାରୀ ବ୍ରେକ୍ ବ୍ୟବସ୍ଥା ରହିବ।
ଅଧିକ ବେଗରେ ଗତି କଲାବେଳେ ଶବ୍ଦ ଓ ବାୟୁର ପ୍ରତିରୋଧ କମାଇବା ପାଇଁ ଏହାର ଆଗ ଅଂଶ ଓ ଶରୀରକୁ ବୈଜ୍ଞାନିକ ପଦ୍ଧତିରେ ନିର୍ମାଣ କରାଯାଉଛି।
ରେଳବାଇର ଯୋଜନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ-ଅହମଦାବାଦ ଦ୍ରୁତଗତି ରେଳପଥର ସୁରତ-ଭାପି ଅଂଶରେ ବୁଲେଟ୍ ଟ୍ରେନ୍ ଚଳାଚଳ ଆରମ୍ଭ କରିବା ଲକ୍ଷ୍ୟ ରହିଛି।
ଏହି ଅଂଶରେ ୨୦୨୭ ଅଗଷ୍ଟରୁ ବାଣିଜ୍ୟିକ ଚଳାଚଳ ଆରମ୍ଭ କରିବାକୁ ଯୋଜନା କରାଯାଇଛି।
ପରବର୍ତ୍ତୀ ସମୟରେ ଦୁଇଟି ୮ କୋଚ୍ ବିଶିଷ୍ଟ ଟ୍ରେନ୍କୁ ଯୋଡ଼ି ୧୬ କୋଚ୍ର ଟ୍ରେନ୍ ଚଳାଇବାର ମଧ୍ୟ ଯୋଜନା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
