Body Taken Back From Funeral Bier: ଶେଷ ମୁହୂର୍ତ୍ତରେ ଅଟକିଲା ଅନ୍ତିମ ଯାତ୍ରା, କୋକେଇରୁ ମେଡିକାଲ ଗଲା ମୃତଦେହ
କୋକେଇ ବନ୍ଧା ସରିଥିଲା, ଶ୍ମଶାନକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ କୋକେଇରୁ ମୃତଦେହ ଉଠାଇଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପାଟଣା ଗାଁରେ। ନାବାଳକଙ୍କ ମୃତଦେହର ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ ନେଲେ ପରିବାର ଲୋକେ।
ଗାଁର କିଶୋର ରଣାଙ୍କ ୧୪ ବର୍ଷୀୟ ପୁଅ ଶୋଇଥିବା ସମୟରେ ପାଟିରୁ ଫେଣ ବାହାରିବା ସହ ଅସୁସ୍ଥ ହୋଇପଡ଼ିଥିଲେ। ସାପ କାମୁଡିଥିବା ସନ୍ଦେହରେ ପରିବାର ଲୋକେ ନାବାଳକଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଲୋକେ ମୃତଦେହକୁ ଗାଁକୁ ଫେରାଇ ଆଣି ମଶାଣି ନେବାକୁ ପ୍ରସ୍ତୁତ ହେଉଥିଲେ।
କିନ୍ତୁ ମୃତଦେହର ବ୍ୟବଚ୍ଛେଦ ପାଇଁ ଶେଷ ମୁହୂର୍ତ୍ତରେ ମୃତଦେହକୁ କୋକେଇରୁ ଉଠାଇ ହସ୍ପିଟାଲ୍ ନେଇଥିଲେ। ଗରିବ ପରିବାର ସରକାରୀ ଅନୁଦାନରୁ ବଞ୍ଚିତ ନ ହୁଅନ୍ତୁ ଏ ଲକ୍ଷ୍ୟରେ ଗ୍ରାମବାସୀ ଏକଜୁଟ ହୋଇ ଏକ ଆମ୍ବଲାନ୍ସ ଡକାଇ ମୃତଦେହକୁ ମେଡ଼ିକାଲ ଆଣିଥିଲେ।ପରେ ନୀଳଗିରି ପୋଲିସ ପହଞ୍ଚି ରିପୋର୍ଟ କରିବା ସହ ଆଜି ବ୍ୟବଛେଦ ପରେ ଅନ୍ତିମ କ୍ରିୟା ସମାପନ ହେବ ବୋଲି ଜଣାପଡିଛି।