Crispy Ridge Gourd Cutlets: ଖାଇବାକୁ ପସନ୍ଦ କରିବେ ପିଲାଠୁ ବଡ଼, ଗରମାଗରମ ପ୍ରସ୍ତୁତ କରି ଖାଆନ୍ତୁ ଜହ୍ନି କଟଲେଟ
ଜହ୍ନି କଟଲେଟ ରେସିପି –
ସବୁଜ ପନିପରିବା ଆମ ଦେହ ପାଇଁ ହିତକର ଅଟେ। ସେଥିମଧ୍ୟରୁ ଜହ୍ନି ଏକ ପରିବା, ଯାହା ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ ଅଟେ। ବିଶେଷକରି ଖରା ଦିନରେ ଏହାକୁ ଖାଇଲେ ଲାଭ ମିଳିଥାଏ। କିନ୍ତୁ ଏହି ପରିବାର ନାଁ ଶୁଣିଲେ କିଛି ଲୋକଙ୍କ ମୁହଁ ଶୁଖିଯାଏ, ଖାସ କରି ପିଲାମାନଙ୍କୁ ଏହି ପରିବା ବିଶେଷ ଭଲ ଲାଗି ନଥାଏ। ସେଥିପାଇଁ ଜହ୍ନିରେ ଯଦି ଆପଣ କିଛି ନୂଆ ଓ ଟେଷ୍ଟି ରୋଷେଇ କରିବାକୁ ଚାହୁଛନ୍ତି, ତେବେ ଜହ୍ନିରେ କ୍ରିସ୍ପି କଟଲେଟ (Ridge Gourd Cutlets) ତିଆରି କରିପାରିବେ।
କଟଲେଟ ଟି ବାହାରୁ ମୁସମୁସିଆ ଓ ଭିତରୁ ନରମ ହୋଇଥିବାରୁ ପିଲାଙ୍କ ଠାରୁ ବଡ ସମସ୍ତଙ୍କୁ ପସନ୍ଦ ଆସିଥାଏ। ସବୁଠୁ ଭଲ କଥା ହେଉଛି ଏହାକୁ ପ୍ରସ୍ତୁତ କରିବା ପାଇଁ ବେଶି ସମୟ ଲାଗେ ନାହିଁ ଏବଂ ସହଜରେ ପ୍ରସ୍ତୁତ କରିହୁଏ। ଆସନ୍ତୁ ଜାଣିବା ଘରେ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର କଟଲେଟ କିପରି ତିଆରି କରିବା, ଏବଂ ଏହାକୁ ପ୍ରସ୍ତୁତ କରିବା ପାଇଁ କେଉଁ କେଉଁ ସାମଗ୍ରୀ ଆବଶ୍ୟକ।
ଆବଶ୍ୟକୀୟ ସାମଗ୍ରୀ –
• ଗୋଟିଏ କପ୍ ଜହ୍ନୀ (ଛୋଟ ଛୋଟ କରି କାଟିଥିବା)
• ଦୁଇଟି ସିଝା ଆଳୁ (ଚକଟା)
• ଦୁଇ ବଡ ଚାମଚ ବେସନ
• ଗୋଟିଏ ବଡ ଚାମଚ ଚାଉଳ ଗୁଣ୍ଡ
• ଗୋଟିଏ ଛୋଟ ଚାମଚ ଅଦା ରସୁଣ ବଟା
• କଞ୍ଚାଲଙ୍କା
• ଧନିଆ ପତ୍ର
• 1/ 2 ଚାମଚ ଲଙ୍କାଗୁଣ୍ଡ
• 1/ 2 ଚାମଚ ଗରମ ମସଲା
• ଲୁଣ (ସ୍ୱାଦ ଅନୁସାରେ)
• ତେଲ (କଟଲେଟ ସେକିବା ଭଳି)
ପ୍ରସ୍ତୁତ ପ୍ରଣାଳୀ:-
ପ୍ରଥମେ ଜହ୍ନିକୁ ଭଲ ଭାବରେ ଧୋଇ, ଚୋପା ଛଡାଇ ଛୋଟ ଛୋଟ କରି କାଟିବା। ଏଥିରେ ଅଳ୍ପ ଳୁଣ ମିଶାଇ ୧୦ ମିନିଟ ଛାଡିଦେବା। ଏହା ପରେ ଜହ୍ନୀକୁ ହାତରେ ଭଲ ଭାବରେ ଚିପୁଡି ପାଣି କାଢି ଦେବା।
ଗୋଟିଏ ବଡ ପାତ୍ରରେ କଟା ହୋଇଥିବା ଜହ୍ନୀ, ସିଝା ଆଳୁ ଚକଟା, ବେସନ, ଚାଉଳ ଗୁଣ୍ଡ, କଞ୍ଚାଲଙ୍କା, ଧନିଆ, ଅଦା ରସୁଣ ବଟା, ଲଙ୍କାଗୁଣ୍ଡ, ଗରମ ମସଲା, ଏବଂ ସ୍ବାଦ ଅନୁସାରେ ଲୁଣ ପକାଇବା। ଏହାକୁ ଭଲ ଭାବରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବା।
ଏବେ ପ୍ରସ୍ତୁତ ମିଶ୍ରଣରୁ ଛୋଟ ଛୋଟ ଗୋଲ ଆକାରର କରି କଟଲେଟ ପ୍ରସ୍ତୁତ କରିବା।
ଏକ ତାୱା କିମ୍ବା କଡେଇରେ ତେଲ ପକାଇବା। ତେଲ ଗରମ ହେବା ପରେ ତିଆରି କରିଥିବା କଟଲେଟକୁ ତାୱାରେ ପକାଇବା, ଦୁଇ ପାର୍ଶ୍ୱକୁ ଭଲ ଭାବରେ ସେକିବା ଯେପରି ଏହା ଭଲ ଭାବରେ ପ୍ରସ୍ତୁତ ହେବ।
ଗରମ ଗରମ ଜହ୍ନୀ କଟଲେଟକୁ ଟମାଟୋ ସସ୍ କିମ୍ବା ଧନିଆ ଚଟଣି ସହ ଖାଇଲେ ବେଶୀ ସ୍ବାଦିଷ୍ଟ ଲାଗିଥାଏ।