Big Update on Agniveer Permanent Recruitment: ଅଗ୍ନିବୀରଙ୍କ ପାଇଁ ଆସିପାରେ ବଡ଼ ପରିବର୍ତ୍ତନ, ବଢ଼ିବ କି ସ୍ଥାୟୀ ନିଯୁକ୍ତି?
ଭାରତୀୟ ସେନାରେ ବଢ଼ିପାରେ ଅଗ୍ନିବୀରଙ୍କ ସଂଖ୍ୟା। ୪ ବର୍ଷର ସେବା ସରିବା ପରେ ସ୍ଥାୟୀ ଭାବେ ରଖାଯାଉଥିବା ଅଗ୍ନିବୀରଙ୍କ ପ୍ରତିଶତ ବଢ଼ାଇବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି କେନ୍ଦ୍ର ସରକାର।
ସଶସ୍ତ୍ର ବଳ ଅଗ୍ନିବୀର ଯୋଜନାର ସମୀକ୍ଷା କରୁଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ତେବେ ଏହା ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଆଧିକାରିକ ଭାବେ ଘୋଷଣା ହୋଇନାହିଁ।ସଶସ୍ତ୍ର ବାହିନୀ (ଆର୍ମି, ନୌସେନା ଓ ବାୟୁସେନା) ଅଗ୍ନିବୀରମାନଙ୍କ ମଧ୍ୟରୁ ସ୍ଥାୟୀ ଭାବେ ନିଯୁକ୍ତ କରାଯିବାର ପ୍ରତିଶତ ବଢ଼ାଇବାକୁ ଚାହୁଁଛନ୍ତି। ବର୍ତ୍ତମାନ ତିନୋଟି ବାହିନୀ ପାଇଁ ଏହି ହାର ୨୫% ରହିଛି।
ଅଗ୍ନିପଥ ଯୋଜନା ଅନୁସାରେ ନିଯୁକ୍ତ ହୋଇଥିବା ଅଗ୍ନିବୀରମାନେ ୨୦୨୩ ମସିହାର ପ୍ରାରମ୍ଭରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ପ୍ରଥମ ବ୍ୟାଚର ଅଗ୍ନିବୀରମାନେ ଚଳିତ ବର୍ଷ ଶେଷ ସୁଦ୍ଧା ସେମାନଙ୍କର ୪ ବର୍ଷର କାର୍ଯ୍ୟକାଳ ପୂରଣ କରିବେ। ପ୍ରଥମେ ସମସ୍ତ ଅଗ୍ନିବୀରଙ୍କୁ ସେବାରୁ ମୁକ୍ତ କରାଯିବ। ପରେ, ଯେଉଁମାନେ ସ୍ୱଇଚ୍ଛାରେ ସେବା ଜାରି ରଖିବାକୁ ଚାହିଁବେ ଏବଂ ଯୋଗ୍ୟତା ଆଧାରରେ ଚୟନିତ ହେବେ, ସେମାନଙ୍କୁ ନିୟମିତ ସୈନିକ ଭାବେ ପୁନଃ ନିଯୁକ୍ତ କରାଯିବ।
ନୌସେନା ପ୍ରାୟ ୭୫% ଅଗ୍ନିବୀରଙ୍କୁ ସ୍ଥାୟୀ କରିବା ପ୍ରସ୍ତାବ ଦେଇପାରେ। ସ୍ଥଳସେନା (ଆର୍ମି) ଓ ବାୟୁସେନା (IAF) ବର୍ତ୍ତମାନର ୨୫% ରୁ ବଢ଼ାଇ ପ୍ରାୟ ୫୦% କରିବାକୁ ଚାହିଁପାରନ୍ତି। ଏହା ପଛର ମୁଖ୍ୟ କାରଣ ହେଉଛି, ଗତ ୪ ବର୍ଷ ଧରି ପ୍ରଶିକ୍ଷିତ ହୋଇ ବିଭିନ୍ନ ଅଭିଯାନରେ ଭାଗ ନେଇଥିବା ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ପ୍ରଯୁକ୍ତି ବ୍ୟବହାରରେ ଦକ୍ଷ ସୈନିକମାନଙ୍କୁ ଅଧିକ ସଂଖ୍ୟାରେ ରଖିବାର ଆବଶ୍ୟକତା ଅନୁଭବ କରାଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଏପର୍ଯ୍ୟନ୍ତ କେବଳ ଏକ ପ୍ରସ୍ତାବ। ସରକାର କିମ୍ବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପରିବର୍ତ୍ତନ ସମ୍ପର୍କରେ କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ନିଯୁକ୍ତିର ହାର ୨୫% ହିଁ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।