Bhubaneswar Hit-and-Run Horror: ରାଜଧାନୀର ରାତିରେ ଛାତି ଥରାଉଛନ୍ତି କିଲର ଡ୍ରାଇଭର, ନିଶାଗ୍ରସ୍ତ ହୋଇ ମାରୁଛନ୍ତି ମଣିଷ

Jul 14, 2026 - 19:53
Bhubaneswar Hit-and-Run Horror: ରାଜଧାନୀର ରାତିରେ ଛାତି ଥରାଉଛନ୍ତି କିଲର ଡ୍ରାଇଭର, ନିଶାଗ୍ରସ୍ତ ହୋଇ ମାରୁଛନ୍ତି ମଣିଷ

ସୋମବାର ରାତି ପ୍ରାୟ ୧୦ଟା ୪୦ ମିନିଟ୍। ଭୁବନେଶ୍ବର ଶାସ୍ତ୍ରୀନଗର ଟ୍ରାଫିକ୍ ପୋଷ୍ଟ। ଜୟଦେବ ବିହାର ପଟୁ ମାଡି ଆସିଥିଲା ଏକ ଲକ୍ସଜୁରୀ କାର୍। ଯାହାକୁ ଚଳାଉଥିଲେ ଜୟଦେବ ବିହାରର ଆଇନ ଛାତ୍ର ସୌମ୍ୟରଞ୍ଜନ ରଥ। ଗାଡ଼ିରେ ଲାଗିଥିଲା ହାଇ ମ୍ୟୁଜିକ୍, ସାଙ୍ଗରେ ଥିଲେ ବାନ୍ଧବୀ। ସ୍ପିଡ୍ ୯୦ରୁ ୧୦୦ କିଲୋମିଟର। ମ୍ୟୁଜିକ୍ ର ମଜା ସହ ମଦ ନିଶାରେ ଚୁର୍ ଥିଲେ ଚାଳକ ସୌମ୍ୟ ରଞ୍ଜନ। ଠିକ୍ ଏତିକିବେଳେ 120 ବାଟାଲିୟନ ପଟୁ ଆସି ରେଡକ୍ରସ୍ ଛକ ଆଡକୁ ଯାଉଥିବା ଏକ ବାଇକକୁ ଦେଇଥିଲେ ଜୋରଦାର ଧକ୍କା। ଦୁର୍ଘଟଣା ଏତେ ଜୋର୍ ଥିଲା ଯେ ବାଇକ୍ ଚାଳକ ଦେବୀ ପ୍ରସାଦ ପ୍ରାୟ ୨୦ ଫୁଟ୍ ଉପରକୁ ଉଠି ରାସ୍ତାରେ କଚାଡ଼ି ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ଦେବୀଙ୍କ ଜୀବନ। ଆଉ ତାପରେ ଦେଖାଦେଇଥିଲା ତୀବ୍ର ଉତ୍ତେଜନା। ୨ ଘଣ୍ଟା ଧରି ହୋଇଯାଇଥିଲା ରାସ୍ତା ଜାମ୍ । ଉଭୟ ସୌମ୍ୟ ଓ ତାଙ୍କ ବାନ୍ଧବୀଙ୍କୁ ଘେରିଯାଇଥିଲେ ଲୋକେ। ସ୍ଥିତି ଏଭଳି ହୋଇଯାଇଥିଲା, ଯେମିତି ଆଉ ଏକ ଭିଡ଼ହିଂସା ହାତଠାରି ଡାକୁଥିଲା। ହେଲେ ତୁରନ୍ତ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଉଭୟଙ୍କୁ ଥାନାକୁ ନେଇ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା। ସିସିଟିଭି ଯାଞ୍ଚ ଏବଂ ମେଡିକାଲ ଟେଷ୍ଟ କରାଯିବା ସହିତ ସୌମ୍ୟଙ୍କ ବିରୋଧରେ ବିଏନଏସ୍ ଧାରା ୧୦୫, ୧୦୬(୧), ଏମଭି ଆକ୍ଟର ଧାରା ୧୮୫ ଏବଂ ଧାରା ୨୮୧ ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇଛି। 

ଏପଟେ ରୋଜଗାରିଆ ପୁଅକୁ ହରାଇ ଛାତିଫଟାଇ କାନ୍ଦୁଛି ପରିବାର। ଚୁରମାର ହୋଇଯାଇଛି ସବୁ ସ୍ବପ୍ନ । କିଛି ସେକେଣ୍ଡର ବେପରୁଆ ଡ୍ରାଇଭିଂ ଛଡ଼ାଇ ନେଲା ଗୋଟିଏ ପରିବାରର ହସ। ଯେଉଁ ଘରେ ଖୁସିର ମାହୋଲ ଥିଲା, ସେଠି ଆଜି ଦୁଃଖର ପାହାଡ଼ । ଅଭିଯୁକ୍ତ ବିରୋଧରେ କଠୋରରୁ କଠୋର ଦଣ୍ଡ ଦାବି କରିଛି ମୃତକଙ୍କ ପରିବାର। ମଦ୍ୟପାନ କରି ରାସ୍ତାରେ ଗାଡ଼ି ଚଳାଇବାର ଏଭଳି ପରିଣାମ ଆଉ କାହାର ପରିବାରକୁ ନ ଭୋଗିବାକୁ ପଡ଼ୁ ବୋଲି କୋହଭରା କଣ୍ଠରେ କହିଛ୍ତି ମୃତକଙ୍କ ପତ୍ନୀ ଓ ଭଉଣୀ। ତେବେ ନ୍ୟାୟ ନ ମିଳିଲେ ଥାନା ଆଗରେ ଧାରଣା ଦେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। 

ସେପଟେ ରାଜଧାନୀରେ ନିଶାସକ୍ତ ଅବସ୍ଥାରେ ବେପରୁଆ ଗାଡ଼ି ଚାଳନା ନେଇ ଆସିଛି ଚିନ୍ତାଜନକ ତଥ୍ୟ। ବର୍ଷକରେ ଡବଲ ହେଲାଣି ମାମଲା । ସୂଚନା ଅନୁସାରେ, ମଦ୍ୟପାନ କରି ଗାଡ଼ି ଚଳାଇବା ନେଇ ୨୦୨୫ ମସିହାରେ ୯୨୫ଟି ଗାଡ଼ି ଜବତ କରି କୋର୍ଟ ଚାଲାଣ କରାଯାଇଥିଲା। କିନ୍ତୁ ଚଳିତବର୍ଷ ମାତ୍ର ୬ ମାସ ମଧ୍ୟରେ ୧ ହଜାର ୬୩୨ଟି ଗାଡ଼ି ଜବତ ହେବା ସହ ଚାଳକଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।