ISKCON Bengaluru Supports Puri Rath Yatra Traditions: ଇସ୍କନରେ ବଡ଼ ଫାଟ, ଅଦିନିଆ ରଥଯାତ୍ରାରେ ମାତିଛି ଇସ୍କନ ସୋସାଇଟି ମୁମ୍ବାଇ

Jul 14, 2026 - 19:53
ISKCON Bengaluru Supports Puri Rath Yatra Traditions: ଇସ୍କନରେ ବଡ଼ ଫାଟ, ଅଦିନିଆ ରଥଯାତ୍ରାରେ ମାତିଛି ଇସ୍କନ ସୋସାଇଟି ମୁମ୍ବାଇ

ଅମାନିଆ ଇସ୍କନ ବିରୋଧରେ ତେଜୁଛି ପ୍ରତିବାଦ। ପୁରୀରେ ଜୋର ଧରିଛି ଇସ୍କନ ଗୋବ୍ୟାକ୍ ନାରା। ବିଦେଶରେ ଅଦିନରେ ବାରମ୍ବାର ରଥଯାତ୍ରା କରୁଥିବା ଅମାନିଆ ଇସ୍କନକୁ ରଥଯାତ୍ରାରୁ ତଡାଯିବ ବୋଲି କହିଛି କଳିଙ୍ଗ ସେନା। ଏହାରି ଭିତରେ ସାମ୍ନାକୁ ଆସିଛି ଇସ୍କନରେ ଫାଟ। ବେଙ୍ଗାଳୁରୁ ଇସ୍କନ ସୋସାଇଟି ପୁରୀ ରୀତିନୀତିରେ ଶ୍ରୀଜିଉଙ୍କ ରଥଯାତ୍ରା କରୁଥିବା ଏବଂ ଆଗକୁ ବି କରିବ ବୋଲି ଗଜପତି ମହାରାଜାଙ୍କୁ ଚିଠି ଲେଖି ସ୍ପଷ୍ଟ କରିଛି। ଯେଉଁଥିରେ ଏହି ଅନ୍ତର୍ଜାତୀୟ ସଂସ୍ଥା ସ୍ପଷ୍ଟ କରିଛି ଯେ, ଆମେ ମୂଳ ପୀଠ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ତିଥି ଅନୁସାରେ ହିଁ ରଥଯାତ୍ରା ଓ ସ୍ନାନ ଯାତ୍ରା କରୁଛୁ। ରୀତିନୀତି ଅନୁସାରେ ହିଁ ମହାପ୍ରଭୁଙ୍କ ସେବା କରିବା ପାଇଁ ସଂକଳ୍ପବଦ୍ଧ। ଆମେ ପଶ୍ଚିମବଙ୍ଗ ମାୟାପୁର ଇସ୍କନ ଶାଖା ଠାରୁ ପୂରା ଅଲଗା । ମାୟାପୁର ଇସ୍କନ ଶାଖା ‘ଇସ୍କନ ସୋସାଇଟି ମୁମ୍ବାଇ’ ସହ ପଞ୍ଜୀକୃତ। ଆମେ ‘ଇସ୍କନ ସୋସାଇଟି ମୁମ୍ବାଇ’ ସହ ନାହୁଁ, ପୁରୀ ପୀଠ ରୀତିନୀତି ମାନୁଛୁ। ଇସ୍କନ ସୋସାଇଟି ମୁମ୍ବାଇର ଗଭର୍ଣ୍ଣିଂ ବଡି କମିଶନରେ ବିଦେଶୀ ଭକ୍ତ ରହିଛନ୍ତି। ବିଦେଶରେ ଅଦିନିଆ ରଥଯାତ୍ରାକୁ ବିରୋଧ ସହ ଗଜପତିଙ୍କୁ ସମର୍ଥନ ଜଣାଉଥିବା ନେଇ ଚିଠିରେ ଅବଗତ କରିଛି ବେଙ୍ଗାଳୁରୁ ଇସ୍କନ ସୋସାଇଟି।

ବିଦେଶରେ ଅ-ତିଥିରେ ବାରମ୍ବାର ମହାପ୍ରଭୁଙ୍କ ରଥଯାତ୍ରା କରୁଥିବା ଇସ୍କନ ବିରୋଧରେ ତୀବ୍ର ହେଉଛି ବିରୋଧ। ଜଗନ୍ନାଥଙ୍କୁ ନେଇ ବ୍ୟବସାୟ ଓ ମହାପ୍ରଭୁଙ୍କ ଆଦ୍ୟସେବକଙ୍କୁ ଅପମାନ ସହ୍ୟ କରାଯିବନି ଯୁକ୍ତି ନେଇ ପୁରୀରେ ଗର୍ଜିଛି କଳିଙ୍ଗ ସେନା। ଇସ୍କନ ଭକ୍ତଙ୍କୁ ଶ୍ରୀକ୍ଷେତ୍ରରୁ ତଡିବାକୁ ଏହାର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି। 

ସେପଟେ ଇସ୍କନ୍ କମ୍ୟୁନିକେସନ ଅଫିସ୍ ନୂଆଦିଲ୍ଲୀ ଦ୍ବାରା ଗତ ୧୨ ତାରିଖରେ ଜାରି ହୋଇଥିବା ପ୍ରେସ୍ ରିଲିଜକୁ ବିଭ୍ରାନ୍ତିକର ଏବଂ ଭ୍ରମାତ୍ମକ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଇସ୍କନ ପ୍ରେସ ରିଲିଜରେ ଦର୍ଶାଇଥିଲା ଯେ ଇସ୍କନ ଏବଂ ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧିତ୍ବ କରୁଥିବା ପଣ୍ଡିତ ମାନଙ୍କ ମଧ୍ୟରେ ୨୦ ମାର୍ଚ୍ଚ ୨୦୨୫ରେ ବୈଠକ ହୋଇଥିଲା। ଏଥିରେ ଇସ୍କନ ପଣ୍ଡିତମାନେ ଇସ୍କନ ଦ୍ବାରା ଆୟୋଜିତ ଅଦିନିଆ ରଥଯାତ୍ରାକୁ ଶାସ୍ତ୍ର ଅନୁମୋଦିତ ବୋଲି ପ୍ରମାଣିତ କରିଥିଲେ। ତେବେ ଏହାକୁ ସଂପୂର୍ଣ୍ଣ ବିଭ୍ରାନ୍ତିକର ଏବଂ ମିଥ୍ୟା ବୋଲି ଦର୍ଶାଇଛି ଶ୍ରୀମନ୍ଦିର ପ୍ରଶାସନ। ଏହା ଅସତ୍ୟ ଉପରେ ଆଧାରିତ ଏବଂ ଶ୍ରଦ୍ଧାଳୁଙ୍କୁ ଭ୍ରମିତ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି। ସେହିପରି ୧୯୯୧-୯୨ରେ ବର୍ଲିନ ରଥଯାତ୍ରାରେ ଗଜପତି ମହାରାଜାଙ୍କ ସାମିଲକୁ ମିଥ୍ୟା ଏବଂ ବିଭ୍ରାନ୍ତିକର ଭାବେ ଇସ୍କନ ଦର୍ଶାଇଥିବା ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ। 

ଗଜପତିଙ୍କ ବାରମ୍ବାର ପ୍ରତିବାଦ ପରେ ଇସ୍କନର ମନମାନୀ ଉପରେ ରୋକ ଲଗାଇବାକୁ ଏବଂ ଶାସ୍ତ୍ରସମ୍ମତ ବିଧୀ ଅନୁସାରେ ହିଁ ମହାପ୍ରଭୁଙ୍କ ରଥଯାତ୍ରା କରିବା ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।