BCCI And Selectors Divided Over Rohit Sharma: ରୋହିତଙ୍କ ପାଇଁ BCCI ଓ ଚୟନ କମିଟି ମୁହାଁମୁହିଁ, ସାମ୍ନାକୁ ଆସିଲା ସତ

Aug 05, 2026 - 18:29
BCCI And Selectors Divided Over Rohit Sharma: ରୋହିତଙ୍କ ପାଇଁ BCCI ଓ ଚୟନ କମିଟି ମୁହାଁମୁହିଁ, ସାମ୍ନାକୁ ଆସିଲା ସତ

ଭାରତୀୟ କ୍ରିକେଟ୍‌ରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରୋହିତ ଶର୍ମା। ୨୦୨୭ ବିଶ୍ୱକପ୍ ଯୋଜନାକୁ ନେଇ BCCI ଓ ଚୟନ କମିଟି ମଧ୍ୟରେ ମତଭେଦ ଥିବା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି।

ଏକ ରିପୋର୍ଟ ଅନୁଯାୟୀ, ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଓ ଟିମ୍ ମ୍ୟାନେଜମେଣ୍ଟର କିଛି ସଦସ୍ୟଙ୍କ ମତ ଥିଲା ଯେ ରୋହିତ ଶର୍ମାଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ୍ ଯୋଜନାରେ ସାମିଲ କରାଯିବା ଉଚିତ୍ ନୁହେଁ। ଏପରିକି ତୃତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ତାଙ୍କୁ ଏହି ସଙ୍କେତ ମଧ୍ୟ ଦିଆଯାଇଥିବା ଚର୍ଚ୍ଚା ହୋଇଥିଲା।

କିନ୍ତୁ ମ୍ୟାଚ୍‌ର ଦୁଇ ଦିନ ପୂର୍ବରୁ BCCI ସଚିବ ଦେବଜିତ ସାଇକିଆ ସ୍ପଷ୍ଟ କରିଥିଲେ ଯେ ରୋହିତ ଶର୍ମା ଏବେ ବି ଭାରତୀୟ ଦଳର ଭବିଷ୍ୟତ ଯୋଜନାର ଅଂଶ। ଏହା ପରେ ଚୟନ କମିଟି ନିଜକୁ ‘ଧୋକା ଖାଇଥିବା’ ଭଳି ଅନୁଭବ କରିଥିବା ଦାବି କରିଛି ଏକ ରିପୋର୍ଟ।

ରିପୋର୍ଟରେ ଆହୁରି କୁହାଯାଇଛି, ସୋସିଆଲ୍ ମିଡିଆର ଚାପ ପରେ BCCI ନିଜ ଆଭିମୁଖ୍ୟ ବଦଳାଇଥିବା ବୋଲି କିଛି ଚୟନକର୍ତ୍ତା ବିଶ୍ୱାସ କରୁଛନ୍ତି। ସେମାନଙ୍କ ମତରେ, ରୋହିତ ଶର୍ମାଙ୍କୁ ଦଳରେ ରଖିଲେ ୨୦୨୭ ବିଶ୍ୱକପ୍ ଜିତିବା କଷ୍ଟକର ହୋଇପାରେ।

ଅନ୍ୟପଟେ, ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ କାର୍ଯ୍ୟକାଳକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ତାଙ୍କ ସ୍ଥାନରେ ଭାରତର ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ଦାୟିତ୍ୱ ଦିଆଯାଇପାରେ ବୋଲି ଖବର ମିଳୁଛି। ତେବେ ଏନେଇ BCCI ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।