Bathing and water: ସ୍ନାନଯାତ୍ରାର ସ୍ନାନ ଓ ଜଳ

Jun 28, 2026 - 08:37
Bathing and water: ସ୍ନାନଯାତ୍ରାର ସ୍ନାନ ଓ ଜଳ

"ଜ୍ୟେଷ୍ଠପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମଞ୍ଚସ୍ନାନ କରାଯାଇଥାଏ।

ଏହି ସ୍ନାନ ତାଙ୍କର ଦୈନନ୍ଦିନ ସ୍ନାନ ଠାରୁ ଭିନ୍ନ।

ଶ୍ରୀଜଗନ୍ନାଥାଦି ବିଗ୍ରହଙ୍କର ସ୍ନାନଯାତ୍ରାର ସ୍ନାନ ଶ୍ରୀମନ୍ଦିର ପରିସରରେ ଥିବା ସୁନାକୂଅ‌ର ଜଳରେ ସଂପନ୍ନ ହୋଇଥାଏ।

ସ୍ନାନଯାତ୍ରା ପ୍ରକୃତରେ ତାଙ୍କର ଏକ ଜଳ-ଲୀଳା।

ଏହି ଲୀଳାରେ ଅଂଶଗ୍ରହଣ କରିବା ପାଇଁ ସେ ନିଜେ ରତ୍ନସିଂହାସନ ଛାଡ଼ି ସ୍ନାନବେଦୀକୁ ଚାଲି ଆସିଥାଅାନ୍ତି।

ଏହି ସ୍ନାନ ଜଳ ଅତ୍ୟନ୍ତ ପବିତ୍ର।

ସ୍ନାନର ଦର୍ଶନ ତୀର୍ଥାଦି ସ୍ନାନଠାରୁ ଅଧିକ ପୁଣ୍ୟ ପ୍ରଦାନ କରିଥାଏ।

ସ୍ନାନଯାତ୍ରାର ସ୍ନାନ ଓ ଜଳକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ।ଆଲେଖ୍ୟ: ଅସିତ ମହାନ୍ତିAdvertisment ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜିତ ଶ୍ରୀଜଗନ୍ନାଥ ଦ୍ବିଭୁଜ।

କିନ୍ତୁ ମୂଳତଃ ସେ ଚତୁର୍ଭୁଜ।

ସେ ଶଙ୍ଖ, ଚକ୍ର, ଗଦା‌ ଓ ପଦ୍ମଧାରୀ ଶ୍ରୀନାରାୟଣ।

ସେଥିପାଇଁ ସ୍ନାନଯାତ୍ରାର ପରବର୍ତ୍ତୀ ଅଣସର ସମୟରେ ସେ ପଟିଦିଅଁ "ନାରାୟଣ" ରୂ‌େପ ପୂଜା ପାଆନ୍ତି।

ଏହି ପଟପ୍ରତିମା ବା ପଟବ୍ରହ୍ମଙ୍କର "ନାରାୟଣ" ମୂର୍ତ୍ତି ଚତୁର୍ଭୁଜ। "ନାରା" ଓ "ନାରାୟଣ""ନାରା"ର ଅର୍ଥ ଜଳ।

ଜଳ ଯାହାଙ୍କର "ଅୟନ" ବା ଅବଲମ୍ବନ, ସେ ନାରାୟଣ।

ଅନନ୍ତ ଶୟନ କାଳରେ, ଶ୍ରୀନାରାୟଣ ଅନନ୍ତନାଗଙ୍କୁ ଶଯ୍ୟା କରି, କ୍ଷୀରସମୁଦ୍ରରେ ଅବସ୍ଥାନ କରିଥାଆନ୍ତି।

ଏହାର ବହୁ ବର୍ଣ୍ଣନା ଶାସ୍ତ୍ର-ପୁରାଣରେ ଅଛି। "ସ୍କନ୍ଦପୁରାଣ-ଉତ୍କଳଖଣ୍ଡ"ରେ ଏହାର ସୁନ୍ଦର ବର୍ଣ୍ଣନା ରହିଛି।

ତାହା ଅନୁସାରେ, ଶ୍ରୀଜଗନ୍ନାଥଙ୍କୁ ଦାରୁବ୍ରହ୍ମ ରୂ‌ପରେ ପାଇବା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ଯେଉଁ ସହସ୍ର ଅଶ୍ବମେଧ ଯଜ୍ଞ କରିଥିଲେ, ସେହି ଯଜ୍ଞର ପୂର୍ଣ୍ଣାହୁତି ପାଇଁ ଆଉ ସାତ ଦିନ ବାକି ଥିବାବେଳେ, ପୂର୍ବରାତିର ଶେଷ ପ୍ରହରରେ ସେ ଧ୍ୟାନ‌େଯାଗରେ ଭଗବାନ ଶ୍ରୀବିଷ୍ଣୁଙ୍କର ଦର୍ଶନ ପାଇଥିଲେ।

ସେ ଦେଖିଲେ, ""ସ୍ଫଟିକ ନିର୍ମିତ ଶ୍ବେତଦ୍ବୀପ ଓ ତାହାର ଚତୁର୍ଦ୍ଦିଗବ୍ୟାପୀ କ୍ଷୀରସମୁଦ୍ର ଅବସ୍ଥିତ।

...

ସେହି ଦ୍ବୀପର ମଧ୍ୟଭାଗରେ ଦିବ୍ୟମଣିରେ ନିର୍ମିତ ଉତ୍କୃଷ୍ଟ ମଣ୍ଡପ ରହିଛି ଏବଂ ମଣ୍ଡପର ମଧ୍ୟଭାଗରେ ସୂର୍ଯ୍ୟକିରଣତୁଲ୍ୟ ଆଭାମୟ ରତ୍ନସିଂହାସନ ଉଜ୍ଜ୍ବଳ ଭାବେ ବିଦ୍ୟମାନ ଅଛି।

କ୍ଷୀରସାଗରର ଜଳକଲ୍ଲୋଳ ଓ ମୃଦୁ ଶୀତଳ ବାୟୁ ସଂସ୍ପର୍ଶରେ ତାହା ଅତ୍ୟନ୍ତ ମନୋରମ ହୋଇଛି।

ତାହାର ମଧ୍ୟଭାଗରେ, ସିଂହାସନ ଉପରେ, ଶଙ୍ଖ-ଚକ୍ର-ଗଦାଧର ଶ୍ରୀନାରାୟଣ ବିଦ୍ୟମାନ ରହିଛନ୍ତି। "ସ୍କନ୍ଦପୁରାଣ" (୧୮/୧୨-୧୩) ଅନୁସାରେ, ଏହି ଶ୍ବେତଦ୍ବୀପବାସୀ ଅବ୍ୟୟ ବିଷ୍ଣୁମୂର୍ତ୍ତି ଶ୍ରୀନାରାୟଣଙ୍କ ଶ୍ରୀଅଙ୍ଗରୁ ଏକ ରୋମ ସ୍ଖଳିତ ହୋଇ ତରୁ ରୂପ ଧାରଣ କରିଥିଲା ଏବଂ ତାହା ଭାସି ଆସି ମହୋଦଧିରେ ସେହି ଭଗବାନଙ୍କ ଅଂଶାବତାର ସ୍ବରୂପ ଦାରୁ ରୂପେ ଅବତୀର୍ଣ୍ଣ ହୋଇଥିଲା।

ସେହି ଦିବ୍ୟଦାରୁରେ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତି ଗଠିତ ହୋଇଥିଲେ।

ଜଳ (ସମୁଦ୍ର ବା କ୍ଷୀରସମୁଦ୍ର) କେବଳ ନୁହେଁ; ନିତ୍ୟକ୍ଷେତ୍ର ନୀଳାଚଳର ବିବରଣ ପ୍ରସଙ୍ଗରେ ମଧ୍ୟ ଶ୍ରୀନାରାୟଣଙ୍କର ଏହି ଜଳ-ସଂପର୍କ ବର୍ଣ୍ଣିତ ହୋଇଛି।

ବର୍ଣ୍ଣିତ ଅଛି- ପ୍ରଳୟ କାଳରେ ଯେତେବେଳେ ଚରାଚର ଜଗତ ପ୍ରଳୟ ଜଳରେ ବିଲୀନ ହୋଇଯାଏ, ସେତେବେଳେ ନିତ୍ୟକ୍ଷେତ୍ର ଭାବରେ କେବଳ ନୀଳାଚଳ ଓ ତାହାର କଳ୍ପବଟ ରହିଥାଏ।

ସେତେବେଳେ ଭଗବାନ ବିଷ୍ଣୁ, ବାଳମୁକୁନ୍ଦ ରୂପରେ, ଗୋଟିଏ ବଟପତ୍ର ‌ଉପରେ ଶୟନରତ ଭାବରେ ଭାସମାନ ‌ରହିଥାଆନ୍ତି।

ସେତେବେଳେ ସମଗ୍ର ସଂସାର ତାଙ୍କର ଉଦର ମଧ୍ୟରେ ରହିଥାଏ।

ପ୍ରଳୟ ପରେ, ସେ ପୁଣି ସେହି ସଂସାରକୁ ପ୍ରକଟ କରନ୍ତି।

ତେବେ ଶ୍ରୀନାରାୟଣଙ୍କର ଏହି ଜଳ-ସଂପର୍କ ଏତିକିରେ ସୀମିତ ନୁହେଁ।

ତାଙ୍କର ଅବତାରମାନଙ୍କର ଉପାଖ୍ୟାନ ଅନୁସାରେ, ବେଦ-ହରଣକାରୀ ଶଙ୍ଖାସୁରକୁ ନିହତ କରିବା ପାଇଁ ସେ ତାଙ୍କର ପ୍ରଥମ ଅବତାରରେ ମତ୍ସ୍ୟରୂପ ଧାରଣ କରିଥିଲେ।

ପୁଣି ଯେତେବେଳେ ଜଳ-ପ୍ରଳୟ ଘଟିଲା, ସେତେବେଳେ ରାଜା ସତ୍ୟବ୍ରତ ସପ୍ତଋଷିଙ୍କ ସହିତ ସଂସାରର ସମସ୍ତ ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ସୂକ୍ଷ୍ମ ରୂପରେ ଗୋଟିଏ ନୌକାରେ ରଖିଥିଲେ।

ସେତେବେଳେ ସେହି ମହାମତ୍ସ୍ୟ ଉକ୍ତ ନୌକାକୁ ନିଜର ଶିଙ୍ଗରେ ବାନ୍ଧି ନେଇ ମେରୁ ପର୍ବତ‌ର ଶିଖରରେ ବାନ୍ଧି ସୁରକ୍ଷିତ କରିଥିଲେ।

ପ୍ରଳୟ ପରେ ନୂତନ ସୃଷ୍ଟି ସେହି ସୂକ୍ଷ୍ମରୂପ ବା ବୀଜମାନଙ୍କରୁ ସମ୍ଭବ ହୋଇଥିଲା।

ଏହି ଶ୍ରୀନାରାୟଣ ହିଁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ।

ଏଣୁ ସ୍ନାନଯାତ୍ରା ପ୍ରକୃତରେ ତାଙ୍କର ଏକ ଜଳ-ଲୀଳା।

ଏହି ଲୀଳାରେ ଅଂଶଗ୍ରହଣ କରିବା ପାଇଁ ସେ ନିଜେ ରତ୍ନସିଂହାସନ ଛାଡ଼ି ସ୍ନାନବେଦୀକୁ ଚାଲି ଆସିଥାଅାନ୍ତି।

ଏଣୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅନୁସାରେ, ଏହା ତାଙ୍କର "ସ୍ବୟଂଲୀଳା"।

ମଞ୍ଚାସ୍ନାନ: ମଞ୍ଚସ୍ନାନଜ୍ୟେଷ୍ଠପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଏହି ସ୍ନାନ କରାଯାଇଥାଏ।

ଏହି ସ୍ନାନ ତାଙ୍କର ଦୈନନ୍ଦିନ ସ୍ନାନ ଠାରୁ ଭିନ୍ନ।

ଅନ୍ୟ ଦିନମାନଙ୍କରେ ତାଙ୍କର ସ୍ନାନ ସକାଳର ଅବକାଶ ନୀତି ମଧ୍ୟରେ ହୋଇଥାଏ।

ଦୈନନ୍ଦିନ ନୀତିର ଏହି ସ୍ନାନ ହେଉଛି ବିମ୍ବସ୍ନାନ।

କାରଣ, ଏହି ସ୍ନାନ, ତିନିଗୋଟି ଅଷ୍ଟଧାତୁ ନିର୍ମିତ ଦର୍ପଣ ମାଧ୍ୟମରେ, ଶ୍ରୀଜିଉମାନଙ୍କର ବିମ୍ବ (ପ୍ରତିବିମ୍ବ)ଙ୍କୁ କରାଯାଏ।

ଏହି ସ୍ନାନନୀତି ନିମନ୍ତେ ସୁଆରବଡୁ ସେବକ ତିନିଠାକୁର (ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ)ଙ୍କ ସମ୍ମୁଖରେ, ରତ୍ନସିଂହାସନ ତଳେ ତିନିଟି କାଠପିଢ଼ା ପକାଇ ଥାଆନ୍ତି।

ଖଟୁଲି ସେବକ ତିନିଟି ରୁପା ଖଟୁଲି ନେଇ ପିଢ଼ା ପାଖରେ ରଖନ୍ତି।

ଗରାବଡୁ ସେବକ ତିନିଗୋଟି ଝରି ତିନି ପିଢ଼ା ନିକଟରେ ରଖନ୍ତି।

ଦର୍ପଣିଆ ସେବକ ଅଷ୍ଟଧାତୁ ନିର୍ମିତ ତିନିଗୋଟି ଦର୍ପଣ ରଖନ୍ତି।

ମୁଖ ପ୍ରକ୍ଷାଳନ, ଦନ୍ତମାର୍ଜନ ଆଦି ନୀତି ବିଧିମତେ ସଂପନ୍ନ ହେବା ପରେ, କର୍ପୂର ମିଶ୍ରିତ ଜଳରେ ଶ୍ରୀଜିଉମାନଙ୍କର ସ୍ନାନ କରାଯାଇଥାଏ।

ସମ୍ମୁଖରେ ରଖାଯାଇଥିବା ଦର୍ପଣରେ ଠାକୁରମାନଙ୍କର ଯେଉଁ ପ୍ରତିବିମ୍ବ ପଡ଼େ, ତାହାକୁ ହିଁ ସେହି କର୍ପୂର ମିଶ୍ରିତ ଜଳରେ ସ୍ନାନ କରାଯାଇଥାଏ। "ସମୁଦ୍ରଜ୍ୟେଷ୍ଠା" ମନ୍ତ୍ରରେ ଏହି ସ୍ନାନ କରାଯାଏ।

ସ୍ନାନମଞ୍ଚା ବା ମଞ୍ଚରେ କିନ୍ତୁ ଠାକୁରମାନଙ୍କର ପ୍ରତ୍ୟକ୍ଷ ସ୍ନାନ ହୋଇଥାଏ।

ଏହି ମଞ୍ଚା ପୂର୍ବକାଳରେ କାଷ୍ଠରେ ନିର୍ମିତ ଥିଲା।

କିନ୍ତୁ ପରେ ବେଦୀ ବା ମଞ୍ଚ ରୂପେ ନିର୍ମିତ ହୋଇଛି।

ଶ୍ରୀହର୍ଷଙ୍କ "ନୈଷଧ" କାବ୍ୟ (୧୫/୮୯)ରେ ମଧ୍ୟ ଏ ସଂପର୍କରେ ବର୍ଣ୍ଣନା ଅଛି।

ସୁନାକୂଅ କଥାଶ୍ରୀଜଗନ୍ନାଥାଦି ବିଗ୍ରହଙ୍କର ସ୍ନାନଯାତ୍ରାର ସ୍ନାନ ଶ୍ରୀମନ୍ଦିର ପରିସରରେ ଥିବା ସୁନାକୂଅ‌ର ଜଳରେ ହିଁ ସଂପନ୍ନ ହୋଇଥାଏ। "ସ୍କନ୍ଦପୁରାଣ" (୩୧/୨୭) ଅନୁସାରେ, ଏହା "ସର୍ବତୀର୍ଥମୟ କୂପ"। "ପୁରୁଷୋତ୍ତମ ସଂହିତା" ଅନୁସାରେ, ଶ୍ରୀଜିଉମାନଙ୍କର ସ୍ନାନ ବା ଅଭିଷେକ ସର୍ବତୀର୍ଥ ଜଳରେ କରାଯିବା ବିଧେୟ।

ଜ୍ୟେଷ୍ଠ ପୂର୍ଣ୍ଣିମା ଶ୍ରୀଜଗନ୍ନାଥଙ୍କର ଜନ୍ମଦିନ ହୋଇଥିବାରୁ, ଏହି ଦିନ ସର୍ବତୀର୍ଥମୟ ଜଳରେ ତାଙ୍କର ସ୍ନାନ ବା ଅଭିଷେକ କରାଯାଇଥାଏ।

ଏ ସଂପର୍କରେ କିଂବଦନ୍ତି ଅଛି, ଯେ ଶ୍ରୀଜିଉମାନଙ୍କର ସ୍ନାନ ନିମନ୍ତେ ବ୍ୟବହୃତ ଜଳ ପୂର୍ବକାଳରେ ଭାରତବର୍ଷର ସମସ୍ତ ତୀର୍ଥରୁ ସଂଗୃହୀତ ହୋଇ ଆସୁଥିଲା।

ମାତ୍ର କାଳକ୍ରମେ ତାହା ସମ୍ଭବ ନ ହେବାରୁ, ସର୍ବତୀର୍ଥର ଜଳକୁ ଗୋଟିଏ ସୁନାପାତ୍ରରେ ରଖି ଶ୍ରୀମନ୍ଦିର ପରିସରର ଏକ ନିର୍ଦ୍ଦିଷ୍ଟ କୂଅରେ ବୁଡ଼ାଇ ଦିଆଗଲା।

ସେହିଦିନୁ ତାହା "ସୁନାକୂଅ" ରୂ‌େପ ନାମିତ ହେଲା। "ସ୍କନ୍ଦପୁରାଣ"ର ୨୯ ଅଧ୍ୟାୟରେ, ଶ୍ରୀପ୍ରତିମା (ଶ୍ରୀଜଗନ୍ନାଥ) ସ୍ବୟଂ କହିଛନ୍ତି- ""କଳ୍ପବଟର ଉତ୍ତରଦିଗରେ ଏକ ସର୍ବତୀର୍ଥମୟ କୂପ ରହିଛି।

ପୂର୍ବରୁ ମୁଁ ସ୍ନାନ ନିମନ୍ତେ ଏହାକୁ ନିର୍ମାଣ କରି, ପରେ ଦାରୁ ରୂପରେ ଅବତୀର୍ଣ୍ଣ ହୋଇଛି।

ଯେଉଁମାନେ ସ୍ନାନଯାତ୍ରା କାଳରେ ‌(ସେହି କୂପର ଜଳରେ) ମୋର ସ୍ନାନଯାତ୍ରା ଦର୍ଶନ କରିବେ, ସେମାନଙ୍କୁ ସମସ୍ତ ତୀର୍ଥସ୍ନାନ, ସମସ୍ତ ପ୍ରକାରର ଯଜ୍ଞାନୁଷ୍ଠାନ ଓ ସର୍ବବିଧ ଦାନର ଫଳ ପ୍ରାପ୍ତି ହେବ। (୨୯/୧୯-୨୦) "ସ୍କନ୍ଦପୁରାଣ" ଅନୁସାରେ, ସ୍ବୟଂ ଶ୍ରୀଜଗନ୍ନାଥଙ୍କ ଦ୍ବାରା ନିର୍ମିତ ସେହି କୂପ, ମୃତ୍ତିକା ଦ୍ବାରା ଆଚ୍ଛାଦିତ ହୋଇଯାଇଥିଲା।

ଶ୍ରୀଜଗନ୍ନାଥଙ୍କ ନିର୍ଦ୍ଦେଶରେ ରାଜା ଇନ୍ଦ୍ରଦ୍ୟୁମ୍ନ ତାହାର ଆବିଷ୍କାର ବା ଜୀର୍ଣ୍ଣୋଦ୍ଧାର କରିଥିଲେ।

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ବର୍ଷରେ ଏହି ଗୋଟିଏ ଦିନ ହିଁ ସୁନାକୂଅ‌ର ଜଳ ଶ୍ରୀଜିଉମାନଙ୍କର ସ୍ନାନ ନିମନ୍ତେ ଉପଯୋଗ ହୋଇଥାଏ।

ସାରାବର୍ଷ ଏହି ଜଳ ଅନ୍ୟ କୌଣସି କାର୍ଯ୍ୟ ନିମନ୍ତେ ଉପଯୋଗ ହୁଏନାହିଁ। "ବାମଦେବ ସଂହିତା" (୧୪/୧୯)ରେ ଏ ସଂପର୍କରେ ଉଲ୍ଲେଖ ଅଛି।

୧୦୮ କଳସ ଜଳସ୍ନାନ ପୂର୍ଣ୍ଣିମା ଦିନ, ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କୁ ୧୦୮ କଳସ ଜଳରେ ସ୍ନାନ କରାଯାଏ।

ଏ ପ୍ରସଙ୍ଗରେ ୧୦୮ କାହିଁକି- ସେ ନେଇ କୌତୂହଳ ଜାତ ହୁଏ।

କିନ୍ତୁ ହିନ୍ଦୁ ଧର୍ମରେ ୧୦୮ ସଂଖ୍ୟାକୁ ଅତ୍ୟନ୍ତ ପବିତ୍ର ଭାବରେ ଗ୍ରହଣ କରାଯାଇଛି।

ଏ ସଂପର୍କରେ କୁହାଯାଇଛି- ଏହା ଭୌତିକତ‌ା (ଜାଗତିକତା) ଓ ଆଧିଭୌତିକତା ମଧ୍ୟରେ ଏକ ସଂ‌େ‌ଯାଗ ସେତୁ।

ମହା‌ଜାଗତିକ କ୍ଷେତ୍ରରେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ରଙ୍କ ସ୍ଥିତି ସହିତ ଏହା ସଂପର୍କିତ।

ଏହା ଜାଗତିକ ନଶ୍ବର ସତ୍ତାରୁ ମହାଜାଗତିକ ଅବିନଶ୍ବର ସତ୍ତାକୁ ଯାତ୍ରାର ଦ୍ୟୋତକ।

ସେଥିପାଇଁ ଜପମାଳାର ମାଳି ସଂଖ୍ୟା ୧୦୮ ହୋଇଥାଏ।

ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ସଂପର୍କିତ ପୌରାଣିକ ତଥ୍ୟରୁ ଜଣାଯାଏ ଯେ ଜ୍ୟେଷ୍ଠ ପୂର୍ଣ୍ଣିମା ଶ୍ରୀଜଗନ୍ନାଥଙ୍କର ଜନ୍ମଦିନ ହୋଇଥିବାରୁ, ଏହି ଦିନ ରାଜା ଇନ୍ଦ୍ରଦ୍ୟୁମ୍ନ ଆଡ଼ମ୍ବର ସହକାରେ ୧୦୮ କଳସ ଜଳରେ ତାଙ୍କର ସ୍ନାନୋତ୍ସବ କରାଇଥିଲେ। "ନୀଳାଦ୍ରି ମହୋଦୟ" ଗ୍ରନ୍ଥର ଷଷ୍ଠ ଅଧ୍ୟାୟରେ ସ୍ନାନଯାତ୍ରାର ସୃଷ୍ଟି ସଂପର୍କରେ ଉଲ୍ଲେଖ ଅଛି- ବ୍ରହ୍ମାଙ୍କ ପ୍ରଶ୍ନରେ ଶ୍ରୀଦାରୁବ୍ରହ୍ମ ଈଷତ୍ ହସି, ଗମ୍ଭୀର ସ୍ବରରେ ତାଙ୍କୁ କହିଥିଲେ- ""ଜ୍ୟେଷ୍ଠ ପୂର୍ଣ୍ଣିମାରେ ମୋର ଜନ୍ମଦିନ କରାଇବ।

କଳ୍ପବଟ ନିକଟରେ କୂପ ନିର୍ମାଣ କରାଇବ।

ସେହିଦିନ ଉକ୍ତ କୂପରେ ନାନା ତୀର୍ଥ ଆବିର୍ଭୂତ ହେବେ।

ସେହି ଜଳରେ ମୋତେ ସ୍ନାନ କରାଇ ପନ୍ଦର ଦିନ ପର୍ଯ୍ୟନ୍ତ ଗୋପନରେ ରଖିବ।"" ସ୍ନାନଜଳସୁନାକୂଅର ଜଳ ସର୍ବତୀର୍ଥମୟ ଏବଂ ଶାସ୍ତ୍ରୋଲ୍ଲେଖ ଅନୁସାରେ, ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ସେହି ଜଳରେ ସର୍ବତୀର୍ଥ ଆବିର୍ଭୂତ ହୋଇଥାନ୍ତି।

ଏହା ସତ୍ତ୍ବେ, ଶ୍ରୀଜଗନ୍ନାଥାଦି ଦେବତାଙ୍କର ସ୍ନାନ ବା ଅଭିଷେକ ନିମନ୍ତେ ସେହି ଜଳକୁ ସ୍ବତନ୍ତ୍ର ରୂପେ ଅଧିବାସ କରାଯାଇଥାଏ। "କପିଳସଂହିତା", "ବାମଦେବସଂହିତା" ଓ "ନୀଳାଦ୍ରି ମହୋଦୟ" ଅାଦିରେ ଏ ସଂପର୍କରେ ବର୍ଣ୍ଣିତ ଅଛି। "ନୀଳାଦ୍ରି ମହୋଦୟ"ର ଚତୁର୍ଦ୍ଦଶ ଅଧ୍ୟାୟରେ ଏ ସଂପର୍କରେ ବିଶଦ ବର୍ଣ୍ଣନା ରହିଛି।

ତାହା ଅନୁସାରେ, ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ, ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ସାୟାହ୍ନ ସମୟରେ, ଶ୍ରୀଜିଉମାନଙ୍କର ତ୍ରିକାଳ ପୂଜା ସମାପନ ‌ପରେ, ସ୍ନାନଯାତ୍ରା ନିମନ୍ତେ ଉଦ୍ଦିଷ୍ଟ କୂପରୁ ଜଳ ସଂଗ୍ରହ କରାଯିବ।

ଶ୍ରୀମନ୍ଦିରର ପୂର୍ବଭାଗରେ ଥିବା ଗୃହରେ ସେହି ଜଳକୁ କୁମ୍ଭରେ, ଚାରିଧାଡ଼ିରେ ସ୍ଥାପନ କରାଯିବ।

ପୂଜକ ସେହି କୁମ୍ଭରେ କର୍ପୂର, ଚନ୍ଦନ ଓ ଗନ୍ଧ (କେଶର ଓ ଚୁଆ) ଆଦି ପକାଇବେ। "ପାବମାନୀ ସୂକ୍ତ" ପାଠ କରି ସେହି ଜଳକୁମ୍ଭମାନଙ୍କୁ ପୃଥକ୍ ପୃଥକ୍ ଭାବରେ ସ୍ପର୍ଶ କରି, ବସ୍ତ୍ର ଦ୍ବାରା ଆଚ୍ଛାଦିତ କରିବେ।

ଚତୁର୍ଦ୍ଦଶୀ ରାତ୍ରିରେ ସେହି ଜଳକୁମ୍ଭର ଅଧିବାସ ପୂଜା କରାଯିବ।

ଶ୍ରୀଜଗନ୍ନାଥଙ୍କ ପାଇଁ ୩୫ କୁମ୍ଭ, ଶ୍ରୀବଳଭଦ୍ରଙ୍କ ପାଇଁ ୩୩ କୁମ୍ଭ, ଦେବୀ ସୁଭଦ୍ରାଙ୍କ ପାଇଁ ୨୨ କୁମ୍ଭ ଓ ଶ୍ରୀ ସୁଦର୍ଶନଙ୍କ ପାଇଁ ୧୮ କୁମ୍ଭର ଜଳ ଅଧିବାସ ହେବ।

ଏହି କୁମ୍ଭଗୁଡ଼ିକୁ ପୃଥକ୍ ପୃଥକ୍ ଧାଡ଼ିରେ ରଖାଯିବ।

ସେହି ସେହି ନିର୍ଦ୍ଦିଷ୍ଟ ସଂଖ୍ୟକ କୁମ୍ଭର ଜଳରେ, ପରଦିନ, ଅର୍ଥାତ୍ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଶ୍ରୀଜିଉମାନଙ୍କର ସ୍ନାନ ବା ଅଭିଷେକ କରାଯିବ।

ସ୍ନାନବେଦୀରେ ଶ୍ରୀଜିଉମାନଙ୍କର ଏହି ସ୍ନାନର ଦର୍ଶନ ପରମ ପୁଣ୍ୟପ୍ରଦ ବୋଲି ସମସ୍ତ ଶାସ୍ତ୍ର-ପୁରାଣରେ ଉଲ୍ଲେଖ ଅଛି।

ଏହି ସ୍ନାନର ଦର୍ଶନ ତୀର୍ଥାଦି ସ୍ନାନ ଅପେକ୍ଷା ଅଧିକ ଫଳପ୍ରଦ।

ସ୍ନାନଜଳର ମାହାତ୍ମ୍ୟସ୍ନାନବେଦୀରେ ଚତୁର୍ଦ୍ଧା ବିଗ୍ରହ ଯେଉଁ ଜଳରେ ସ୍ନାନ କରନ୍ତି, ତାହା ଅତ୍ୟନ୍ତ ପବିତ୍ର।

ଶ୍ରୀଜିଉମାନଙ୍କର ଅଙ୍ଗଲାଗି ହୋଇ ତାହା ପରମପ୍ରସାଦ ପାଲଟିଯାଏ।

ଭକ୍ତମାନେ ସେହି ଜଳମିଶ୍ରିତ ଜଳରେ ସ୍ନାନ କରିବା ବା ତାହାକୁ ତୁଣ୍ଡରେ ପାଇବା ପରମ ପୁଣ୍ୟପ୍ରଦ ବୋଲି ମନେ କରିଥାନ୍ତି।

ଏହି ସ୍ନାନଜଳର ମାହାତ୍ମ୍ୟ ସଂପର୍କରେ "ସ୍କନ୍ଦପୁରାଣ-ଉତ୍କଳଖଣ୍ଡ"ର ୩୧ ଅଧ୍ୟାୟରେ ବିଶଦ ଭାବରେ ବର୍ଣ୍ଣନା ଅଛି।

ଏହାର ୯୨ରୁ ୯୮ ଶ୍ଳୋକରେ କୁହାଯାଇଛି- ""କି ସ୍ତ୍ରୀ, କି ପୁରୁଷ, ‌ଯେଉଁ ବ୍ୟକ୍ତି ଭଦ୍ରାସନରେ ସ୍ଥିତ ହୋଇ ଭଗବାନଙ୍କର ସ୍ନାନସିକ୍ତ ଜଳରେ ସ୍ନାନ କରନ୍ତି, ସେହି ବ୍ୟକ୍ତି ଚିରରୋଗାକ୍ରାନ୍ତ ହେଲେ ମଧ୍ୟ ଆରୋଗ୍ୟଲାଭ କରିବା ସହିତ ଅପମୃତ୍ୟୁକୁ ଜୟ କରନ୍ତି।

ସେହି ସ୍ନାନଜଳ ମିଶ୍ରିତ ଜଳରେ ସ୍ନାନ କଲେ ଅପୁତ୍ରିକା, ବନ୍ଧ୍ୟା ଅଥବା ମୃତପୁତ୍ରିକା ନାରୀ ପୁତ୍ରଲାଭ କରନ୍ତି ଏବଂ ନିର୍ଦ୍ଧନ ବ୍ୟକ୍ତି ଧନଲାଭ କରି ସର୍ବଲୋକପ୍ରିୟ ହୁଅନ୍ତି।"" ଏ ସଂପର୍କରେ ସେଥିରେ ଆହୁରି ମଧ୍ୟ କୁହାଯାଇଛି- ""ଗର୍ଭବତୀ ରମଣୀ ଯଦି ସ୍ନାନ-ଅବଶିଷ୍ଟ ଜଳରେ ସ୍ନାନ କରନ୍ତି, ତାହା ହେଲେ ସେ ଅବଶ୍ୟ ଦୀର୍ଘାୟୁ ହେବା ସହିତ ମହାଗୁଣଶାଳୀ ପୁତ୍ର ଲାଭ କରନ୍ତି ଏବଂ ଗଙ୍ଗାଦି ସମସ୍ତ ତୀର୍ଥସ୍ନାନର ଫଳ ପ୍ରାପ୍ତ ହୁଅନ୍ତି।"" ପରିଶେଷରେ ଏହି ସ୍ନାନ-ଅବଶେଷ ଜଳର ମହାତ୍ମ୍ୟ ସଂପର୍କରେ କୁହାଯାଇଛି, ""ଏହି ଜଳ ଅପେକ୍ଷା ଗଙ୍ଗାର ପବିତ୍ର ଜଳ ମଧ୍ୟ ଅଧିକ ପବିତ୍ର ରୂ‌େପ କୀର୍ତ୍ତିତ ହୁଏ ନାହିଁ।

ମନୁଷ୍ୟ ଐହିକ ବା ପାରତ୍ରିକ- ଯେ କୌଣସି ବିଷୟ ମନରେ ଅଭିଳାଷ କ‌ରେ, ଶ୍ରୀବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କର ଏହି ସ୍ନାନ-ଅବଶେଷ ଜଳରେ ସ୍ନାନ କଲେ ସେ ସମସ୍ତ ଫଳ ଲାଭ କରିପାରେ।"""