Bargarh: ଶିଳ୍ପଶୂନ୍ୟ ହୋଇଗଲା ବରଗଡ଼!

Jun 30, 2026 - 08:47
Bargarh: ଶିଳ୍ପଶୂନ୍ୟ ହୋଇଗଲା ବରଗଡ଼!

"ସୁଦୀପ୍ତ ଷଡ଼ଙ୍ଗୀ ବରଗଡ଼: ଏକଦା ବରଗଡ଼ ଶିଳ୍ପସମୃଦ୍ଧ ଜିଲ୍ଲା ଭାବେ ପରିଗଣିତ ହେଉଥିଲା।

ସହର ଉପକଣ୍ଠ ତୋରାରେ ଥିବା ସୂତାକଳ ଓ ଚିନିକଳ ଲୋକଙ୍କୁ ରୋଜଗାର ଦେଉଥିବା ବେଳେ ଜିଲ୍ଲାର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବାରେ ମୁଖ୍ୟ ଭୂମିକା ନେଉଥିଲା।

କାଳକ୍ରମେ ଏହା ବନ୍ଦ ହେବା ପରେ ବହୁ ଲୋକ ବେରୋଜଗାର ହୋଇଗଲେ।

ଜିଲ୍ଲାର ଅନ୍ୟତମ ପ୍ରମୁଖ ଶିଳ୍ପାନୁଷ୍ଠାନ ବରଡ଼ୋଲସ୍ଥିତ ଏସିସି ସିମେଣ୍ଟ ଫ୍ୟାକ୍ଟ୍ରି ବନ୍ଦ ହେବାକୁ ଯାଉଛି।

ସୂତାକଳ, ଚିନିକଳ ପରେ ଏବେ ସିମେଣ୍ଟ ଫ୍ୟାକ୍ଟ୍ରି ବନ୍ଦ ହେବା ଯୋଗୁଁ ବରଗଡ଼ ଏକପ୍ରକାର ଶିଳ୍ପଶୂନ୍ୟ ଜିଲ୍ଲା ଭାବେ ପରିଗଣିତ ହେବ।

କୃଷିକୁ ଛାଡ଼ିଦେଲେ ଜିଲ୍ଲାବାସୀଙ୍କ ପାଇଁ ଅନ୍ୟ କିଛି ରୋଜଗାର ପନ୍ଥା ନାହିଁ।

ଏଣୁ ବରଗଡ଼ ଦାଦନ ଜିଲ୍ଲାରେ ପରିଣତ ହେବା ପାଇଁ ଆଉ ବେଶୀ ସମୟ ଲାଗିବ ନାହିଁ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।Advertisment The cool shadow: ରାଜପଥ କଡ଼ରୁ ହଜିଯାଇଛି ଶୀତଳ ଛାୟା  ତୋରା ସୂତାକଳରେ ପ୍ରାୟ ୨ ହଜାର ଲୋକ ସ୍ଥାୟୀ ଓ ଅସ୍ଥାୟୀ ଭାବେ କାମ କରୁଥିଲେ।

ପ୍ରାୟ ୮୦ ଏକର ଜମିରେ ତିଆରି ହୋଇଥିବା ସୂତାକଳ ବିଭିନ୍ନ କାରଣରୁ ୧୯୯୯ ଜୁନ୍‌ ମାସରେ ବନ୍ଦ ହୋଇଯାଇଥିଲା।

୧୯୭୪ ମସିହାରେ ପ୍ରାୟ ୧୦୩ ଏକର ଜମିରେ ସ୍ଥାପିତ ହୋଇଥିବା ସମବାୟ ଚିନିକଳରେ ୩୧୫ ସ୍ଥାୟୀ କର୍ମଚାରୀ ରହିଥିବାବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକ ରୋଜଗାର ପାଉଥିଲେ।

୨୦୧୭ ପରଠାରୁ ଏହି କାରଖାନାରୁ ଚିନି ଉତ୍ପାଦନ ଠପ୍‌ ହୋଇଥିବା ବେଳେ ୨୦୨୩ ଅକ୍ଟୋବର ୧୬ ତାରିଖରେ ସରକାରୀ ଭାବେ ବନ୍ଦ ହୋଇଯାଇଥିଲା।

ବର୍ତ୍ତମାନ ଏହାର ଜାଗା ଇଡ୍‌କୋ ଅଧୀନରେ ରହିଛି।

୨୦୨୨ରେ ଇଣ୍ଡିଆନ୍‌ ପଟାସ୍‌ ଲିମିଟେଡ୍‌ (ଆଇପିଏଲ୍‌) ନାମକ ଏକ ସଂସ୍ଥା ଚିନିକଳକୁ ଚଳାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲା।

କିନ୍ତୁ ତତ୍କାଳୀନ ବିଜେଡି ସରକାର ଏଥିଲାଗି ଅନୁମତି ଦେଇ ନଥିଲେ।

ସେଠାରେ କିଛି ଶିଳ୍ପାନୁଷ୍ଠାନ ହେଉ ନଥିବାରୁ ଧୀରେ ଧୀରେ ତାହା ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି।

ସେହିପରି ତୋରାରେ ଥିବା ପାୱାର୍‌ ଲୁମ୍‌, ନାଗେନପାଲିରେ ଥିବା ଏକ ତେଲ ଫ୍ୟାକ୍ଟ୍ରି ଓ ଡାଙ୍ଗଛକ ରାସ୍ତାରେ ଥିବା ସାର କାରଖାନା ମଧ୍ୟ ୯୦ ଦଶକର ବନ୍ଦ ହୋଇସାରିଛି।

The cool shadow: ରାଜପଥ କଡ଼ରୁ ହଜିଯାଇଛି ଶୀତଳ ଛାୟା ୧୯୬୮ରେ ସ୍ଥାପିତ ହୋଇଥିବା ବରଗଡ଼ ସିମେଣ୍ଟ ଫ୍ୟାକ୍ଟ୍ରି ମଧ୍ୟ ବନ୍ଦ ହୋଇଯିବ।

ଯାହାକୁ ବରଗଡ଼ର ଅନ୍ୟତମ ପରିଚୟ କୁହାଯାଉଥିଲା।

ଏହି ଫ୍ୟାକ୍ଟ୍ରି ପୂର୍ବରୁ ପର୍ଯ୍ୟାୟକ୍ରମେ ତା"ର ଠିକା କର୍ମଚାରୀଙ୍କୁ ହଟାଇ ସାରିଛି।

ଫ୍ୟାକ୍ଟ୍ରି ବନ୍ଦ ହେବା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବଞ୍ଚୁଥିବା ହଜାରହଜାର ଲୋକ ଏବେ ଅସହାୟ ହୋଇପଡ଼ିବେ।

ଅବଶ୍ୟ ବରଗଡ଼ ଗସ୍ତରେ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀ ଡ.

ମୁକେଶ ମହାଲିଙ୍ଗ ସୂତାକଳ ପୁନରୁଦ୍ଧାର ପାଇଁ ସରକାର ବିଚାର କରୁଥିବା କହିଥିଲେ।

ସେହିପରି ସ୍ଥାନୀୟ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ବରଗଡ଼ରେ ଏକ ଅତ୍ୟାଧୁନିକ ଚିନିକଳ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି।

ଏହା ପୂରଣ ହେଲେ ପୁଣିଥରେ ବରଗଡ଼ର ଯୁବକଯୁବତୀଙ୍କ ପାଇଁ ରୋଜଗାର ରାସ୍ତା ଖୋଲିବ ବୋଲି ଆଶା କରାଯାଉଛି।"