Attack: ଯୁବକଙ୍କୁ କାଚ ବୋତଲରେ ମରଣାନ୍ତକ ଆକ୍ରମଣ

Jun 25, 2026 - 11:53
Attack: ଯୁବକଙ୍କୁ କାଚ ବୋତଲରେ ମରଣାନ୍ତକ ଆକ୍ରମଣ

ବାଲିପାଟଣା: ଭୁବନେଶ୍ୱର କମିଶନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଦନାପଡା ଗ୍ରାମରେ ଗତକାଲି ରାତିରେ ଜଣେ ଜେଲ ଫେରନ୍ତା ଯୁବକ ଉନ୍ମତ କାଣ୍ଡ ଭିଆଇ ଆତଙ୍କ ଖେଳାଇଛନ୍ତି | ଏହି ଗ୍ରାମର ସୁନୀଲ ମହାପାତ୍ର ଓରଫ ବାବୁ ( ୨୮ ) ଘରକୁ ଫେରୁଥିବାବେଳେ ତାଙ୍କୁ ଭଙ୍ଗା କାଚ ବୋତଲରେ ଆକ୍ରମଣ କରି ଲହୁ ଲୁହାଣ କରିଛି | ଆକ୍ରମଣକାରୀ ଗଣେଶ ଭୋଇ ( ୨୭ )କୁ ପୁଲିସ ଅଟକ ରଖିଛି | ସୂଚନା ଅନୁସାରେ ଗତକାଲି ରାତିରେ ଦନାପଡା ଗ୍ରାମର ବାବୁ ଟ୍ୟୁସନ ସାରି ଘରକୁ ଫେରୁଥିଲେ | ଗାଁ ନିକଟରେ ଗଣେଶ ତାଙ୍କ ସହ ସାଇକେଲ ଧକ୍କା କରିଥିଲା | ବାବୁ ଏହାକୁ ପ୍ରତିବାଦ କରିବାରୁ ଗଣେଶ ରାଗ ପଞ୍ଚମ ହୋଇ ଯାଇଥିଲା | କଥା କଟାକଟି ଭିତରେ ଗଣେଶ ଏକ ଥଣ୍ଡା କାଚ ବୋତଲ ଭାଙ୍ଗି ବାବୁଙ୍କ ମୁଣ୍ଡ, ହାତକୁ ଆକ୍ରମଣ କରିଥିଲା |

ଆହୁରି ପଢନ୍ତୁ: US Iran Deal: ବିଶେଷଜ୍ଞଙ୍କ ଚେତାବନୀ; ଆମେରିକା-ଇରାନ ଚୁକ୍ତି ଯୋଗୁ ଅନ୍ଧାରରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟତ

ଏହି ଆକ୍ରମଣରେ ବାବୁଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି | ତାଙ୍କୁ ଗୁରୁତର ଅବସ୍ଥାରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଏନେଇ ପୁଲିସରେ ଲିଖିତ ଅଭିଯୋଗ ହୋଇଛି | ଥାନାରେ ଅଭିଯୋଗ କରିବା ରାଗରେ ଆଜି ସକାଳୁ ପୁଣି ଗଣେଶ କିଛି ଅସାମାଜିକ ଯୁବକଙ୍କୁ ଡକାଇ ବାବୁଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି | ଖବର ପାଇ ପୁଲିସ ପିସିଆର ଗଣେଶକୁ କାବୁ କରି ଥାନାରେ ଅଟକ ରଖିଛି | ପ୍ରକାଶ ଥାଉ କି ଗଣେଶ ଜଣେ ପେସାଦାର ନିଶାଡି ଅଟେ | ବ୍ରାଉନ ସୁଗାର ନିଶା ଖାଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥାଏ |