06 JUNE 2026

Welcome!

Unlock your personalized experience.
Sign Up

Andhra Pradesh's SIR: ଜନଗଣନା ପରେ ଆନ୍ଧ୍ରର ଏସ୍‌ଆଇଆର୍‌: ତଡ଼ାଖାଇ ପୁଣି ଲୁଚିଛପି କୋଟିଆରେ ଅନୁପ୍ରବେଶ

Jun 04, 2026 - 06:36
Andhra Pradesh's SIR: ଜନଗଣନା ପରେ ଆନ୍ଧ୍ରର ଏସ୍‌ଆଇଆର୍‌: ତଡ଼ାଖାଇ ପୁଣି ଲୁଚିଛପି କୋଟିଆରେ ଅନୁପ୍ରବେଶ

ପଟାଙ୍ଗି: ବାରମ୍ବାର ତଡ଼ାଖାଇଥିଲେ ମଧ୍ୟ କୋଟିଆ ମୋହ ଛାଡ଼ିପାରୁନି ଆନ୍ଧ୍ର ପ୍ରଶାସନ। ସୁଯୋଗ ଦେଖି ଲୁଚିଛପି ଓଡ଼ିଶା ସୀମାରେ ଅନୁପ୍ରବେଶ ଜାରି ରଖିଛି। କିନ୍ତୁ ଅନୁପ୍ରବେଶ ନେଇ କୋରାପୁଟ ପ୍ରଶାସନକୁ ଆଗୁଆ ସୂଚନା ମିଳୁନାହିଁ। କାମ ସାରି ଆନ୍ଧ୍ର ସରକାରୀ କର୍ମଚାରୀ ଯିବା ପରେ ଓଡ଼ିଶା ଅଧିକାରୀ ପହଞ୍ଚୁଛନ୍ତି। ସଦ୍ୟତମ ଉଦାହରଣ ଗତକାଲି ଦେଖିବାକୁ ମିଳିଛି। ଆନ୍ଧ୍ର ଅଧିକାରୀ କୋଟିଆ ପଞ୍ଚାୟତର ଫାଟୁସିନେରି ଓ ଫଗୁଣସିନେରି ଗାଁରେ ପଶି ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଅନ୍ତର୍ଗତ ଭୋଟରଙ୍କ ତଥ୍ୟ ସଂଗ୍ରହ କରିଛନ୍ତି।

Kotia: କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବଢ଼ିବାରେ ଲାଗିଛି ବିବାଦ

ବିଳମ୍ବରେ ହେଲେ ମଧ୍ୟ ସୀମାନ୍ତ ପଞ୍ଚାୟତରେ ଓଡ଼ିଶାର ଉନ୍ନୟନ କାମ ତ୍ବରାନ୍ବିତ ହୋଇଥିବାରୁ କୋଟିଆ ପାଇଁ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ଛକାପଞ୍ଝା ଏ ମଧ୍ୟରେ ବଢ଼ିଛି। ଏଜେଣ୍ଟଙ୍କ ଜରିଆରେ ଅଶାନ୍ତି ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛି। ମଝିରେ ମଝିରେ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ତେବେ ଓଡ଼ିଶା ପକ୍ଷରୁ କୋଟିଆରେ ଜନଗଣନା କାର୍ଯ୍ୟ ଆରମ୍ଭ ହେବାରୁ ଆନ୍ଧ୍ର କୋଟିଆବାସୀଙ୍କୁ ପ୍ରଲୋଭିତ ଓ ପ୍ରଭାବିତ କରି ବିଭ୍ରାଟ ସୃଷ୍ଟି କରିଥିଲା। କିନ୍ତୁ ପଟାଙ୍ଗି ବ୍ଲକ୍‌ ପ୍ରଶାସନର ତତ୍ପରତା ଓ କଠୋର ଆଭିମୁଖ୍ୟ ଆନ୍ଧ୍ରର ଉଦ୍ୟମକୁ ପଣ୍ଡ କରିଥିଲା। ତଡ଼ା ଖାଇ ସୁଦ୍ଧା ଲୁଚି ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ଜନଗଣନା କଲେ। ଏହାପରେ ଏସ୍‌ଆଇଆର ଆଗୁଆ କରିବାକୁ ଆନ୍ଧ୍ର ତତ୍ପରତା ଦେଖାଇଛି।

ତଡ଼ାଖାଇ ପୁଣି ଲୁଚିଛପି କୋଟିଆରେ ଅନୁପ୍ରବେଶ
ତିନି ଜାଗାରେ ସ୍ଥାୟୀ ଫାଟକ କରିବ କୋରାପୁଟ ପ୍ରଶାସନ

Andhra-Odisha: କୋଟିଆରେ ଛକାପଞ୍ଝା: ସୀମାରେ ଆନ୍ଧ୍ର-ଓଡ଼ିଶା କରିବେ ଚେକ୍‌ପୋଷ୍ଟ

ପଟାଙ୍ଗି ବ୍ଲକ୍‌ ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସଂଶୋଧନ ନିମନ୍ତେ ଘର ଘର ବୁଲି ତଥ୍ୟ ସଂଗ୍ରହ ଚାଲିଛି। ଏହି ଖବର ପାଇ ଆନ୍ଧ୍ର ଅଧିକାରୀ କୋଟିଆରେ ଏସ୍‌ଆଇଆର ଆରମ୍ଭ କରିଥିବା ସୂଚନା ମିଳିଛି। ଗତକାଲି ଆନ୍ଧ୍ରର ସାଲୁର ତହସିଲଦାରଙ୍କ ନେତୃତ୍ବରେ କିଛି ଅଧିକାରୀ କୋଟିଆ ପଞ୍ଚାୟତର ସୀମାନ୍ତ ଗାଁରେ ଘରକୁ ଘର ବୁଲିଛନ୍ତି। ଫାଟୁସିନେରି ଓ ଫଗୁଣସିନେରି ଗାଁରୁ ଭୋଟରଙ୍କ ତଥ୍ୟ ସଂଗ୍ରହ କରିଥିଲେ। କିଛି ଘଣ୍ଟା ଧରି ଉଭୟ ଗାଁରେ କ୍ୟାମ୍ପ୍‌ କରିଥିବା ଆନ୍ଧ୍ର ଅଧିକାରୀଙ୍କୁ ଏଜେଣ୍ଟ ସହଯୋଗ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଆନ୍ଧ୍ରର ଅନୁପ୍ରବେଶ ତଥା ଗତିବିଧି ଉପରେ ନଜର ରଖିବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ତିନୋଟି ସ୍ଥାନରେ ସ୍ଥାୟୀ ଫାଟକ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି। ଜଗା ଚିହ୍ନଟ ପ୍ରକ୍ରିୟା ସରିଛି ଏବଂ ଆଉ କିଛି ଦିନ ମଧ୍ୟରେ ଫାଟକ ନିର୍ମାଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।