Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
"ଲଇକେରା (ଭରତ ପାତ୍ର): ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ସରକାରୀ ସମ୍ପତ୍ତିର ବ୍ୟବହାରକୁ ନେଇ ପୁଣି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି।
କେବିଜେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ ପଟେଲଙ୍କ ନାମରେ ଥିବା ସରକାରୀ ବାସଭବନକୁ ଅନ୍ୟ ଜଣେ ଶିକ୍ଷକଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଥିବା ଅଭିଯୋଗ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଘଟଣାର ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି ଜୋର ଧରିଛି।
Advertisment ଅଭିଯୋଗ ଅନୁସାରେ ପ୍ରଧାନଶିକ୍ଷକ ଶ୍ରୀ ପଟେଲ ସରକାରୀ ବାସଭବନ ପାଇଥିବା ସତ୍ତ୍ୱେ ସେଠାରେ ନରହି ଝାରସୁଗୁଡ଼ାରୁ ପ୍ରତିଦିନ ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି।
ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ଏକପଟେ ସରକାରଙ୍କଠାରୁ ଘରଭଡ଼ା ଭତ୍ତା ନେଉଥିବା ବେଳେ ଅନ୍ୟପଟେ ସରକାରୀ ବାସଭବନକୁ ଅନ୍ୟ ଜଣେ ଶିକ୍ଷକଙ୍କ ଭଡ଼ା ସୂତ୍ରରେ ବ୍ୟବହାର ପାଇଁ ଦିଆଯାଇଛି।
ଏହି ଅଭିଯୋଗ ସତ୍ୟ ହେଲେ ସରକାରୀ ବାସଭବନର ବ୍ୟବହାର ଓ ସରକାରୀ ନିୟମ ପାଳନ ନେଇ ଗୁରୁତର ପ୍ରଶ୍ନ ଉଠୁଛି।
ପ୍ରଧାନଶିକ୍ଷକ ଶ୍ରୀ ପଟେଲ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଆରଡି ବିଭାଗ ଉକ୍ତ ବାସଗୃହକୁ ବିଦ୍ୟାଳୟକୁ ହସ୍ତାନ୍ତର କରିନଥିବାରୁ ଘରଟି ଖାଲି ପଡ଼ିଥିଲା।
ତେଣୁ ବିଦ୍ୟାଳୟର ଜଣେ ଶିକ୍ଷକ ନିଜେ ବିଦ୍ୟୁତ ସଂଯୋଗ କରି ସେଠାରେ ରହୁଛନ୍ତି।
ସେ ନିଜେ ଘରଟିକୁ ଭଡ଼ାରେ ଦେଇନଥିବା ସ୍ପଷ୍ଟ କରିଛନ୍ତି।
କିନ୍ତୁ ଏହି ଦାବିକୁ ନେଇ ଆରଡି ବିଭାଗର ଯନ୍ତ୍ରୀ ଖଗେଶ୍ୱର ମେହେରଙ୍କ ବୟାନ ଘଟଣାକୁ ଆହୁରି ଗୁରୁତର କରିଛି।
ଯନ୍ତ୍ରୀଙ୍କ କହିବା ଅନୁଯାୟୀ ୨୧ ଏପ୍ରିଲ ୨୦୨୩ରୁ ଉକ୍ତ ବାସଗୃହ କେବିଜେ ସରକାରୀ ଉଚ୍ଚ ବିଦ୍ୟାଳୟକୁ ହସ୍ତାନ୍ତର ହୋଇସାରିଛି।
ତେବେ ହସ୍ତାନ୍ତର ହୋଇଥିବା ସରକାରୀ ବାସଭବନରେ କିଏ, କେଉଁ ଅଧିକାରରେ ରହୁଛନ୍ତି ଏବଂ ଏହାର ଅନୁମତି କିଏ ଦେଇଛି, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।
ଏହାସହ ପ୍ରଧାନ ଶିକ୍ଷକ ଶ୍ରୀ ପଟେଲ ବିଦ୍ୟାଳୟକୁ ନିୟମିତ ଓ ନିର୍ଦ୍ଧାରିତ ସମୟରେ ଆସୁନଥିବା ଏବଂ ବିଦ୍ୟାଳୟ ଛୁଟି ହେବା ପୂର୍ବରୁ ଚାଲିଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଜଣେ ପ୍ରଧାନଶିକ୍ଷକଙ୍କ ଉପରେ ଏଭଳି ଅଭିଯୋଗ ଉଠିବା ବିଦ୍ୟାଳୟର ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ପ୍ରତି ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି।
Cyber fraud: ହଲିଡେ ପ୍ୟାକେଜ୍ ଆଳରେ ସାଇବର ଠକେଇ: ୨ ତାରକା ହୋଟେଲ୍କୁ ଚେତାବନୀ, ୪ଦିନରେ ୩ ଅଭିଯୋଗ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ବାଗ କହିଛନ୍ତି ଯେ, ବାସଭବନ ଭଡ଼ାରେ ଦେବା ଅଭିଯୋଗ ତାଙ୍କ ପାଖରେ ପୂର୍ବରୁ ନଥିଲା।
ଯଦି ପ୍ରଧାନଶିକ୍ଷକ ନିଜ ନାମରେ ଥିବା ବାସଭବନକୁ ଅନ୍ୟ ଜଣେ ଶିକ୍ଷକଙ୍କୁ ଭଡ଼ା ସୂତ୍ରରେ ଦେଇଥିବା ପ୍ରମାଣିତ ହୁଏ, ତେବେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ।
ବିଦ୍ୟାଳୟକୁ ଠିକ୍ ସମୟରେ ନଆସିବା ଅଭିଯୋଗର ମଧ୍ୟ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଏବେ ପ୍ରଶ୍ନ ଉଠୁଛି—ସରକାରୀ ବାସଭବନ କାହା ଅଧିକାରରେ ଥିଲା?
ଏହାକୁ ଅନ୍ୟ ଜଣେ ଶିକ୍ଷକ ବ୍ୟବହାର କରିବାକୁ କିଏ ଅନୁମତି ଦେଲା?
ବାସଭବନ ଭଡ଼ାରେ ଦିଆଯାଇଥିଲା କି ନାହିଁ?
ଏବଂ ସରକାରୀ ବାସଭବନ ସମ୍ପର୍କରେ କୌଣସି ନିୟମ ଉଲ୍ଲଂଘନ ହୋଇଛି କି?
ଏହାର ଉତ୍ତର ଏକମାତ୍ର ବିଧିବଦ୍ଧ ତଦନ୍ତରୁ ହିଁ ସ୍ପଷ୍ଟ ହୋଇପାରିବ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରିବା ସହ ସରକାରୀ ବାସଭବନର ରେକର୍ଡ, ହସ୍ତାନ୍ତର ଦସ୍ତାବିଜ, ବିଦ୍ୟୁତ ସଂଯୋଗ, ବାସଭବନ ବ୍ୟବହାର ଏବଂ ପ୍ରଧାନ ଶିକ୍ଷକଙ୍କ ଉପସ୍ଥାନ ରେଜିଷ୍ଟର ଯାଞ୍ଚ କରିବାକୁ ବୁଦ୍ଧିଜୀବୀ ମହଲ ଦାବି କରିଛନ୍ତି।
ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସରକାରୀ ନିୟମ ଅନୁଯାୟୀ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ ସରକାରୀ ସମ୍ପତ୍ତିର ଦୁରୁପଯୋଗ ହୋଇଥିଲେ ତାହାର ମଧ୍ୟ ଜବାବଦେହିତା ନିର୍ଦ୍ଧାରଣ କରିବାକୁ ଦାବି ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
