Goddess: ଦେବୀଙ୍କ ଶୃଙ୍ଗାର

Oct 20, 2026 - 05:35
Goddess: ଦେବୀଙ୍କ ଶୃଙ୍ଗାର

"ଶାରଦୀୟ ଦୁର୍ଗାପୂଜାରେ ଦେବୀଙ୍କ ପ୍ରତ୍ୟେକ ରୀତିନୀତି ଖୁବ୍‌ ନିଷ୍ଠାର ସହ କରାଯାଇଥାଏ।

ପୀଠଗୁଡ଼ିକରେ ଦେବୀଙ୍କ ଆରାଧନା ନୀତି ସ୍ବତନ୍ତ୍ର ହୋଇଥିବା ବେଳେ ମୃଣ୍ମୟୀଙ୍କ ପୂଜା ପଦ୍ଧତି ବି ସମାନ ଭାବରେ ନିଆରା ହିଁ ହୋଇଥାଏ।

ଏହି କ୍ରମରେ ଦେବୀଙ୍କ ସାଜ-ସିଙ୍ଗାର ବା ସାଜ ଶୃଙ୍ଗାର ବିଶେଷ ମହତ୍ତ୍ବ ରଖେ।

ଶାସ୍ତ୍ର ଅନୁଯାୟୀ, ଦେବୀ ଦୁର୍ଗାଙ୍କ ସାଜ-ସିଙ୍ଗାର ହେଉଛି ନାରୀଶକ୍ତି, ସୌଭାଗ୍ୟ ଓ ପବିତ୍ରତାର ପ୍ରତୀକ।

ତେଣୁ ଦେବୀଙ୍କୁ ସୁସଜ୍ଜିତ କରିବା ପାଇଁ ଷୋହଳ ପ୍ରକାର ପାରମ୍ପରିକ ସାମଗ୍ରୀର ବ୍ୟବହାର କରାଯାଏ, ଯାହା ଷୋଳ ଶୃଙ୍ଗାର ଭାବରେ ଜଣାଶୁଣା।Advertisment ପ୍ରଥମେ ଜାଣିବା, ଦେବୀଙ୍କ ମହାସ୍ନାନ ସମ୍ପର୍କରେ।

ପରମ୍ପରା ଅନୁସାରେ, ମୁଖ୍ୟତଃ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ତିନିଦିନ ସକାଳେ ଦେବୀଙ୍କ ମହାସ୍ନାନ କରାଯାଇଥାଏ।

ମଣ୍ଡପଗୁଡ଼ିକରେ ନବପତ୍ରିକା ପ୍ରବେଶ ବା ବିଲ୍ବବରଣ ପରେ ପରେ ଦେବୀଙ୍କର ମୁଖ୍ୟ ମହାସ୍ନାନ କରାଯାଏ।

ଅନ୍ୟପଟେ ଶକ୍ତିପୀଠ ଓ ମନ୍ଦିରଗୁଡ଼ିକରେ ଷୋଡ଼ଶ ଦିନାତ୍ମକ ପୂଜା ମୂଳାଷ୍ଟମୀଠାରୁ ୧୬ ଦିନ ଚାଲେ।

ଏଠାରେ ହେଉଥିବା ଷୋଡ଼ଶ ଦିନାତ୍ମକ ପୂଜାର ପ୍ରତ୍ୟେକ ଦିନ ସକାଳେ ଦେବୀଙ୍କର ମହାସ୍ନାନ ବା ମହାଅଭିଷେକ କରାଯିବା ପରମ୍ପରା ରହିଛି।

ଏହାର ସ୍ବତନ୍ତ୍ର ପଦ୍ଧତି ସହ ବେଦର ସୂକ୍ତ କିମ୍ବା ଦୁର୍ଗା ସପ୍ତସତୀ ମନ୍ତ୍ର ମଧ୍ୟ ରହିଛି।

ଏଠାରେ ଦେବୀଙ୍କ ଚିନ୍ମୟୀ ରୂପର ଆବାହନ କରାଯାଇଥାଏ।

ମହାସ୍ନାନ କ୍ରମରେ ଦନ୍ତଧାବନ ଓ ମାର୍ଜନ, ତୈଳ ଓ ହଳଦୀ ମର୍ଦ୍ଦନ, ପଞ୍ଚାମୃତ ସ୍ନାନ, ଔଷଧୀୟ ତଥା ରତ୍ନ ଜଳ ସ୍ନାନ, ମୃତ୍ତିକା ସ୍ନାନ ଆଦି କରାଯାଇଥାଏ।

ଏହାର ଶେଷରେ ତୀର୍ଥଜଳ ସ୍ନାନ ରହିଥାଏ।

କେତେକ ଦେବୀପୀଠରେ ୧୦୦୮ କଳସ ଜଳରେ ସହସ୍ରକୁମ୍ଭାଭିଷେକ କରାଯିବା ପରମ୍ପରା ବି ରହିଛି।

ମହାସ୍ନାନ ପରେ ଅଙ୍ଗବସ୍ତ୍ର ଲାଗି ଓ ଶୃଙ୍ଗାର ବିଧି ରହିଛି।

ଦେବୀଙ୍କୁ ପ୍ରତୀକାତ୍ମକ ଭାବେ ନୂଆ ରକ୍ତବସ୍ତ୍ର ବା ନାଲିଶାଢ଼ି, ଅଳଙ୍କାର, ସିନ୍ଦୂର, କଜ୍ଜ୍ବଳ ଓ ଅଳତା ଚଢ଼ାଯାଇ ଶୃଙ୍ଗାର କରାଯାଇଥାଏ।

କୁହାଯାଏ, ଲାଲ୍‌ଶାଢ଼ି ହେଉଛି ଦେବୀଙ୍କର ସବୁଠାରୁ ପ୍ରିୟ ପୋଷାକ।

ତେଣୁ ନାଲିରଙ୍ଗର ଜରି କାମ ହୋଇଥିବା ଶାଢ଼ି ଓ ଓଢ଼ଣୀ ଦେବୀଙ୍କୁ ଲାଗିହୁଏ।

ଶାସ୍ତ୍ର ବିଶାରଦମାନଙ୍କ କହିବା ଅନୁସାରେ, ଲାଲ୍‌ ରଙ୍ଗ ଶକ୍ତି ଓ ବିଜୟର ପ୍ରତୀକ ହୋଇଥାଏ।

ସେହିପରି ଦେବୀଙ୍କ ମୁଣ୍ଡରେ ମୁକୁଟ, ନାକରେ ନୋଥ, ସିନ୍ଦୂର ବିନ୍ଦି, ଅନ୍ୟ ସୌଭାଗ୍ୟ ସାମଗ୍ରୀ, କଜ୍ଜ୍ବଳ, ଅଳତା ଓ ମେହେନ୍ଦି, ପାରମ୍ପରିକ ଅଳଙ୍କାର, ନବଗ୍ରହ ହାର, କାନରେ ଝୁମୁକା ବା କାନଫୁଲ, ଚୁଡ଼ି, ବାଜୁବନ୍ଧ, ପାଉଁଜି, ବିଛୁଆ ଓ ବିଭିନ୍ନ ଫୁଲର ହାର ମଧ୍ୟ ଲାଗି ହୋଇଥାଏ।

ପୁରାଣ ଶାସ୍ତ୍ର ଅନୁସାରେ, ଦେବୀ ଦୁର୍ଗା ହେଉଛନ୍ତି ଆଦ୍ୟାଶକ୍ତି, ମହାମାୟା ଏବଂ ସୃଷ୍ଟିର ମୂଳ ଆଧାର।

ତାଙ୍କର ରୂପ କେବଳ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ବରଂ ତାଙ୍କର ଆପାଦମସ୍ତକ ସାଜ-ସିଙ୍ଗାର ବା ଷୋଳ ଶୃଙ୍ଗାର ପଛରେ ଗଭୀର ଆଧ୍ୟାତ୍ମିକ, ପୌରାଣିକ ଏବଂ ବ୍ରହ୍ମାଣ୍ଡର ରହସ୍ୟ ଲୁଚି ରହିଛି।

ତେଣୁ ଦୁର୍ଗାପୂଜା ସମୟରେ ତାଙ୍କୁ ସୁସଜ୍ଜିତ କରିବାର ପରମ୍ପରା ରହିଛି।

ସେହିପରି ଦେବୀଙ୍କ ଶୃଙ୍ଗାରରେ ଉଭୟ ସୌମ୍ୟ ଓ ରୌଦ୍ର ରୂପର ସମନ୍ବୟ ଦେଖିବାକୁ ମିଳେ।

ବଡ଼କଥା ହେଉଛି, ଦେବୀଙ୍କ ଦିବ୍ୟ ଶୃଙ୍ଗାର ଓ ବସ୍ତ୍ର ଆଦି ସହ ଜଡ଼ିତ ଶାସ୍ତ୍ରୀୟ ଶ୍ଳୋକ ଓ ମନ୍ତ୍ର ମଧ୍ୟ ରହିଛି, ଯାହାକୁ ପୂଜା ସମୟରେ ସାଜ-ସିଙ୍ଗାର ଅର୍ପଣ ବେଳେ ପାଠ କରାଯାଏ।

ଯେମିତିକି, ଦେବୀଙ୍କୁ ପାଟଶାଢ଼ି ଚଢ଼ାଇବା ସମୟରେ ଯେଉଁ ମନ୍ତ୍ର ପାଠ କରାଯାଏ, ତାହା ଏହିପରି- ""ଶୀତଵାତୋଷ୍ଣସନ୍ତ୍ରାଣଂ ଲଜ୍ଜାୟା ରକ୍ଷଣଂ ପରମ୍‌ / ଦେହସ୍ୟାଳଙ୍କରଣଂ ଵସ୍ତ୍ରମତଃ ଶାନ୍ତିଂ ପ୍ରୟଚ୍ଛ ମେ/ ଓଁ ଦୁର୍ଗାୟୈ ନମଃ, ଵସ୍ତ୍ରଂ/ଚୁନରି ପରିଧାପୟାମି ସମର୍ପୟାମି।"" ସେହିପରି ସାଜ ସିଙ୍ଗାର ସମର୍ପଣ ମନ୍ତ୍ର ହେଉଛି- ""କୁଙ୍କୁମଂ ସିନ୍ଦୂରଂ ଚୈଵ କର୍ପୂରୈଣ ସମନ୍ଵିତମ୍/ ଵିଳେପନଂ ମହାଦେଵି ଶୃଙ୍ଗାରାର୍ଥଂ ପ୍ରତିଗୃହ୍ୟତାମ୍‌/ ସୌଭାଗ୍ୟସୂତ୍ରଂ ମଣିମୁକ୍ତାଵିରଚିତଂ ଦିୱ୍ୟୟଂ ଗୃହାଣ ଦେଵି ଜଗଦମ୍ବ ପ୍ରସୀଦ ମେ।” ହିନ୍ଦୁ ଶାସ୍ତ୍ରରେ ନାରୀ ଓ ପ୍ରକୃତିର ସମ୍ମାନ ପାଇଁ ୧୬ ପ୍ରକାର ସାଜସଜ୍ଜା ବା ଷୋଳ ଶୃଙ୍ଗାରର ବ୍ୟବସ୍ଥା ରହିଛି।

ମା" ଦୁର୍ଗାଙ୍କ କ୍ଷେତ୍ରରେ ମଧ୍ୟ ଏହା ସ୍ବତନ୍ତ୍ର ମହତ୍ତ୍ବ ବହନ କରେ।

ସେହିପରି ଦେବୀଙ୍କ ସାଜ-ସିଙ୍ଗାରକୁ ବାହ୍ୟ ପରମ୍ପରା ଭାବେ ଗ୍ରହଣ କରାଯାଇନଥାଏ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)