Agricluture: ନିର୍ମାଣାଧୀନ ସ୍ୱତନ୍ତ୍ର ଚାଉଳ ଓ ମିଲେଟ୍ର ମୂଲ୍ୟବୃଦ୍ଧି କେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତୀକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱରର ବରମୁଣ୍ଡାଠାରେ ନିର୍ମାଣାଧୀନ ସ୍ବତନ୍ତ୍ର ଚାଉଳ, ମିଲେଟର ମୂଲ୍ୟ ବୃଦ୍ଧି ସୁବିଧା କେନ୍ଦ୍ର ଏବଂ 'ଓଡ଼ିଶା ବଜାର' ପରିଦର୍ଶନ କରିଛନ୍ତି।
ରାଜ୍ୟର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟକର ଚାଉଳ, ମିଲେଟ୍ ଏବଂ ସେଗୁଡ଼ିକରୁ ପ୍ରସ୍ତୁତ ମୂଲ୍ୟବର୍ଦ୍ଧିତ ସାମଗ୍ରୀ ଯୋଗାଇଦେବା ପାଇଁ ଏକ ରୋଡମ୍ୟାପ୍ ଉପରେ ଉଭୟ ଉପମୁଖ୍ୟମନ୍ତ୍ରୀ ଅନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥାର ବୈଜ୍ଞାନିକ, କୃଷି ଓ ମିସନ ଶକ୍ତି ବିଭାଗ, ଓୟୁଏଟି ଏବଂ ଓଏଆଇସିର ବରିଷ୍ଠ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।
Advertisment ଏହାପରେ କୃଷି ବିଭାଗ ପକ୍ଷରୁ ଏହି ପରିପ୍ରେକ୍ଷୀରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା।
ପ୍ରଯୁକ୍ତିବିଦ୍ୟାର ସମନ୍ବୟ ଏବଂ ସମାବେଶୀ ମୂଲ୍ୟ ଶୃଙ୍ଖଳା ମାଧ୍ୟମରେ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ସହିତ କୃଷକମାନଙ୍କ ଆୟକୁ ସ୍ଥାୟୀ ଭାବରେ ବୃଦ୍ଧି କରିବା ପାଇଁ ଏହି କର୍ମଶାଳାରେ କାର୍ଯ୍ୟାନ୍ବୟନ ରଣନୀତି ଏବଂ ସାଂସ୍ଥାନିକ ଢାଞ୍ଚା ନିର୍ଦ୍ଧାରଣ ଉପରେ ଗୁରୁତ୍ବ ଦିଆଯାଇଥିଲା।
ଓଡ଼ିଶାର ପାରମ୍ପରିକ ଧାନ କିସମଗୁଡ଼ିକର ବ୍ୟବହାର ଓ ବ୍ୟବସାୟିକ ସମ୍ଭାବନାକୁ ଆହୁରି ବଢ଼ାଇବାର ଯଥେଷ୍ଟ ସୁଯୋଗ ରହିଛି।
ଏହି ଧାନର ଉତ୍ପାଦନ ବୃଦ୍ଧି କରି କେବଳ ଖାଦ୍ୟ ଭାବେ ଏହାର ବ୍ୟବହାର ବଢାଇବା ନୁହେଁ, ବରଂ କମ୍ ଦାମର ଭଙ୍ଗା ଚାଉଳ ଓ କୁଣ୍ଡାରୁ ପୁଷ୍ଟିକର ମୂଲ୍ୟଯୁକ୍ତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ।
ଏହାଦ୍ୱାରା ଅଧିକ ମୂଲ୍ୟ ହାସଲ ସହ ଓଡ଼ିଶାର କୃଷକ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟତା ମିଳିବ।
IRRI ଦ୍ୱାରା ବିକଶିତ ପୁଷ୍ଟିକର ଧାନ କିସମ, ଓଡ଼ିଶାର ଅଳ୍ପ ବ୍ୟବହୃତ ପାରମ୍ପରିକ ଧାନ ଏବଂ ମିଲେଟ୍କୁ ବ୍ୟବହାର କରି ଏହି ପ୍ରକ୍ରିୟାକରଣ କେନ୍ଦ୍ରରେ ବିଭିନ୍ନ ମୂଲ୍ୟଯୁକ୍ତ ଖାଦ୍ୟ ଉତ୍ପାଦ ପ୍ରସ୍ତୁତ କରାଯିବ।
ଏହି କେନ୍ଦ୍ରର ନାମ 'ଓଡ଼ିଶା କୃଷି ମୂଲ୍ୟବୃଦ୍ଧି ଉତ୍କର୍ଷ କେନ୍ଦ୍ର ରଖାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଘୋଷଣା କରିଥିଲେ।
ଏହି କେନ୍ଦ୍ର ଓଡ଼ିଶାକୁ ପ୍ରତିଷେଧକ ପୋଷଣ, ସ୍ବାସ୍ଥ୍ୟକର ଖାଦ୍ୟ ବ୍ୟବସ୍ଥା ଏବଂ ଚାଉଳ ଓ ମିଲେଟ୍ ଆଧାରିତ ମୂଲ୍ୟଯୁକ୍ତ ଖାଦ୍ୟ ଉତ୍ପାଦ କ୍ଷେତ୍ରରେ ଜାତୀୟସ୍ତରରେ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ କରାଇବାରେ ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ।
ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚିବ ବିଜୁଳି: କନକ ବର୍ଦ୍ଧନ ସିଂହଦେଓ IRRI କୃଷି ବିଭାଗ ଓ ମିସନ ଶକ୍ତି ସହ ମିଳିତ ଭାବେ କାର୍ଯ୍ୟ କରି ସ୍ୱାସ୍ଥ୍ୟକର ଧାନ ଉତ୍ପାଦନ, ପ୍ରକ୍ରିୟାକରଣ, ଲଜିଷ୍ଟିକ୍ସ, ଟ୍ରେସେବିଲିଟି, ଗୁଣବତ୍ତା ପ୍ରମାଣପତ୍ର ଏବଂ ସ୍ୱାସ୍ଥ୍ୟକର ଚାଉଳ ଆଧାରିତ ମୂଲ୍ୟଯୁକ୍ତ ଉତ୍ପାଦ ବିକାଶ ପାଇଁ ବୈଷୟିକ ଜ୍ଞାନ ଓ ସହଯୋଗ ଯୋଗାଇଦେବ।
ଅନ୍ୟପକ୍ଷରେ, ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିନିବେଶ ନିଗମ ଲିମିଟେଡ୍ ବଜାର ସଂଯୋଗ ସୁଦୃଢ଼ କରିବା ସହ ଏହି ସ୍ୱତନ୍ତ୍ର ଚାଉଳ ଓ ମିଲେଟ୍ ପ୍ରକ୍ରିୟାକରଣ କେନ୍ଦ୍ରର ସଫଳ ପରିଚାଳନା ପାଇଁ ଏକ ଦୀର୍ଘସ୍ଥାୟୀ ବ୍ୟବସାୟିକ ଯୋଜନା ପ୍ରସ୍ତୁତ କରିବ।
ଏହା ଘରୋଇ ଖୁଚୁରା ବଜାର ସୁଦୃଢ଼ କରିବା ସହ ରପ୍ତାନିର ସୁଯୋଗ ସୃଷ୍ଟି କରି ଏକ ସମନ୍ୱିତ ମୂଲ୍ୟ ଶୃଙ୍ଖଳ ଭାବେ କାର୍ଯ୍ୟ କରିବ।
କୃଷି କ୍ଷେତ୍ରରେ ପ୍ରକ୍ରିୟାକରଣ ଆଧାରିତ ଏହି ରୂପାନ୍ତରଣ ଦ୍ବାରା ଅମଳ ପରବର୍ତ୍ତୀ ଫସଲ ନଷ୍ଟ କମିବ, ଉତ୍ପାଦର ସଂରକ୍ଷଣ ଅବଧି ବଢିବ ଏବଂ ଓଡ଼ିଶାରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରକ୍ରିୟାକୃତ ଓ ବ୍ରାଣ୍ଡେଡ୍ ଉତ୍ପାଦ ଭାବେ ଦେଶର ଦୂରଦୂରାନ୍ତ ଅଞ୍ଚଳ ଏବଂ ବିଦେଶୀ ବଜାରରେ ପହଞ୍ଚିପାରିବ।
ଏହି ପ୍ରକଳ୍ପ ମାଧ୍ୟମରେ ଏସଏଚଜି ଦ୍ୱାରା ପରିଚାଳିତ ମୂଲ୍ୟଯୁକ୍ତ ଉତ୍ପାଦ ଉଦ୍ୟୋଗଗୁଡ଼ିକୁ ମଧ୍ୟ ସୁଦୃଢ଼ କରାଯିବ।
ଏଥିପାଇଁ ଉତ୍ପାଦନ କ୍ଷମତା ବୃଦ୍ଧି, ଗୁଣବତ୍ତା ନିଶ୍ଚିତକରଣ, ଖାଦ୍ୟ ନିରାପତ୍ତା ମାନଦଣ୍ଡର ଅନୁପାଳନ ଏବଂ ନିରନ୍ତର ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ପ୍ରଦାନ କରାଯିବ।
କୃଷି କ୍ଷେତ୍ରରେ ରୂପାନ୍ତରଣର ଏକ ନୂତନ ଅଧ୍ୟାୟ।
ଏହା କୃଷକମାନଙ୍କୁ ସିଧାସଳଖ ମୂଲ୍ୟବୃଦ୍ଧି, ବ୍ରାଣ୍ଡିଂ, ପ୍ରକ୍ରିୟାକରଣ ଓ ଉଚ୍ଚ ମୂଲ୍ୟଯୁକ୍ତ ବଜାର ସହ ଯୋଡ଼ିବ।
ଏହି କେନ୍ଦ୍ର ମାଧ୍ୟମରେ କୃଷକ ଉତ୍ପାଦକ ସଂଗଠନ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି ଗୋଷ୍ଠୀ, ଷ୍ଟାର୍ଟଅପ୍ ଏବଂ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସାଧାରଣ ପ୍ରକ୍ରିୟାକରଣ ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆମର ଲକ୍ଷ୍ୟ ସ୍ପଷ୍ଟ।
ଆମେ ଚାହୁଁ ପ୍ରତ୍ୟେକ କୃଷକ ଅଧିକ ଆୟ କରନ୍ତୁ, ପ୍ରତ୍ୟେକ ମହିଳା ଉଦ୍ୟୋଗୀ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ନ୍ତୁ, ପ୍ରତ୍ୟେକ ଜିଲ୍ଲା ମୂଲ୍ୟବୃଦ୍ଧି ପ୍ରକ୍ରିୟାରେ ସାମିଲ ହେଉ ଏବଂ ଓଡ଼ିଶା ସ୍ବାସ୍ଥ୍ୟକର ଚାଉଳ, ପାରମ୍ପରିକ ଧାନ ଓ ମିଲେଟ୍ର ନବସୃଜନ କ୍ଷେତ୍ରରେ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଉଭା ହେଉ।
ସେହିପରି କୃଷି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ କହିଥିଲେ, ଆମର ଉଦ୍ଦେଶ୍ୟ ହେଉଛି ଏକ ଭବିଷ୍ୟତ-ଉପଯୋଗୀ ଅନୁଷ୍ଠାନିକ ବ୍ୟବସ୍ଥା ଗଢ଼ି ତୋଳିବା, ଯେଉଁଠାରେ ସରକାରୀ ନୀତିଗତ ସହାୟତା, ନବସୃଜନ, ଉଦ୍ୟୋଗିତା ଏବଂ ବଜାର ସୁଯୋଗର ସମନ୍ୱୟ ମାଧ୍ୟମରେ ଓଡ଼ିଶାର କୃଷକ ଓ ମହିଳା ଅଂଶୀଦାରମାନଙ୍କ ପାଇଁ ସମୃଦ୍ଧି ସୁନିଶ୍ଚିତ କରାଯାଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
