AC Coach Theft Soars: ପ୍ରବଳ ଚୋରି ହେଉଛି ରେଳବାଇର ଏସି କୋଚରୁ; ୪ ବର୍ଷ ମଧ୍ୟରେ ୧.୨୭ କୋଟି ବେଡସିଟ୍, ଟାୱେଲ, କମ୍ବଳ ଓ ତକିଆ
ଭାରତୀୟ ରେଳବାଇ ନେଟୱାର୍କରେ ପ୍ରାୟ ୮ ଲକ୍ଷ ଏସି ଯାତ୍ରୀ ଲିନେନ୍ ବେଡରୋଲ୍ ବ୍ୟବହାର କରନ୍ତି । ସାଧାରଣତଃ ଦୁଇଟି ବେଡସିଟ୍, ଗୋଟିଏ କମ୍ବଳ, ଗୋଟିଏ ତକିଆ, ଗୋଟିଏ ତକିଆ କଭର ଏବଂ ଏକ ମୁହଁପୋଛା ଟାୱେଲ୍ ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ଦିଆଯାଇଥାଏ । ପ୍ରତ୍ୟେକ ଯାତ୍ରା ଶେଷ ହେବା ପରେ ପ୍ରତି ୧୦୦୦ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ଜଣେ, ଅତି କମରେ ଗୋଟିଏ ବେଡରୋଲ୍ ଜିନିଷ ଧରି ଚାଲିଯାଆନ୍ତି । ଏକ ତଦନ୍ତରୁ ଜଣାପଡିଛି।
ଭାରତୀୟ ରେଳବାଇର ସମସ୍ତ ୬୯ ଡିଭିଜନରେ ସୂଚନା ଅଧିକାର ବଳରେ ଆବେଦନ କରାଯାଇଥିଲା । ୧୮ଟି ରେଳ ଜୋନରୁ ୧୬ଟିରେ ୫୪ଟି ଡିଭିଜନରୁ ଉତ୍ତର ମିଳିଥିଲା । କିଛି ଆଂଶିକ ସୂଚନା ମଧ୍ୟ ଦେଇଥିଲେ। ଏହି ରେକର୍ଡଗୁଡ଼ିକ ଦର୍ଶାଉଛି ଯେ ଜାନୁଆରୀ ୨୦୨୨ ରୁ କୋଭିଡ ମହାମାରୀ ପରେ ବେଡରୋଲ୍ ସେବା ସମ୍ପୂର୍ଣ୍ଣ ଭାବରେ ପୁନଃଆରମ୍ଭ ହୋଇଥିଲା । ୨୦୨୬ ମେ’ ମଧ୍ୟରେ ଅତି କମରେ ୧.୨୭ କୋଟି ବେଡରୋଲ୍ ଯାତ୍ରୀମାନଙ୍କ ଦ୍ୱାରା ଚୋରି ହୋଇଥିଲା । ତଥ୍ୟ ଦର୍ଶାଉଛି ଯେ ୨୦୨୨ ରୁ ୨୦୨୫ ପର୍ଯ୍ୟନ୍ତ ଏପରି ଚୋରିରେ ୫୬ ପ୍ରତିଶତ ବୃଦ୍ଧି ଘଟିଛି।
ଆରଟିଆଇ ତଥ୍ୟ ଅନୁଯାୟୀ, ଏହି ଚୋରି ଯୋଗୁଁ ଚାରି ବର୍ଷରୁ ଅଧିକ ସମୟ ମଧ୍ୟରେ ବେଡରୋଲ୍ ଠିକାଦାରମାନଙ୍କର ପ୍ରାୟ ୧୦୪.୫୧ କୋଟି ଟଙ୍କା କ୍ଷତି ହୋଇଛି । ଠିକାଦାରମାନେ ନିଯୁକ୍ତ କୋଚ୍ ଆଟେଣ୍ଡାଣ୍ଟମାନଙ୍କ ଦରମାରୁ ପ୍ରାୟତଃ ଏହି ଟଙ୍କା ଆଦାୟ କରନ୍ତି ବୋଲି କୁହାଯାଏ ।
ରେଳ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ପ୍ରସଙ୍ଗ ଗମ୍ଭୀର ଚିନ୍ତାର ବିଷୟ ଏବଂ ଲିନେନ୍ ଚୋରି ରୋକିବା ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରୟାସ କରାଯାଉଛି। ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ ରେଳବାଇ ଚୋରିରେ କର୍ମଚାରୀଙ୍କ ସମ୍ପୃକ୍ତିର କୌଣସି ପ୍ରମାଣ ମିଳିନାହିଁ ।
ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ସାତଟି ଜୋନର ୧୦ଟି ଡିଭିଜନରେ ଅଧିକ ଚୋରି ହେଉଛି । ଏହା ମୋଟ ଚୋରିର ୬୭%। ସେଗୁଡ଼ିକ ମଧ୍ୟରେ ବିକାନେର, ଯୋଧପୁର ଏବଂ ଜୟପୁର, ରାଞ୍ଚି, ଦିଲ୍ଲୀ, ମୁମ୍ୱାଇ, ଅହମ୍ମଦାବାଦ, ସୋନପୁର ଏବଂ ଦାନପୁର ଏବଂ ବିଳାସପୁର ଅନ୍ତର୍ଭୁକ୍ତ।
ଚୋରି ହୋଇଥିବା ଜିନିଷ ମଧ୍ୟରେ ମୁହଁପୋଛା ଟାୱେଲ ଅଧିକ ଚୋରି ହୋଇଛି । କାରଣ ଏହାକୁ ସହଜରେ ଚୋରି କରାଯାଇପାରେ । ଚାରି ବର୍ଷ ମଧ୍ୟରେ ୪୬.୫୪ ଲକ୍ଷ ମୁହଁପୋଛା ଟାୱେଲ, ୪୧.୧୩ ଲକ୍ଷ ବେଡସିଟ୍, ୨୩.୫୯ ଲକ୍ଷ ତକିଆ କଭର , ୧୨.୯୫ ଲକ୍ଷ କମ୍ବଳ ଏବଂ ୨.୭୬ ଲକ୍ଷ ତକିଆ ଚୋରି ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।