Aamir-Gauri Wedding Controversy: ଆମିର ଖାନଙ୍କ ବିବାହକୁ ନେଇ ବଢ଼ିଲା ବିବାଦ! ଆନ୍ତଃଧର୍ମ ବିବାହ ଉପରେ ମୌଲବୀଙ୍କ ଫତୱା
ବଲିଉଡ୍ ଅଭିନେତା ଆମିର ଖାନଙ୍କ ତୃତୀୟ ବିବାହକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି। ଜୁଲାଇ ୫ରେ ଦୀର୍ଘଦିନର ସାଥୀ ଗୌରୀ ସ୍ପ୍ରାଟଙ୍କୁ ରେଜିଷ୍ଟ୍ରି ବିବାହ କରିବା ପରେ ଏହି ବିବାହକୁ ନେଇ କିଛି ମୁସଲିମ ସଂପ୍ରଦାୟର ବିଭିନ୍ନ ମହଲରୁ ଆପତ୍ତି ଉଠିଛି। ଏହାକୁ କେନ୍ଦ୍ର କରି ଜଣେ ମୌଲବୀ ଫତୱା ଜାରି କରିଥିବା ଦାବି ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରୁ ଆରମ୍ଭ କରି ରାଜନୈତିକ ଓ ସାମାଜିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି।
ଫତୱାକୁ ନେଇ କ'ଣ କହିଲେ ମୌଲବୀ?
ମୁସଲିମ ପର୍ସନାଲ ଦାରୁଲ ଇଫ୍ତାର ଶାହିର ମୁଖ୍ୟ ମୁଫତି ମୌଲାନା ଇବ୍ରାହିମ ହୁସେନ କହିଛନ୍ତି ଯେ, ଶରିଆ ଅନୁଯାୟୀ ଜଣେ ମୁସଲମାନ ପୁରୁଷଙ୍କ ପାଇଁ ଇସଲାମ ଧର୍ମକୁ ଅନୁସରଣ ନକରୁଥିବା ମହିଳାଙ୍କୁ ବିବାହ କରିବା ଅନୁମତିପ୍ରାପ୍ତ ନୁହେଁ। ତାଙ୍କ ମତରେ, ଏପରି ବିବାହ ଧାର୍ମିକ ଶିକ୍ଷା ବିରୋଧୀ ଏବଂ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅନୁତାପ କରିବା ଉଚିତ୍।
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, କିଛି ମୁସଲିମ ସମ୍ପ୍ରଦାୟର ସଦସ୍ୟ ମଧ୍ୟ ଆମିର ଖାନଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ସେ ଦାବି କରିଛନ୍ତି ଯେ ଏପରି ବିବାହ ଇସଲାମିକ ଶରିଆ ସହ ସୁସଙ୍ଗତ ନୁହେଁ।
ବିବାହ ପରେ ବଢ଼ିଲା ଚର୍ଚ୍ଚା
ଆମିର ଖାନ ବିବାହ ପରେ 'ଲଗାନ' ଚଳଚ୍ଚିତ୍ରର ୨୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ଲଣ୍ଡନ ଯାଇଥିବାବେଳେ, ଭାରତରେ ତାଙ୍କ ବିବାହକୁ ନେଇ ଧାର୍ମିକ ଓ ସାମାଜିକ ସ୍ତରରେ ଆଲୋଚନା ଜୋର ଧରିଛି। ଗୌରୀ ସ୍ପ୍ରାଟଙ୍କ ଧାର୍ମିକ ପୃଷ୍ଠଭୂମିକୁ ନେଇ ମଧ୍ୟ ବିଭିନ୍ନ ମତ ପ୍ରକାଶ ପାଉଛି।
ଆମିର ଖାନଙ୍କ ବ୍ୟକ୍ତିଗତ ଜୀବନ
ଆମିର ଖାନ ପ୍ରଥମେ ୧୯୮୬ ମସିହାରେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ। ଦୁହେଁଙ୍କର ଜୁନେଦ ଓ ଇରା ନାମକ ଦୁଇ ସନ୍ତାନ ଅଛନ୍ତି। ୨୦୦୨ରେ ଏହି ବିବାହର ବିଚ୍ଛେଦ ହୋଇଥିଲା।
ଏହାପରେ ୨୦୦୫ରେ ସେ ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କୁ ବିବାହ କରିଥିଲେ। ୨୦୧୧ରେ ସରୋଗେସି ମାଧ୍ୟମରେ ତାଙ୍କ ପୁଅ ଆଜାଦଙ୍କ ଜନ୍ମ ହୋଇଥିଲା। ୨୦୨୧ରେ ଦୁହେଁ ବିଚ୍ଛେଦ ଘୋଷଣା କରିଥିଲେ, କିନ୍ତୁ ପୁଅଙ୍କ ଦାୟିତ୍ୱ ମିଳିତ ଭାବେ ନିର୍ବାହ କରୁଛନ୍ତି।
ଜୁଲାଇ ୫, ୨୦୨୬ରେ ଆମୀର ଖାନ ତାଙ୍କ ଦୀର୍ଘଦିନର ବନ୍ଧୁ ଗୌରୀ ସ୍ପ୍ରାଟଙ୍କୁ ବିବାହ କରିଥିଲେ। ଦୁହେଁ ପ୍ରାୟ ଦୁଇ ଦଶନ୍ଧି ଧରି ପରସ୍ପରକୁ ଜାଣିଥିବା ଜଣାପଡ଼ିଛି। ଆମୀର ନିଜ ୬୦ତମ ଜନ୍ମଦିନ ଅବସରରେ ଗୌରୀଙ୍କୁ ସାର୍ବଜନୀନ ଭାବେ ପରିଚୟ କରାଇଥିଲେ। ଗୌରୀଙ୍କର ମଧ୍ୟ ପୂର୍ବ ସମ୍ପର୍କରୁ ଜଣେ ପୁଅ ଅଛନ୍ତି।
ବିବାହକୁ ନେଇ ଚାଲିଛି ବ୍ୟାପକ ଆଲୋଚନା
ଗୌରୀ ସ୍ପ୍ରାଟ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ବୋଲି ବିଭିନ୍ନ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି। ଏହାକୁ କେନ୍ଦ୍ର କରି ଆନ୍ତଃଧର୍ମ ବିବାହ, ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଧାର୍ମିକ ନିୟମକୁ ନେଇ ଦେଶବ୍ୟାପୀ ଆଲୋଚନା ଆରମ୍ଭ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।