20 AUGUST 2026

Welcome!

Unlock your personalized experience.
Sign Up
block-728

388 crores spent: ୨ ବର୍ଷରେ ୩୮୮ କୋଟି ଖର୍ଚ୍ଚ, ତଥାପି... ୧୦୮ ଆମ୍ବୁଲାନ୍‌ସକୁ ରୋଗ ଛାଡ଼ୁନି

Aug 20, 2026 - 02:30
388 crores spent: ୨ ବର୍ଷରେ ୩୮୮ କୋଟି ଖର୍ଚ୍ଚ, ତଥାପି... ୧୦୮ ଆମ୍ବୁଲାନ୍‌ସକୁ ରୋଗ ଛାଡ଼ୁନି
ଭୁବନେଶ୍ବର (କ୍ଷିତୀଶ ରାୟ): ରାଜ୍ୟରେ ରୋଗୀ ପରିବହନ ସେବାର ମେରୁଦଣ୍ଡ ୧୦୮ ଆମ୍ବୁଲାନ୍‌ସ ସେବା ପରିଚାଳନାକୁ ନେଇ ବଡ଼ ପ୍ରଶ୍ନ ଉଠିବା ଆରମ୍ଭ କଲାଣି। ଆମ୍ବୁଲାନ୍‌ସ ଚଳାଇବା ପାଇଁ ରାଜ୍ୟ ସରକାର ୨ବର୍ଷରେ ପ୍ରାୟ ୪ ଶହ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ହେଲେ ଆମ୍ବୁଲାନ୍‌ସ କେତେବେଳେ ମଝି ରାସ୍ତାରେ ଅଟକି ଯାଉଛି ତ ଆଉ କେଉଁଠି ଦୁର୍ଘଟଣାର ଶିକାର ହେଉଛି। ଗତ ୩ ମାସ ରାଜ୍ୟରେ ପ୍ରାୟ ୧୮ଟି ଆମ୍ବୁଲାନ୍‌ସ ଦୁର୍ଘଟଣାର ଶିକାର ହେଲାଣି। ବିପୁଳ ଅର୍ଥ ଖର୍ଚ୍ଚ କରିବା ସତ୍ତ୍ବେ ରୋଗୀ ପରିବହନ ସେବାରେ ସୁଧାର ନ ଆସିବା ରୋଗୀ ସୁରକ୍ଷାପ୍ରତି ଆଶଙ୍କା ବଢ଼ାଇଛି।
ରାଜ୍ୟରେ ୮୬୦ଟି ୧୦୮ ଆମ୍ବୁଲାନ୍‌ସ ରହିଛି। କିଛିମାସ ତଳେ ସରକାରଙ୍କ ତରଫରୁ ୪୨୦ଟି ନୂଆ ଆମ୍ବୁଲାନ୍‌ସ ପ୍ରଦାନ କରାଯାଇଛି। ଏହାସହ ଆହୁରି ୧୧୨ଟି ୧୦୮ ଆମ୍ବୁଲାନ୍‌ସକୁ ବଦଳାଇବା ଉପରେ ବିଚାର କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ଗତ ଏପ୍ରିଲ ମାସରୁ ଚଳିତମାସ ପର୍ଯ୍ୟନ୍ତ ୧୨ଟି ୧୦୮ ଆମ୍ବୁଲାନ୍‌ସ ଓ ୬ଟି ୧୦୨ଟି ଜନନୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେଲାଣି। ଏଥିରେ ଜଣେ ଆମ୍ବୁଲାନ୍‌ସ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଏହାସହ କଳାହାଣ୍ଡି ଜିଲ୍ଲାରେ ଏକ ଆମ୍ବୁଲାନ୍‌ସ ଟାୟାର ପଙ୍କ୍‌ଚର ହୋଇଯିବା କାରଣରୁ ରୋଗୀ ସ୍ଥାନାନ୍ତର ବିଳମ୍ବିତ ହୋଇଥିଲା। ଫଳରେ ୧୧ବର୍ଷର ଜଣେ ବାଳିକା ପ୍ରାଣ ହରାଇଥିଲେ। ଯେଉଁ ଆମ୍ବୁଲାନ୍‌ସ ଦୁର୍ଘଟଣାଗ୍ରସ୍ତ ହେଉଛି ସେସବୁ ଆମ୍ବୁଲାନ୍‌ସ ବେଶ୍‌ କିଛିଦିନ ପର୍ଯ୍ୟନ୍ତ ରୋଗୀ ସେବାରୁ ବାଦ୍‌ (ଅଫ୍‌ରୋଡ୍‌) ପଡ଼ୁଛି। ସରକାରୀ ଆମ୍ବୁଲାନ୍‌ସ ଏଭଳି ଦୟନୀୟ ସ୍ଥିତି ପଛରେ କେବଳ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ନା ଅନ୍ୟ କେଉଁ କାରଣ ରହିଛି, ତାହାର ଅନୁଧ୍ୟାନ କରାଯିବା ଜରୁରି ହୋଇପଡ଼ିଛି।

ଦୁର୍ଘଟଣା.. ପଙ୍କ୍‌ଚର.. ରାସ୍ତାରେ ଫସୁଛି

୩ ମାସରେ ୧୮ ଦୁର୍ଘଟଣା
ପରିଚାଳନା ସଂସ୍ଥାର ରାଜ୍ୟ ମୁଖ୍ୟଙ୍କ ଇସ୍ତଫା

ଅପରପକ୍ଷରେ ରାଜ୍ୟ ସରକାର ୧୦୮ ଓ ୧୦୨ ଆମ୍ବୁଲାନ୍‌ସ ପରିଚାଳନା ପାଇଁ କିଭଳି ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ନଜରକୁ ଆସିଛି। ସୂଚନାଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ୨୦୨୪ ମସିହା ଅକ୍ଟୋବର ମାସରୁ ଚଳିତବର୍ଷ ମେ’ ମାସ ଭିତରେ ରାଜ୍ୟ ସରକାର ୩୮୮କୋଟି ଟଙ୍କା ପରିଚାଳନା ବାବଦକୁ ଖର୍ଚ୍ଚ କରିଛନ୍ତି। ଏଥିରେ ୧୦୮ ଆମ୍ବୁଲାନ୍‌ସ ପାଇଁ ୩୩୧କୋଟି ଓ ୧୦୨ ଆମ୍ବୁଲାନ୍‌ସ ପାଇଁ ୫୭ କୋଟି ରହିଛି। ପରିଚାଳନା ଖର୍ଚ୍ଚ ଭିତରେ ଆମ୍ବୁଲାନ୍‌ସ ପାଇଁ ତେଲ, କର୍ମଚାରୀଙ୍କ ଦରମା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ରହିଛି। ଓଡ଼ିଶାରେ ଜରୁରିକାଳୀନ ଆମ୍ବୁଲାନ୍‌ସ ସେବା (ଇଏମ୍‌ଏଏସ୍‌)କୁ ପରିଚାଳନା କରୁଥିବା ସଂସ୍ଥା ଏହି ଅର୍ଥ ସରକାରଙ୍କ ନିକଟରୁ ଭରଣା କରିଥାଏ। ରକ୍ଷଣାବେକ୍ଷଣାରେ ପାଇଁ କୋଟି କୋଟି ଟଙ୍କା ବିନିଯୋଗ ହେଉଥିବା ବେଳେ ଏଭଳି ଢଙ୍ଗରେ ରୋଗୀଙ୍କୁ ବିପଦ ମୁହଁକୁ ଠେଲି ଦିଆଯିବା ସାଧାରଣରେ ସମାଲୋଚନା କରାଯାଉଛି।
ଆମ୍ବୁଲାନ୍‌ସ ପରିଚାଳନା ସଂସ୍ଥା ଏମ୍ରି ଗ୍ରିନ୍‌ ହେଲ୍‌ଥ ସର୍ଭିସ୍‌ର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ବାଳ କହିଛନ୍ତି, ସବୁ ଗାଡ଼ିର ଅଡିଟ୍‌ ଆରମ୍ଭ ହୋଇଛି। ରୋଗୀ ସେବାରେ ଅବହେଳା ନେଇ ସଂସ୍ଥା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। କ୍ର୍ୟୁ ସଦସ୍ୟ ଆପ୍‌ ଜରିଆରେ ସେମାନଙ୍କୁ ଇଣ୍ଡେଣ୍ଟ (ଆବଶ୍ୟକ ସରଞ୍ଜାମ ପ୍ରସ୍ତାବ) ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଅବହେଳା କରୁଥିବା ସଦସ୍ୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୁଲିସରେ ମଧ୍ୟ ଅଭିଯୋଗ କରାଯିବ ବୋଲି ସେ କହିଛନ୍ତି।
ହେଲେ ଶ୍ରୀ ବିଶ୍ବାଳ ଆଜି ରାଜ୍ୟ ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। କେଉଁ କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି ତାହାର କାରଣ ଜଣାପଡ଼ିନାହିଁ। ଶ୍ରୀ ବିଶ୍ବାଳଙ୍କ ଇସ୍ତଫା ପରେ ଆଜି ପରିଚାଳନା ସଂସ୍ଥା ଓ ରାଜ୍ୟ ସରକାରଙ୍କ ଭିତରେ ଏ ସଂପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media