୧୯,୦୦୦ ଫୁଟ ଉପରେ ରାସ୍ତା

Jun 29, 2026 - 13:37
୧୯,୦୦୦ ଫୁଟ ଉପରେ ରାସ୍ତା

 

ଅଧିକାଂଶ ରାସ୍ତା ଆପଣଙ୍କୁ କୌଣସି ନା କୌଣସି ସ୍ଥାନକୁ ନେଇଯାଏ, ମାତ୍ର 'ମିଗ୍ ଲା'  ନାମକ ଏକ ରାସ୍ତା ଆପଣଙ୍କୁ ବାଦଲରୁ ବି ଉପରକୁ ନେଇଯାଇଥାଏ । ଲଦାଖର ଦୂରଦୂରାନ୍ତର ପାର୍ବତ୍ୟାଞ୍ଚଳରେ ନୂତନ ଭାବେ ନିର୍ମିତ 'ମିଗ୍ ଲା ପାସ୍' ଏକ ଆଶ୍ଚର୍ଯ୍ୟଜନକ କାରଣ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ରାସ୍ତାକୁ ଭାରତର ସୀମା ସଡ଼କ ସଂଗଠନ  ଦ୍ୱାରା ନିର୍ମାଣ କରାଯାଇଛି । ଏହାକୁ ପୃଥିବୀଠାରୁ ପ୍ରାୟ ୫,୮୦୦ ମିଟର ବା ୧୯,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଅବସ୍ଥିତ ବିଶ୍ୱର ସର୍ବୋଚ୍ଚ ମୋଟର ଚଳାଚଳ ଉପଯୋଗୀ ସଡ଼କ ଭାବେ ବର୍ଣ୍ଣନା କରାଯାଉଛି । ଏହି ଉଚ୍ଚତାରେ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇଥାଏ, କାରଣ ସମୁଦ୍ର ପତ୍ତନ ତୁଳନାରେ ଏଠାରେ ଅମ୍ଳଜାନର ମାତ୍ରା ବହୁତ କମ୍ ଥାଏ । ତାପମାତ୍ରା ଏଠାରେ ପ୍ରାୟତଃ ମାଇନସ୍କୁ ଚାଲିଯାଏ ଏବଂ ଶୁଷ୍କ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ପବନ ବହିଥାଏ । ଏହି ରାସ୍ତାଟି ବାଙ୍କି ରୁକ୍ଷ ପର୍ବତମାଳା ଓ ବିଶାଳ ଉପତ୍ୟକା ଦେଇ ଗତି କରିଛି, ଯେଉଁଠାରେ କୌଣସି ଗଛଲତା କିମ୍ବା ଜନବସତିର ଚିହ୍ନବର୍ଣ୍ଣ ନାହିଁ ।  ପର୍ଯ୍ୟଟକମାନଙ୍କ ପାଇଁ ଏହି ଉଚ୍ଚତାରେ ପହଞ୍ଚିବା ଏକ ବଡ଼ ରୋମାଞ୍ଚ ହୋଇଥିବା ବେଳେ, ପର୍ଯ୍ୟଟନ ବ୍ୟତୀତ ଏହି ସଡ଼କର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ରହିଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଏହା ପ୍ରତିକୂଳ ପାଗ ଓ ଯୋଗାଯୋଗ ବିଚ୍ଛିନ୍ନ ଅଞ୍ଚଳରେ ସମ୍ପର୍କକୁ ଅଧିକ ମଜବୁତ କରିବାରେ ସାହାଯ୍ୟ କରିଥାଏ । ହିମାଳୟ ଅଞ୍ଚଳରେ ଏହି ପ୍ରୋଜେକ୍ଟକୁ ଇଞ୍ଜିନିୟରିଂର ସବୁଠାରୁ ବଡ଼ ଉଦାହରଣ ଭାବେ ବିବେଚନା କରାଯାଉଛି । କାରଣ ଏଭଳି ଉଚ୍ଚତାରେ ସଡ଼କ ନିର୍ମାଣ ପାଇଁ ସ୍ୱତନ୍ତ୍ର ସରଞ୍ଜାମ, ସୂକ୍ଷ୍ମ ଯୋଜନା ଏବଂ ପ୍ରତିକୂଳ ପରିସ୍ଥିତିରେ କାମ କରିବା ପାଇଁ ଶ୍ରମିକମାନଙ୍କର ଅଦମ୍ୟ ଇଚ୍ଛାଶକ୍ତିର ଆବଶ୍ୟକତା ପଡ଼ିଥିଲା ।