୧୪୫୪ ଫୁଟ ଉଚ୍ଚରେ ନିର୍ବନ୍ଧ

ନିଉୟର୍କର ପ୍ରସିଦ୍ଧ ଏମ୍ପାୟାର୍ ଷ୍ଟେଟ୍ ବିଲ୍ଡିଂର ୧୪୫୪ ଫୁଟ୍ ଉଚ୍ଚତାରେ ଚଢ଼ି ଜଣେ ରୁଷୀୟ ଦମ୍ପତି ପରସ୍ପରକୁ ପ୍ରପୋଜ୍ କରିବା ସହ ନିର୍ବନ୍ଧ କରିଛନ୍ତି । ହେଲେ ବିଲ୍ଡିଂରୁ ତଳକୁ ଓହ୍ଲାଇବା କ୍ଷଣି ପୁଲିସ୍ ସେମାନଙ୍କୁ ଗିରଫ କରିଛି । ୩୨ ବର୍ଷୀୟ ଇଭାନ୍ ବିରକୁସ୍ ଏବଂ ୩୩ ବର୍ଷୀୟା ଏଞ୍ଜେଲା ନିକୋଲାଉ ବିନା କୌଣସି ଅନୁମତିରେ ଏହି ଗଗନଚୁମ୍ବୀ ଅଟ୍ଟାଳିକାର ସବୁଠାରୁ ଉପର ଭାଗକୁ ଚଢ଼ିଥିଲେ । ଯେଉଁଠି ଇଭାନ୍ ଏଞ୍ଜେଲାଙ୍କୁ ମୁଦି ପିନ୍ଧାଇ ପ୍ରପୋଜ୍ କରିଥିଲେ ଏବଂ ଦୁହେଁ ସେହି ଶୀର୍ଷରେ ପ୍ରାୟ ୧୦ ମିନିଟ୍ ସମୟ ବିତାଇଥିଲେ । ତେବେ ଏହି ବେଆଇନ ଅନୁପ୍ରବେଶ ଯୋଗୁଁ ଲୋକଙ୍କ ଜୀବନ ବିପଦରେ ପକାଇବା, ସମ୍ପତ୍ତି ନଷ୍ଟ କରିବା ଏବଂ ବିଶୃଙ୍ଖଳା ସୃଷ୍ଟି କରିବା ଭଳି ଅନେକ ସଙ୍ଗିନ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ମୂଳତଃ ରୁଷର ବାସିନ୍ଦା ଏବଂ ବର୍ତ୍ତମାନ ଆମେରିକାର ନ୍ୟୁଜର୍ସିରେ ରହୁଥିବା ଏହି ଦମ୍ପତିଙ୍କର ଉଚ୍ଚ ଅଟ୍ଟାଳିକାରେ ଚଢ଼ିବାର ନିଶା ଓ ସେମାନଙ୍କ ସମ୍ପର୍କକୁ ନେଇ ୨୦୨୪ ମସିହାରେ ନେଟଫ୍ଲିକ୍ସରେ "ସ୍କାଇୱାକର୍ସ: ଅ ଲଭ୍ ଷ୍ଟୋରୀ" ନାମକ ଏକ ପ୍ରସିଦ୍ଧ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରସ୍ତୁତ ହୋଇସାରିଛି ।