ସୁରର ସମ୍ରାଟଙ୍କୁ ଶେଷ ବିଦାୟ: ନିରବିଗଲା ପ୍ରଣବ ପଟ୍ଟନାୟକଙ୍କ କଣ୍ଠ

Aug 21, 2026 - 13:27
ସୁରର ସମ୍ରାଟଙ୍କୁ ଶେଷ ବିଦାୟ: ନିରବିଗଲା ପ୍ରଣବ ପଟ୍ଟନାୟକଙ୍କ କଣ୍ଠ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ। ଆଉ ନାହାନ୍ତି ବର୍ଷୀୟାନ କଣ୍ଠଶିଳ୍ପୀ ତଥା ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ। ୮୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୮ ମସିହା ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିବା ପ୍ରଣବ ପଟ୍ଟନାୟକ ୭ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ପ୍ରଣବ ୧୯୫୮ରେ ଓଡ଼ିଆ ଚଳଚ୍ଚିତ୍ର ‘ମା’ରୁ ନିଜର କଣ୍ଠଦାନ ଯାତ୍ରା ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ର।

ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ ପିଲାଦିନରୁ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ପ୍ରଣବ। ପରେ ଗୁରୁ କୁନାଳ ଆଦିନାରାୟଣ ରାଓଙ୍କଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ‘ଶ୍ରୀ ଲୋକନାଥ’, ‘ସୂର୍ଯ୍ୟମୁଖୀ’, ‘ସିନ୍ଦୂର ବିନ୍ଦୁ’, ‘ଶେଷ ଶ୍ରାବଣ’, ‘ଚିହ୍ନା ଅଚିହ୍ନା’ ଓ ‘ବତୀଘର’ ଭଳି ଅନେକ ଚଳଚ୍ଚିତ୍ରରେ କଣ୍ଠଦାନ କରି ସେ ଓଡ଼ିଆ ଦର୍ଶକଙ୍କ ହୃଦୟ ଜିଣିଥିଲେ। ନିଜର ଦୀର୍ଘ ସଙ୍ଗୀତ ସାଧନା ମଧ୍ୟରେ ସେ ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ ଓ ଏସ୍. ଜାନକୀଙ୍କ ଭଳି ଜାତୀୟସ୍ତରର କଳାକାରଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ। ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ବେଶ ସୁନାମ ଅର୍ଜନ କରିଥିଲେ। ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media