ସଫଳତାର ଚାବିକାଠି
ଆଈମା କାହାଣୀପେଡିରେ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାର କାହାଣୀ ରହିଥାଏ । ମନୋରଞ୍ଜନ ସହିତ ଅନେକ ଗୁଢ ରହସ୍ୟମଧ୍ୟ ଏହି କାହାଣୀମାନଙ୍କରେ ରହିଥାଏ । ସେହିଭଳି ଏକ କାହାଣୀ ହେଲା ସଫଳତାର ଚାବିକାଠି ।
ଚନ୍ଦନପୁର ଗାଁରେ ମାଧବ ନାମକ ଜଣେ ବୃଦ୍ଧ କୁମ୍ଭାର ରହୁଥିଲେ। ସେ ମାଟିରେ ଅତି ସୁନ୍ଦର ସୁନ୍ଦର କଳସୀ, ଖେଳନା ଏବଂ ମୂର୍ତ୍ତି ତିଆରି କରୁଥିଲେ । ତାଙ୍କର ଏକମାତ୍ର ପୁଅ ବିକାଶ ଭାରି ଚଞ୍ଚଳମନା ଏବଂ ଅଧୈର୍ଯ୍ୟ ଥିଲା । ସେ ସବୁବେଳେ ଚାହୁଁଥିଲା କି କେମିତି ରାତାରାତି ଧନୀ ହୋଇଯିବ ଏବଂ ବହୁତ ପଇସା ରୋଜଗାର କରିବ। ମାଧବ ଯେତେବେଳେ ତାକୁ ଧୈର୍ଯ୍ୟର ସହ ମାଟି କାମ ଶିଖିବାକୁ କହୁଥିଲେ, ସେ ବିରକ୍ତ ହୋଇ ମନା କରୁଥିଲା । କହୁଥିଲା, "ବାପା, ଏହି ମାଟି ଚକ ବୁଲାଇବା ଏବଂ ଗୋଟିଏ ଗୋଟିଏ ପାତ୍ର ଗଢ଼ିବାରେ ବହୁତ ସମୟ ନଷ୍ଟ ହେଉଛି। ମୋତେ ଏତେ ଧୈର୍ଯ୍ୟ ଧରି କାମ କରିବା ପସନ୍ଦ ନୁହେଁ। ମୁଁ ସହରକୁ ଯାଇ କୌଣସି ବଡ଼ ବ୍ୟବସାୟ କରି ଶୀଘ୍ର ସଫଳ ହେବାକୁ ଚାହେଁ। ପୁଅର ଏହି ଚିନ୍ତାଧାରା ଦେଖି ମାଧବ ଦିନେ ତାକୁ ନିଜ କାମ କରିବା ସ୍ଥାନକୁ ଡାକିଲେ । ସେ ବିକାଶ ହାତରେ କିଛି ଓଦା ମାଟି ଦେଇ କହିଲେ, "ପୁଅ, ଆଜି ତୁ ଏହି ମାଟିରୁ ଏକ ସୁନ୍ଦର କଳସୀ ତିଆରି କର।" ବିକାଶ ଉତ୍ସାହର ସହ ମାଟିକୁ ଚକ ଉପରେ ରଖି ଖୁବ୍ ଜୋରରେ ବୁଲାଇବାକୁ ଲାଗିଲା ଏବଂ ଶୀଘ୍ର ଶୀଘ୍ର ତାକୁ ଏକ କଳସୀର ଆକାର ଦେବାକୁ ଚେଷ୍ଟା କଲା । କିନ୍ତୁ ଅତି ଦ୍ରୁତ ଗତିରେ କାମ କରିବା ଯୋଗୁଁ ମାଟିଟି ବାରମ୍ବାର ଭାଙ୍ଗି କାଦୁଅ ହୋଇ ଖସି ପଡ଼ୁଥିଲା । ଏମିତି ଚାରି-ପାଞ୍ଚ ଥର ହେବା ପରେ ବିକାଶ ରାଗିଯାଇ ମାଟିକୁ ଫିଙ୍ଗିଦେଲା ଏବଂ କହିଲା, "ଏହି ମାଟି ହିଁ ଖରାପ, ଏଥିରେ କଳସୀ ଗଢ଼ା ହୋଇପାରିବ ନାହିଁ ।
ମାଧବ ମୃଦୁ ହସିଲେ ଏବଂ ନିଜେ ସେହି ମାଟିକୁ ହାତକୁ ନେଲେ। ସେ ଅତି ଧୀର ସ୍ଥିର ଭାବେ ଚକଟିକୁ ବୁଲାଇଲେ ଏବଂ ଅତି କୋମଳତାର ସହ ନିଜ ଆଙ୍ଗୁଠି ସାହାଯ୍ୟରେ ମାଟିକୁ ଆକାର ଦେବାକୁ ଲାଗିଲେ। କିଛି ସମୟ ପରେ ଏକ ଅତି ସୁନ୍ଦର ଓ ନିଖୁଣ କଳସୀ ଗଢ଼ି ହୋଇଗଲା । ମାଧବ ପୁଅକୁ ପାଖକୁ ଡାକି ସ୍ନେହରେ ବୁଝାଇ କହିଲେ, "ପୁଅ, ମାଟି ଖରାପ ନଥିଲା, କେବଳ ତୋ ପାଖରେ ଧୈର୍ଯ୍ୟର ଅଭାବ ଥିଲା । ଜୀବନ ବି ଠିକ୍ ଏହି ଓଦା ମାଟି ଭଳି । ଆମେ ଯଦି ଅଧୈର୍ଯ୍ୟ ହୋଇ ସବୁ ଜିନିଷ ଶୀଘ୍ର ପାଇବାକୁ ଚେଷ୍ଟା କରିବା, ତେବେ ହାତକୁ ଆସିଥିବା ସୁଯୋଗ ମଧ୍ୟ ଏହି ମାଟି ଭଳି ଭାଙ୍ଗି ନଷ୍ଟ ହୋଇଯିବ । କୌଣସି ସୁନ୍ଦର ଓ ମୂଲ୍ୟବାନ ଜିନିଷ ଗଢ଼ିବା ପାଇଁ ସମୟ, ପରିଶ୍ରମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଧୈର୍ଯ୍ୟର ଆବଶ୍ୟକତା ଥାଏ । ସଫଳତା କେବେ ବି ରାତାରାତି ମିଳେନାହିଁ, ଏହାକୁ ଧୀରେ ଧୀରେ ଏବଂ ସଠିକ୍ ପରିଶ୍ରମର ସହ ଗଢ଼ିବାକୁ ପଡ଼ିଥାଏ । ବାପାଙ୍କର ଏହି ଗହନ କଥା ବିକାଶର ମନକୁ ଛୁଇଁଗଲା । ସେ ନିଜର ଭୁଲ୍ ବୁଝିପାରିଲା ଏବଂ ସେହି ଦିନଠାରୁ ସେ କେବଳ ଶୀଘ୍ର ସଫଳ ହେବାର ଅନ୍ଧଦୌଡ଼ରେ ନଦୌଡ଼ି, ନିଜ କାମକୁ ଧୈର୍ଯ୍ୟ ଓ ଶ୍ରଦ୍ଧାର ସହ ଶିଖିବା ଆରମ୍ଭ କଲା । ପରବର୍ତ୍ତୀ ସମୟରେ ସେ ଗାଁର ଜଣେ ବହୁତ ବଡ଼ ଓ ସଫଳ ଶିଳ୍ପୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଲା। ଏହି କାହାଣୀରୁ ଆମକୁ ଏହାଶିକ୍ଷା ମିଳେ ଯେ, ଧୈର୍ଯ୍ୟ ଏବଂ ନିରନ୍ତର ସଠିକ୍ ପ୍ରୟାସ ହିଁ ଜୀବନରେ ପ୍ରକୃତ ସଫଳତାର ଚାବିକାଠି ଅଟେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।