ନିଟ୍ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଯେଉଁମାନେ ଜଡ଼ିତ ସେମାନଙ୍କୁ କଠୋର ଦଣ୍ଡ ମିଳିବ : ମୋଦୀ

Jul 21, 2026 - 13:11
ନିଟ୍ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଯେଉଁମାନେ ଜଡ଼ିତ ସେମାନଙ୍କୁ କଠୋର ଦଣ୍ଡ ମିଳିବ : ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଗଣତାନ୍ତ୍ରିକ ମହାମେଣ୍ଟ (ଏନ୍‌ଡିଏ)ର ସାଂସଦମାନଙ୍କୁ ଯୁବଗୋଷ୍ଠୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ଆଶଙ୍କା ଦୂର କରିବାକୁ କହିଥିଲେ। ସେ କହିଥିଲେ ଯେ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଅଧିବେଶନ ଆରମ୍ଭ ପୂର୍ବରୁ ନିଜର ପାରମ୍ପରିକ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଭାରତର ଯୁବବର୍ଗଙ୍କ ସଫଳତା ଓ ଅଗ୍ରଗତିର ଉଲ୍ଲେଖ କରିଥିଲେ। ବର୍ତ୍ତମାନ ’ମଙ୍ଗଳ ମିଳନ’ ନାମରେ ପରିଚିତ ଏନ୍‌ଡିଏ ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ କହିଛନ୍ତି, ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ଏହି ବିଶ୍ୱାସ ଦିଆଯିବା ଉଚିତ ଯେ ସେମାନଙ୍କ ସ୍ବାର୍ଥ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବ। ଏହି ବୈଠକ ସମ୍ପର୍କରେ ଅବଗତ ଥିବା ଜଣେ ବ୍ୟକ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କୁ ସର୍ବାଧିକ କଠୋର ଦଣ୍ଡ ଦିଆଯିବ। କିନ୍ତୁ ବିରୋଧୀ ଦଳ କରୁଥିବା ଷଡଯନ୍ତ୍ର ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ ସିଜେପି ଆନ୍ଦୋଳନ ମଧ୍ୟରେ ଆସିଛି। ସୋମବାର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷା ପରିଚାଳନାରେ ଅନିୟମିତତା ପ୍ରସଙ୍ଗକୁ ନେଇ ସଂସଦ ଭିତରେ ଓ ବାହାରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି , ’ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ। ବୈଠକ ଅତ୍ୟନ୍ତ ଫଳପ୍ରଦ ଥିଲା। ସେ ନିକଟ ଅତୀତରେ ଦେଶ ହାସଲ କରିଥିବା ସଫଳତା ଏବଂ ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତି ବିଷୟରେ ଆଲୋଚନା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।