ସଂସଦ ଅଭିମୁଖେ ସିଜେପିର ପଦଯାତ୍ରା ବେଳେ ସଂଘର୍ଷ
ନୂଆଦିଲ୍ଲୀ: ସୋମବାର ଦିନ ସିଜେପି (କକ୍ରୋଚ ଜନତା ପାର୍ଟି)ର ସଂସଦ ଅଭିମୁଖେ ପଦଯାତ୍ରା ସମୟରେ ସଂଘର୍ଷ ଉପୁଜିଛି। ପଦଯାତ୍ରାରେ ସାମିଲ ହୋଇଥିବା ଆନ୍ଦୋଳନକାରୀ ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିବା ପରେ ସୁରକ୍ଷା ବାହିନୀ ଲୁହ ଗ୍ୟାସ ପ୍ରୟୋଗ କରିଥିଲେ, ଲାଠିମାଡ଼ କରିଥିଲେ ଏବଂ ଦଙ୍ଗା ନିୟନ୍ତ୍ରଣ ଗାଡ଼ି ମୁତୟନ କରିଥିଲେ। ଜନ୍ତର ମନ୍ତର, ରେଲ ଭବନ, ଶାସ୍ତ୍ରୀ ଭବନ ଏବଂ ଜନପଥ ସମେତ ବିଭିନ୍ନ ସ୍ଥାନରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସଂସଦ ପରିସରରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆନ୍ଦୋଳନ ତୀବ୍ର ହେବା ସହ ଆନ୍ଦୋଳନକାରୀ ସଂସଦ ନିକଟବର୍ତ୍ତୀ ଉଚ୍ଚ ସୁରକ୍ଷା ଅଞ୍ଚଳରେ ଲଗାଯାଇଥିବା ଏକାଧିକ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏହାପରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା, ଯେଉଁଥିରେ ଉଭୟ ପକ୍ଷର କିଛି ଲୋକ ସାମାନ୍ୟ ଆହତ ହୋଇଥିଲେ।
ରେଲ ଭବନ ନିକଟରେ ବହୁ ସଂଖ୍ୟକ ଆନ୍ଦୋଳନକାରୀଙ୍କୁ ଅଟକାଇବାପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ। କର୍ତ୍ତୃପକ୍ଷ ବାରମ୍ବାର ଆନ୍ଦୋଳନକାରୀଙ୍କୁ ଛତ୍ରଭଙ୍ଗ ହେବାକୁ ଅନୁରୋଧ କରିଥିଲେ। କିନ୍ତୁ ଭିଡ଼ର ଏକ ଅଂଶ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିବା ପରେ ଲୁହ ଗ୍ୟାସ ପ୍ରୟୋଗ କରାଯାଇଥିଲା। ପରେ ସଂସଦ ଅଭିମୁଖେ ଅଗ୍ରସର ହେବାକୁ ରୋକିବା ପାଇଁ ସୁରକ୍ଷା ବାହିନୀ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଥିଲେ। ଦଙ୍ଗା ନିୟନ୍ତ୍ରଣ ଗାଡ଼ିଗୁଡ଼ିକୁ ପ୍ରମୁଖ ଛକଗୁଡ଼ିକରେ ମୁତୟନ କରାଯାଇଥିଲା, ଯାହା ଫଳରେ ଆନ୍ଦୋଳନକାରୀ ସଂସଦ ପରିସରକୁ ପ୍ରବେଶ କରିପାରିବେ ନାହିଁ। ସୁରକ୍ଷା ବ୍ୟବସ୍ଥାର ଅଂଶ ଭାବେ ସଂସଦର ଦକ୍ଷିଣ ପ୍ରବେଶ ଦ୍ୱାରକୁ ଯାନବାହନ ପାଇଁ ବନ୍ଦ କରାଯାଇଥିଲା, ଯାହାଫଳରେ ମଧ୍ୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଯାତାୟାତ ବ୍ୟାହତ ହୋଇଥିଲା।
ସତର୍କତାମୂଳକ ପଦକ୍ଷେପ ଭାବେ ପାଞ୍ଚଟି ଦିଲ୍ଲୀ ମେଟ୍ରୋ ଷ୍ଟେସନର ପ୍ରବେଶ ଦ୍ୱାର ସାମୟିକ ଭାବେ ବନ୍ଦ କରାଯାଇଥିଲା ଏବଂ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଏହାଫଳରେ ଅନେକ ଯାତ୍ରୀ ମେଟ୍ରୋ ଷ୍ଟେସନ ଭିତରେ ଅଟକି ରହିଥିଲେ। ମଣ୍ଡି ହାଉସ ସମେତ ବିଭିନ୍ନ ପ୍ରମୁଖ ମେଟ୍ରୋ ଷ୍ଟେସନ ଭିତରେ ଓ ବାହାରେ ଆନ୍ଦୋଳନକାରୀ ସ୍ଲୋଗାନ ଦେଇଛନ୍ତି। ରେଲ ଭବନ, ଶାସ୍ତ୍ରୀ ଭବନ, ଜନପଥ ଏବଂ ସଂଲଗ୍ନ ରାସ୍ତାଗୁଡ଼ିକରେ ଦିଲ୍ଲୀ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ବ୍ୟାପକ ମୁତୟନ ଜାରି ରହିଥିଲା, ଯାହାଦ୍ୱାରା କୌଣସି ସୁରକ୍ଷା ବ୍ୟବସ୍ଥା ଭଙ୍ଗ ହେବାକୁ ରୋକାଯାଇପାରିବ। ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ଯେ ସିଗ୍ନାଲ୍ ଜାମର ବ୍ୟବହାର କରାଯାଇଥିବାରୁ ପ୍ରତିବାଦ ସ୍ଥଳ ଓ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବା ବାଧାପ୍ରାପ୍ତ ହୋଇଥିଲା। ତେବେ ଏହି ଦାବିକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।