ଶ୍ରୀ ଗୁଣ୍ଡିଚା ପାଇଁ ପୁରୀରେ ଟ୍ରାଫିକ ବ୍ୟବସ୍ଥା କଡାକଡି

Jul 15, 2026 - 12:46
ଶ୍ରୀ ଗୁଣ୍ଡିଚା ପାଇଁ ପୁରୀରେ ଟ୍ରାଫିକ ବ୍ୟବସ୍ଥା କଡାକଡି

ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚାଯାତ୍ରା । ଗତକାଲି ନବଯୌବନ ଦର୍ଶନରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବା ପରେ, ଏବେ ପୁରୀ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଭକ୍ତିମୟ ହୋଇଉଠିଛି । ମହାପ୍ରଭୁଙ୍କ ଏହି ମହାନ ମାନବୀୟ ଲୀଳାକୁ ଦେଖିବା ପାଇଁ ଦେଶବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ପହଞ୍ଚି ସାରିଛନ୍ତି । ଭିଡ଼କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ପ୍ରଶାସନ ପକ୍ଷରୁ ଯାତାୟାତ ଓ ପାର୍କିଂ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି ।  ୮ରୁ ୧୦ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରାୟ ୨୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ RAF, ODRAF ଏବଂ NDRF ଟିମ୍ ମୁତୟନ ହୋଇଛନ୍ତି।

ରଥଯାତ୍ରା ଦିନ ପୁରୀ ସହର ଭିତରକୁ ସାଧାରଣ ଯାନବାହନ ପ୍ରବେଶ ଉପରେ କଟକଣା ଲାଗୁ କରାଯିବ । ଫଳରେ ଭକ୍ତମାନେ ନିଜସ୍ୱ ଗାଡ଼ିକୁ ସହର ବାହାରେ ଥିବା ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍‌ରେ ରଖିବାକୁ ପଡ଼ିବ। ଏହି ପାର୍କିଂ ସ୍ଥାନଗୁଡ଼ିକରୁ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଅଞ୍ଚଳକୁ ପହଞ୍ଚିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଶଟଲ୍ ବସ୍ ସେବା ଆରମ୍ଭ କରାଯାଇଛି। ଏହାଦ୍ୱାରା ଭିଡ଼ କମିବା ସହ ଟ୍ରାଫିକ୍ ଜାମ୍ ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣ କରାଯିବ।

ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଅନେକ ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରାଯାଉଛି । ଅନ୍ୟପଟେ, ସହରର ପ୍ରମୁଖ ରାସ୍ତାରେ AI ସକ୍ଷମ ସିସିଟିଭି କ୍ୟାମେରା ଓ ଡ୍ରୋନ୍ ମାଧ୍ୟମରେ ୨୪ ଘଣ୍ଟିଆ ନଜର ରଖାଯାଉଛି ।

ଜୁଲାଇର ପ୍ରବଳ ଗରମକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଲଗାତାର ପାଣି ସ୍ପ୍ରେ କରାଯିବ। ଜଗନ୍ନାଥ ବଲ୍ଲଭ ସମେତ ବିଭିନ୍ନ ସ୍ଥାନରେ ମାଗଣା ପାନୀୟ ଜଳ କେନ୍ଦ୍ର, ମେଡିକାଲ୍ କ୍ୟାମ୍ପ୍ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଜରୁରୀ ପରିସ୍ଥିତି ପାଇଁ ସ୍ୱତନ୍ତ୍ର ଗ୍ରୀନ୍ କରିଡର ମଧ୍ୟ ପ୍ରସ୍ତୁତ ରହିଛି।

ପ୍ରଶାସନ ଭକ୍ତମାନଙ୍କୁ ଅନୁରୋଧ କରିଛି ଯେ, ଟ୍ରାଫିକ୍ ନିୟମ ମାନନ୍ତୁ, ନିର୍ଦ୍ଦିଷ୍ଟ ପାର୍କିଂରେ ହିଁ ଗାଡ଼ି ରଖନ୍ତୁ ଏବଂ ଶଟଲ୍ ବସ୍ ସେବାର ସୁବିଧା ନିଅନ୍ତୁ। ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରକ୍ଷିତ, ସୁବ୍ୟବସ୍ଥିତ ଓ ସ୍ମରଣୀୟ ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।