ଶ୍ରମିକଙ୍କ ଜୀବନ ବଞ୍ଚାଇବ ସ୍ମାର୍ଟ ହେଲମେଟ୍ !
ରାଉରକେଲା: ଏଣିକି କାର୍ଯ୍ୟସ୍ଥଳୀରେ ଅକାରଣେ ଯିବନି ଶ୍ରମିକଙ୍କ ଜୀବନ । ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା କରିବ ସ୍ମାର୍ଟ ହେଲମେଟ । ଆଗୁଆ କରିବ ସତର୍କ । ଶିଳ୍ପ ଓ ଖଣିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସୁରକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏହି ହେଲମେଟ ନିର୍ମାଣ କରାଯାଇଛି । ରାଉରକେଲା NITର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ ବିଭାଗର ଏକ ଟିମ ଏହି ଅତ୍ୟାଧୁନିକ ସ୍ମାର୍ଟ ହେଲମେଟ ଗାର୍ଡନେଟ୍ ନିର୍ମାଣ କରିଛନ୍ତି । 5-G-ସକ୍ଷମ ସ୍ମାର୍ଟ ସୁରକ୍ଷା ପାଇଁ ବ୍ୟବହୃତ ଅତ୍ୟାଧୁନିକ ସ୍ମାର୍ଟ ହେଲମେଟ ଗାର୍ଡନେଟ୍ ବିଶେଷ କରି ଶିଳ୍ପ ଓ ଖଣିରେ କାର୍ଯ୍ୟରତ ଶ୍ରମିକମାନଙ୍କ ସୁରକ୍ଷା ବୃଦ୍ଧି କରିବାରେ ବହୁ ଉପକାରରେ ଆସିବ । ସମ୍ଭାବ୍ୟ ବିପଜ୍ଜନକ ପରିସ୍ଥିତିକୁ ହେଲମେଟ ଚିହ୍ନଟ କରି ସତର୍କ ସୂଚନା ପ୍ରଦାନ କରିବ । ଯାହା ଫଳରେ ତୁରନ୍ତ ସତର୍କତା ମୂଳକ ପଦକ୍ଷେପ ନିଆଯାଇ ପାରିବ । ସ୍ୱଦେଶୀ ବିକାଶ ଏବଂ ଓପନ୍-ସୋର୍ସ 5-ଜି ଭିତ୍ତିଭୂମି ମାଧ୍ୟମରେ ନିର୍ମିତ ସ୍ମାର୍ଟ ହେଲମେଟ ନମନୀୟ, ସୁଲଭ ଏବଂ ଶିଳ୍ପ ସୁରକ୍ଷା କ୍ଷେତ୍ରରେ ଗବେଷଣା ତଥା ଭବିଷ୍ୟତର ପ୍ରୟୋଗ ପାଇଁ ଉପଯୋଗୀ ହୋଇ ପାରିବ ବୋଲି NIT ପକ୍ଷରୁ କୁହାଯାଇଛି।
୧୦ମ ଇଣ୍ଡିଆ ମୋବାଇଲ୍ କଂଗ୍ରେସ -୨୦୨୬ ଅବସରରେ ଆୟୋଜିତ ‘5-G ଇନୋଭେସନ୍ ହ୍ୟାକାଥନ୍’ରେ ଏହି ସ୍ମାର୍ଟ ହେଲମେଟ ସ୍ୱୀକୃତି ଲାଭ କରିଛି । ଏହାସହ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ୧.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପାଇଥିବା ଏନଆଇଟି ପକ୍ଷରୁ ସୁଚନା ଦିଆଯାଇଛି ।
IMC 2026 ରେ ରାଉରକେଲା NIT ‘5-ଜି ୟୁଜ୍ କେସ୍ ଲାବୋରେଟୋରୀରେ ଅଂଶ ଗ୍ରହଣ କରିଥିବା ୧୦୦ଟି ଲାବୋରେଟୋରୀ ମଧ୍ୟରୁ ଶ୍ରେଷ୍ଠ ୧୦ଟି ମଧ୍ୟରେ ସ୍ଥାନ ପାଇଥିବା NIT ପକ୍ଷରୁ ସୁଚନା ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
