ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ୨ପୋଲିସ କର୍ମଚାରୀ

ଭୁବନେଶ୍ୱର : ଜବତ ମୋବାଇଲ ଫେରସ୍ତ ପାଇଁ ଲାଞ୍ଚ ଅଭିଯୋଗ । ୨୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ୨ ପୋଲିସ କର୍ମଚାରୀ । ୨ ଅଭିଯୁକ୍ତ ହେଲେ ଭୁବନେଶ୍ୱର ମଞ୍ଚେଶ୍ୱର ପୋଲିସ ଷ୍ଟେସନର ଏଏସଆଇ ରାଜେଶ କୁଲୁ ଓ ହୋମଗାର୍ଡ ଡ୍ରାଇଭର ଜ୍ୟୋତି ରଞ୍ଜନ ବେହେରା । ତେବେ ଅନ୍ୟ ଜଣେ ହୋମ୍ଗାର୍ଡ ସର୍ଫରାଜ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି । ଭିଜିଲାନ୍ସ ଅଧିକାରୀମାନେ ଏହି ୨ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି । ପୂର୍ବରୁ ୧୨.୦୬.୨୦୨୬ ରେ, ଏଏସଆଇ ଶ୍ରୀ ରାଜେଶ କୁଲୁ ଅଭିଯୋଗକାରୀ ବ୍ୟକ୍ତିଙ୍କୁ ଗୋଟିଏ ମୋବାଇଲ ଫେରାଇବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଇଥିବାବେଳେ ଆଉ ଗୋଟିଏ ମୋବାଇଲ ଫେରାଇବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।
ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ପି.ଏସ୍. ମାମଲା ନଂ. ୧୦ ତାରିଖ ୧୬.୦୬.୨୦୨୬ ଧାରା ୭ ପି.ସି. (ସଂଶୋଧନ) ଆଇନ, ୨୦୧୮ ଅନୁଯାୟୀ ପଞ୍ଜୀକୃତ ହୋଇଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।
ଘଟନାନୁସାରେ, ଏକ ମାମଲାରେ ଜଣେ ବ୍ୟକ୍ତିଙ୍କର ୨ଟି ଦାମୀ ମୋବାଇଲ୍ ଫୋନ୍ ପୁଲିସ୍ ଜବତ କରିଥିଲା । ସେ ବ୍ୟକ୍ତି ଜଣକ ତାଙ୍କ ଫୋନ୍ ଫେରସ୍ତ ନେବା ପାଇଁ ଥାନାକୁ ଯାଇ ତଦନ୍ତକାରୀ ଅଧିକାରୀ (ଆଇଓ) ଥିବା ଏଏସ୍ଆଇ ରାଜେଶଙ୍କୁ ଭେଟିଥିଲେ । ରାଜେଶ ଫୋନ୍ ଫେରାଇବା ଲାଗି ଦିନ ଗଡ଼ାଇ ଚାଲିଥିଲେ । ଏହି ସମୟରେ ଦୁଇ ଜଣ ହୋମ୍ଗାର୍ଡ ସର୍ଫରାଜ ଓ ଡ୍ରାଇଭର ଜ୍ୟାତିଙ୍କ ହା ବୁଡ଼ରେ ପଡ଼ିଥିଲେ ଅଭିଯୋଗକାରୀ । ତେବେ ଉଭୟ ତାଙ୍କୁ ମୋବାଇଲ୍ ଫୋନ୍ ଫେରସ୍ତ ପାଇବାରେ ସାହାଯ୍ୟ କରିବେ ବୋଲି କହିଥିଲେ । ସେଥିପାଇଁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଦୁଇ ଜଣ କହିଥିଲେ । ଦାମୀ ମୋବାଇଲ୍ ହେତୁ ବ୍ୟକ୍ତି ଜଣଙ୍କ ୫୦ ହଜାର ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ ।
ଏହାପରେ, ୧୨.୦୬.୨୦୨୬ରେ ଅଭିଯୋଗକାରୀ ବ୍ୟକ୍ତି ଏଏସଆଇ ରାଜେଶ କୁଲୁଙ୍କୁ ୩୦,୦୦୦ ଟଙ୍କା ଦେଇ ଗୋଟିଏ ମୋବାଇଲ୍ ଫେରାଇ ଆଣିଥିବାବେଳେ ଅନ୍ୟ ମୋବାଇଲ ପାଇଁ ୨୦ହଜାର ଟଙ୍କା ବାକିଥିଲା । ଏନେଇ ଅଭିଯୋଗକାରୀ ବ୍ୟକ୍ତି ପୂର୍ବରୁ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି, ଯେତେବେଳେ ଉକ୍ତ ବ୍ୟକ୍ତି ମୋବାଇଲ ଆଣିବା ପାଇଁ ଥାନାକୁ ଗଲେ ଏଏସଆଇ ଶ୍ରୀ କୁଲୁ ତାଙ୍କୁ ଦାବି କରାଯାଇଥିବା ଲାଞ୍ଚ ଟଙ୍କା ହୋମଗାର୍ଡ ଡ୍ରାଇଭରଙ୍କୁ ଦେବାକୁ ଏବଂ ତାଙ୍କଠାରୁ ମୋବାଇଲ୍ ଫୋନ୍ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ହୋମଗାର୍ଡ ଡ୍ରାଇଭରଙ୍କୁ ୨୦ ହଜାର ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ଉକ୍ତ ଡ୍ରାଇଭରଙ୍କୁ ମାଡିବସି ତାଙ୍କ ଠାରୁ ଲାଞ୍ଚ ଟଙ୍କା ଆଦାୟ କରିଥିଲେ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।
ଏହି ଘଟଣାରେ କମିଶନରେଟ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଏସଆଇ ରାଜେଶ କୁଲୁଙ୍କୁ ତୁରନ୍ତ ଚାକିରିରୁ ବହିସ୍କୃତ କରାଯାଇଛି ଏବଂ ୨ ହୋମଗାର୍ଡ ଜ୍ୟୋତିରଞ୍ଜନ ବେହେରା ଏବଂ ଅବଦୁଲ ସର୍ଫରାଜ ଖାଁଙ୍କୁ ନୋଟିସ କରାଯାଇଛି । ହୋମଗାର୍ଡ ସଂଗଠନରୁ ସେବା ସମାପ୍ତ ପାଇଁ ଏକ ମାସ ର ନୋଟିସ ଜାରି କରିଛି କମିଶନରେଟ ପୋଲିସ ।