ଭିଜିଲାନ୍ସ ଜାଲରେ ଫରେଷ୍ଟର

ପିପିଲି : ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଡେଲାଙ୍ଗ ଫରେଷ୍ଟର ରାକେଶ ପଣ୍ଡା । ଏକ ଜଙ୍ଗଲ ଜମି ଉପରଦେଇ ନିଜ ଜାଗାକୁ ଯିବାପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଟଙ୍କା ସହ ତାଙ୍କୁ ଗିରଫ କରିଛି ପୁରୀ ଭିଜିଲାନ୍ସ ଟିମ । ବର୍ତ୍ତମାନ ସୁଦ୍ଧା ଅଧିକ ଖୋଳତାଡ଼ ଜାରି ରହିଥିବାବେଳେ ଅଧିକ ତଥ୍ୟ ମିଳିପାରି ନାହିଁ ।
ସୂଚନାନୁଯାୟୀ, ଡେଲାଙ୍ଗ ଫରେଷ୍ଟର ରାକେଶ କୁମାର ପଣ୍ଡା ଆଙ୍କୋଇ ଅଞ୍ଚଳର ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଜଙ୍ଗଲ ଜମି ଦେଇ ନିଜ କ୍ଷେତକୁ ମାଟି ବୋହି ନେବାକୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସେ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୁରୀ ଭିଜିଲାନ୍ସ DSp ସୋମନାଥ ବାରିକଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ ପୂର୍ବ ପ୍ରସ୍ତୁତି କ୍ରମେ ଫରେଷ୍ଟର ଲାଞ୍ଚ ନେବା ବେଳେ ରେଡ୍ କରିଥିଲେ। ଫରେଷ୍ଟରଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଫରେଷ୍ଟରଙ୍କ ଅଫିସ ଏବଂ ଖୋର୍ଦ୍ଧାର ଭାଲିଆ ବାଡିରେ ଥିବା ପିତୃକ ଘରେ ଚଢାଉ ଚାଲିଛି।